Unknown

 

 

 

 

 

 

 

 

 

 

 

ଶବ୍ଦର ଆକାଶ

ଶ୍ରୀ ସୀତାକାନ୍ତ ମହାପାତ୍ର

 

ସୂଚୀପତ୍ର

 

୧.

ଏରୋଡ୍ରମ୍‍

୨.

ହଂସ

୩.

କୋଠରୀ

୪.

ଘର

୫.

ବଗିଚା

୬.

ପିଲାଦିନ

୭.

ଲ୍ୟାଣ୍ଡସ୍କେପ୍‍

୮.

ମୁହୂର୍ତ୍ତ

୯.

ପାଲୁର-ପ୍ରୟାଗୀ ଗୋଟିଏ ଅପରାହ୍‍ଣ

୧୦.

କୌଣସି ଏକ ସହର ବିଷୟରେ

୧୧.

ରୋଗଶଯ୍ୟା

୧୨.

ଦୁଇଟି ସ୍କେଚ୍

୧୩.

କୁରୁକ୍ଷେତ୍ର

୧୪.

ଅନ୍ୟ ପୃଥିବୀ

୧୫.

ଶରଶଯ୍ୟା

୧୬.

ତ୍ରିପାଦ

୧୭.

ଯାତ୍ରା ଓ ସମୟ

୧୮.

ଅଭିମନ୍ୟୁ

୧୯.

ଛାଇ

୨୦.

ପାଗଳ ଗାରଦ

୨୧.

କୁହୁଡ଼ି

୨୨.

ଅନ୍ୟ ସମୟ

୨୩.

ରତ୍ନମାଳୀ ଓ ସମୁଦ୍ର

୨୪.

ଦୁଇ ପକ୍ଷୀ

୨୫.

ଇତିହାସ

୨୬.

ସକାଳ, ସଂଜ ଓ ରାତି

୨୭.

ଶୀତଋତୁ

୨୮.

ବର୍ଷା

୨୯.

ଅବତାର

୩୦.

ନଈ ମୁହାଣ

୩୧.

ସ୍ଥିର-ତରଙ୍ଗ

୩୨.

ଶବ୍ଦର ଆକାଶ

୩୩.

ବିଦୂଷକ

୩୪.

କୃଷ୍ଣ କୈବର୍ତ୍ତ

୩୫.

ଦୁଇଟି ଜଣାଣ

Image

 

 

 

 

 

 

 

 

*ଏ ସଂକଳନର କବିତାଗୁଡ଼ିକ ବିଭିନ୍ନ ସମୟରେ ଝଙ୍କାର, ଦିଗନ୍ତ, କବିତା, ସମାବେଶ, କଳନା, ପଞ୍ଚମୁଖୀ, ସନ୍ତକ, କାବ୍ୟ, କଳିଙ୍ଗ, ନବପତ୍ର, ସାମ୍ମୁଖ୍ୟ, ଆସନ୍ତାକାଲି ଓ ଜୀବନ ରଙ୍ଗରେ ପୂର୍ବରୁ ପ୍ରକାଶିତ ହୋଇଥିଲା ।

Image

 

ଏରୋଡ୍ରମ୍

 

ଆକାଶରୁ ମାଟି

ମାଟିରୁ ଆକାଶ ॥

 

ବଉଦର କ୍ଳାନ୍ତ ଢେଉ

ଚିକ୍ ଚିକ୍ ରୂପା-ରଙ୍ଗ ଖରା

ଅରା ଅରା ନିଝୁମ ଆକାଶ

ସନ ସନ ଶୂନ୍ୟତାର ନିରୁଦ୍‍ବିଗ୍ନ ଇଲାକାରୁ

ତଳେ ଦିଶେ ଚରାମାଟି

ପରିଚିତ ନଈ ଛାତି

ଧଳାଗାର-ନେଳିଗାର

ଧୋବାତୁଠ-ଦଉଡ଼ିରେ ଶୁଖା ଲୁଗା ଢେଉ

ଦୋଳିରେ ଗାଆଁର ଝିଅ

ଲଙ୍ଗଳ-ଠିରିକା ମାଟି

ନଣନ୍ଦର ମୁଣ୍ଡ ବାନ୍ଧେ ନୂଆ ଭାଉଜୋଉ ॥

 

ଦୂରରୁ ନିକଟ

ନିକଟରୁ ଦୂର ॥

 

ପାକୁ ପାକୁ ପାଟି କରି ଏରୋପ୍ଳେନ୍

ଅପରାହ୍‍ଣ ପୋଖରୀରେ ରୂପା-କାତି ଅନେକ ଭାକୁର,

ବାର୍ଣ୍ଣିସ୍‍କରା ଆକାଶ ରୌଦ୍ରସ୍ନାତ

ଏରୋଡ୍ରମ୍ ଗାଆଁ ନୟନ୍‍ଜୋର ॥

ରାତିରେ ସ୍ୱର୍ଗ-ବାହୁଡ଼ା ଚୈତ୍ର-ରଥ

ନାଲି ନେଳି ଆଲୁଅ ରୋଷଣି

ଘରଫେରା, ଦୂରଯାତ୍ରା

ଲେଉଟାଣି, ବିଦାୟର ଅନାହତ ସୁର ॥

 

ଦୂରରୁ ନିକଟ

ନିକଟରୁ ଦୂର ॥

 

ଅସରନ୍ତି ବ୍ୟସ୍ତ ଖୋଜା

ଏଠି ନାହିଁ, ସେଠି ନାହିଁ

ଅତଳ ନିଦ୍ରାରେ ନାହିଁ

ଭୟଙ୍କର ଚେତନାରେ ନାହିଁ

ଜୀବନ ଓ ମୃତ୍ୟୁ ଖୋଜି

ସ୍ୱପ୍ନ ଜାଗରଣ ଖୋଜି

ରହେ ଖାଲି ଅବଶେଷେ

ଅଙ୍କୁରିତ ମୁହୂର୍ତ୍ତରେ ଅତୃପ୍ତିର ଛାଇ ॥

 

ପୁଣି ଫେରା ସୌରପଥ

ରୌଦ୍ର ଝିଲ୍ ମିଲ୍

ଇଥର୍‍ର ଶୂନ୍ୟ ହ୍ରଦ ମେଘ-ପୋତ ଶେଷ କାହିଁ ?

ପଥ କାହିଁ ଶେଷ ?

ଆକାଶରୁ ଚିହ୍ନା ମାଟି

ମାଟିଠାରୁ ଅଚିହ୍ନା ଆକାଶ ॥

Image

 

ହଂସ

 

ସେ ହଂସ ତା’ର ଏକେଲା ।

ପାଣିର ସିଆର କାଟି

ଏ କୂଳରୁ ସେ କୂଳକୁ ପାରିହୁଏ ବିନା ଆୟାସରେ ।

ପହଞ୍ଚିବା ପରେ ନାଆ ପୁଣି ମଙ୍ଗ ମୋଡ଼େ ଆଉ ଘୂରି ବୁଲେ

ଆକାଶ ଓ ବଉଦରେ ଥଣ୍ଟ ମାରେ ଲହରୀ ଖେଳାଏ

କଥା କୁହେ ଆଉ ନିଜେ ଶୁଣେ ॥

 

ମୋ ଆଖିର କନୀନିକା ତାଡ଼ି ଦେଇ

ଆଲୁଅର ଲେଖନ ମୂନରେ

ଅନ୍ଧାରରେ ମୁଁ ଭେଟିଲି ସେ ହଂସକୁ

ଛାଇ ତା’ର ନିସ୍ତରଙ୍ଗ ମୋ ମନ ଟୁବି ଗାଡ଼ିଆ

ପାଣି ତଳେ ଭାସେ । ଆଉ ସିଏ ଭାସିଯାଏ

ଧଳାମେଘ ଚେନା ପରି ଫାଙ୍କା ଆଉ ଶୂନ୍‍ଶାନ୍

ଆକାଶ ଆବୋରି । ଅଥଚ ସେ ଆକାଶର ଶୂନ୍ୟ ଥାଳ

ଭରେ ନାହିଁ ଦିନରାତି ଗ୍ରହ, ତାରା, ନିହାରିକା

ବଉଦ ଭସାଣ ଯେତେ, ଚାଂଦର ହସରେ ॥

 

ସ୍ୱର ଶୁଣି ମନେ ହୁଏ ଇଏ ମୋର ନିଜ ସ୍ଵର

ମୋ ଦେହର ତାର ଖୁଣ୍ଟି ଡେଇଁ ଡେଇଁ

ଭାସିଯାଏ ତା’ରି ହଂସ ଧ୍ଵନି । ରକ୍ତସ୍ରୋତେ ପହଁରେ ସେ ।

ସ୍ନାୟୁତାରେ ତା’ ନୀରବ ବେଦନାର ବାଣୀ ॥

 

ଗୁଣୁ ଗୁଣୁ ଅନ୍ଧାରରେ ତା’ ମାର୍ବଲ ଗ୍ରୀବା ଛୁଇଁ

ମୁଁ ମୂର୍ଚ୍ଛିତ, ଅଚେତନ । ତାରାଫୁଟା ଆକାଶ ମଉନ ।

ମାନସରୋବର ନୁହଁ, ଦଳ ଆଉ କଇଁଫୁଲେ

ଶ୍ଵାସରୁଦ୍ଧ ମୋ ଟୁବି ଗାଡ଼ିଆ । ସ୍ୱପ୍ନ ତାର ହୋଇପାରେ

ଅନ୍ୟ ଦେଶ, ଅନ୍ୟ କାଳ, ଅନ୍ୟ ସ୍ଵର ଓ ଦୋସରା ଗାନ ॥

 

ପୃଥିବୀ ସେଠି ନ ଥାଏ । ଛାଇ ଆଉ ଆଲୁଅ ପୃଥିବୀ ।

ମୁଁ ନ ଥାଏ, ସେ ନ ଥାଏ, ଆକାଶ ଓ ବଉଦ ନ ଥାଏ,

ଧବଧବ ତୋଫା ଧଳା ପର ସବୁ ଗଢ଼ନ୍ତି ପୃଥିବୀ

ହଜିଥିବା ପ୍ରତିଧ୍ଵନି ହଠାତ୍ ଫେରାଇ ଆଣେ

ସ୍ମୃତି ଆଉ ଆଶଙ୍କା-ଜଡ଼ିତ ଯେତେ ସ୍ୱପ୍ନ ଜଳଛବି ॥

 

ପୁଣି କେବେ ଗୋଧୂଳିର ହିଡ଼ ଡେଇଁ ବିସ୍ମୃତି ଡୁବାଏ

ସେ ବନ୍ୟାରେ ଭାସି ଯାଏ ଚେର ମୂଳ, ପତ୍ର ଓ ଅତୀତ

କିଏ ଅବା ମନେ ରଖେ ସିଏ କେଉଁ ହ୍ରଦ

କିମ୍ବା ସରୋବର, କୁନି ଟୁବି ଗଡିଆଟି, କେଉଁ ହଂସ

କେଉଁ ସ୍ଵର, କେଉଁ ବାଉଦର ଛାଇ ଆଉ କେଉଁ ଗୀତ ॥

 

ଆକାଶ ସିଲେଇ ହୁଏ, ଛୋଟ ହୁଏ ରୁମାଲଟି ପରି

ଛାତି ପକେଟରେ ରହେ ଭାଙ୍ଗି ଭୁଙ୍ଗି । ତା’ର ନେଳି ଗଭୀରତା

କେବେ ପୁଣି ମନ ଦୋହଲାଏ ? ପୃଥିବୀ କୁଞ୍ଚିତ ହୋଇ

ଛୋଟ ରଙ୍ଗ-ପେନସିଲ । ପୁଣି ରହେ ପକେଟ୍‍ରେ

 

ସୀମାହୀନ ସମୁଦ୍ରର ଲୁଣି ପାଣି ଶୋଷି ନେଇ

ଅଗସ୍ତି ମୁଁ ମୋ ଶିରା ଓ ଧମନୀରେ ରଖେ

ସୂର୍ଯ୍ୟ ହୁଏ ସଙ୍କୁଚିତ, ଙ୍କୁକୁରି ଙ୍କାକୁରୀ ବସେ

ମୋ ଆଖିର କନୀନିକା ଧାରେ ॥

 

ତେଣୁ ମୁଁ ଜାଣିନି ସୂର୍ଯ୍ୟ, ପୃଥିବୀ ଓ ସମୁଦ୍ରକୁ

ଚିହ୍ନି ନାଇଁ ଆକାଶର ଶୂନ୍ୟତା ଓ ବିଶାଳ ବେଦନା ॥

 

ତମେ ଯଦି ପୁଣି କେବେ ଫେରିଆସ ଗୋଧୂଳିରେ

ତମ ଧ୍ଵନି ଭାସି ବୁଲେ ଟୁବି ଗଡ଼ିଆରେ

ସେ ଧ୍ଵନି ଚିହ୍ନାଇ ଦେବ ସୂର୍ଯ୍ୟ ଆଉ ପୃଥିବୀ

ଓ ଆକାଶ ସମୁଦ୍ର । ଆଜି କିନ୍ତୁ ସମସ୍ତେ ଅଜଣା ॥

Image

 

କୋଠରୀ

 

ମୋ କୋଠରୀ ହୋଇଥାନ୍ତା

ଯଦି ମୋର ଦେହ, ମନ ଆତ୍ମାର ଖୋଳପା

ରାତି, ଦିନ ମୁହୂର୍ତ୍ତ ଓ ଦଣ୍ଡ

ଅନୁଭୂତି ଆବେଗ ପ୍ରଚଣ୍ଡ

ସବୁତକ ଖୋଷିଦେଇ, ଯତନେ ସାଇତି ରଖି

ଡ୍ରୟାର ଓ ସୁଟକେଶ୍‍ ଚିତ୍ରପଟ ଓ ବହିଥାକରେ

ମୁଁ ଆଉ ହୁଅନ୍ତି ନାହିଁ ଗେଣ୍ଡା ଆଉ ଶାମୁକା ଉପରେ

ମିଛଟାରେ ଏତେଗୁଡ଼େ ଖପା ॥

 

ସମୁଦ୍ର ବେଳଭୂମିରେ, କରୁଣ ବାଲି ଶେଯରେ

ସଙ୍ଗୀତ-ଲହର ଶେଷେ ଶାମୁକା-ଖୋଳପା

ଆମ ଗାଁ ଦୀଘି-ତୁଠ ପଥରର ସାମନାରେ ଛୋଟ ମଲାଗେଣ୍ଡା

(ଅନେକ ରେଖାରେ ଚିତ୍ର ଆଙ୍କିସାରି ଯିଏ ଏବେ ଶୋଇଛି ନିଦରେ)

ଏବଂ ସେ ନୟନ୍-ଜୋର ସାବ୍‍ଜା ହୁଡ଼ାରେ

ଅଜଣା ପଦ ଆଘାତେ ଘାସର କବରତଳେ ଛୁଆ କଙ୍କଡ଼ାଟି;

ସେମାନଙ୍କ ଦେହର ଖୋଳପା ଦେଖି ମୁଁ ଜାଣୁଛି ଦେହୀ

ମୁଁ ଦେଖୁଛି ବିଚାରାର ଆକାଶର ନୀଳିମାରେ ନୀରବିତ ତ୍ରସ୍ତ ଆଖି

ଧୀର ଗତି, ସୀମିତ ଓ ଆତ୍ମିକ ପୃଥିବୀ

ମୁଁ ଶୁଣୁଛି ବିଦାୟର ଅଶ୍ରୁତ ସାନାଇ ॥

 

କେତେଦିନ ଧରି ମୁଁ ଯେ ଗେଣ୍ଡା ପରି

ଯାଇଅଛି ଏଣେ ତେଣେ

ମୋ କୋଠରୀ-ଖୋଳପାରେ ପଶି

ଧୀର ପଦେ ଚକିତ ଓ ତ୍ରସ୍ତ ମନେ

ଖୋଳରୁ ଟିକେ ବାହାରି ମୁଣ୍ଡଟି ଦେଖାଇ

ପୁଣି ଭିତରକୁ ପଶି ତରଙ୍ଗ ତରଙ୍ଗ କରି

ଜୁଳୁ ଜୁଳୁ ଚାହିଁ

ସବୁବେଳେ ଡରିମରି କାଳେ କେବେ

ଖୋଳପାରେ ନ ପାରିବି ପୁନରପି ସଂଯୋଜିତ ହୋଇ

ମୋ ଖୋଳପା ଭାଙ୍ଗି ତୁଟି ଚୂନା କାଳେ ହୋଇଯିବ

କ୍ଷିତ୍ୟପ୍‍ତେଜ ମରୁଦ୍‍ବ୍ୟୋମେ ମୋତେ ଫିଙ୍ଗି ଦେଇ ॥

 

କିନ୍ତୁ ଯେବେ ଏ କୋଠରୀ ଛାଡ଼ି କେଉଁଦିନ

ସେ ଅଜଣା ସ୍ୱନ ଶୁଣି ବାଇ ହୋଇ

ଚୁପ୍‍ଟିଏ ଚାଲିଯାଏ ନୀରବରେ ସବୁଦିନ ପାଇଁ

ତମେ କି ପାରିବ ଜାଣି କାହା ସ୍ଥିତି-ମାନଚିତ୍ର

ଏ କୋଠରୀ ? ତୁମେ କି ପାରିବ ଜାଣି

କିଏ ଥିଲା କୋଠରୀରେ ମୁଣ୍ଡଗୁଞ୍ଜି ଦିନାକେତେ

ପ୍ରିୟ ବନ୍ଧୁ ସେ ରଇତ ଦେହୀ ନା ବିଦେହୀ ?

 

ଖୋଜୁଥିବ ଟିକି ନିଖି ସମୟର ଛିନ୍ନ ପୃଷ୍ଠା ଆଉଡ଼େଇ

ତମେ ମତେ ମୋ ବହି-ଥାକରେ

କାନ୍ଥର ଚିତ୍ରପଟରେ, ପରଦାରେ

ଶୂନ୍ୟ ଚୌକୀ, ଶୂନ୍ୟ ମୋର ହିସାବଖାତାରେ

ସତେ ଯେମିତି ଚିନିପରି ମିଳେଇ ଗଲି ମୁଁ

ବସ୍ତୁ ଆଉ ଧାରଣାର ପାଣିଗିଲାସରେ ॥

 

ଡରି ଡରି ଯଦି ତମେ ଖୋଜ ମତେ

ମୋ ଟେବୁଲ ଡ୍ରୟାରର

ଏଣୁ ତେଣୁ ଗାରିଆ ମାରିଆ ଯେତେ ଛିଣ୍ଡା କାଗଜରେ,

‘ଆସ୍-ଟ୍ରେ’ ସିଗାରେଟ-ଧୂଳି ଆଉ ଚିରାଚିଠି ପୋଡ଼ା କାଠିଟିରେ

ମତେ ଯଦି ବ୍ୟର୍ଥ ଓ ଶଙ୍କିତ ମନେ ଖୋଜ ତମେ

ମୋ ଲୁଗା-ଅଲୁଗୁଣିରେ

ସ୍ଵହସ୍ତ-ଅଙ୍କିତ ମୋର ଚିତ୍ରପଟ ଓ ମୋ କବିତାରେ

କେତୋଟି ହଜିଲା ସ୍ମୃତି ଟିକେ ଦେହ ଗନ୍ଧ

ହଳେ ଛିଣ୍ଡା ଯୋତା ଆଉ ହଜିଥିବା ପ୍ରତିଧ୍ଵନି ସୁରେ ॥

 

ମୁଁ ଜାଣିବି ତମେ ଠିକ୍ ମୋରିପରି

ଚାହୁଁଅଛ ରଖିବାକୁ ଆପଣା ସନ୍ତକ

ଫେରିବାକୁ ଚିହ୍ନାବାଟେ ମୋଡ଼ ଭାଙ୍ଗି ଠିକଣା ଜାଗାକୁ

ନ ଭୁଲି ପୁରୁଣା ସେଇ ମଡ଼ା ବାଟ

ଲେଉଟାଣି ଗାନର ସୁରକୁ

ଶ୍ମଶାନ ଓ ପିଣ୍ଡଦାନ ଅନ୍ତେଷ୍ଟିକ୍ରିୟାର ପରେ

ମନରେ ଲୁଚାଇ ଯେତେ ଭୂତ, ପ୍ରେତ,

ଡାଆଣୀ ଓ ଚିରିଗୁଣୀ ଡୁମାର ଡରକୁ ॥

 

ଖୋଜି ଖୋଜି ଯଦି ତୁମେ କ୍ଳାନ୍ତ ହୁଅ

ମନେ ମନେ ହୁଅ ଭାରି ଖପା

ମନରେ ପକାଇ ପାର

ମୁଁ ମଧ୍ୟ ଦୟାକରୁଛି ତମରି କ୍ଳାନ୍ତିକୁ

ମୁଁ ମଧ୍ୟ ହସିଥାଆନ୍ତି, ଭାରି ଖୁସି ହୋଇଥାନ୍ତି

ଯଦି ଏ କୋଠରୀ ଖାଲି ହୋଇଥାନ୍ତା

ମୋ ଦେହର ଅବିକଳ ନିଚ୍ଛକ ଖୋଳପା

ମୋ ମେଲାଣି ପରେ ମୋର ସ୍ଥିତି କା’ରେ

ଅନାଗତ ସମୟରେ

ନ ରଖି ଅଛପା ॥

Image

 

ଘର

 

ମୁଁ ସେଠି ବଣରେ ଥିଲି ମାଆ ସଙ୍ଗେ ନିର୍ବାସିତ ରାଜାର କୁମର ॥

 

ରାଜ୍ୟ ଗଲା, ପ୍ରଜାପାଟକ ବି ଗଲେ, ଭାସିଗଲା ପ୍ରାସାଦ ଓ ସିଂହାସନ

ନିୟତି ଗୀତରେ । ଲମ୍ୱା ଲମ୍ୱା ପାହୁଲ ପକାଇ ଆସେ ପିତୃହତ୍ୟା,

ସେନାପତି-ଷଡ଼ଯନ୍ତ୍ର, ଭୟଙ୍କର ମୁଖା ପିନ୍ଧି ଜୀବନ ରଖିବାପାଇଁ

ଆଶ୍ରା ଲୋଡ଼ି ଅଗ୍ନାଗ୍ନି ବନସ୍ତର ଅନ୍ଧାରି ଗୁହାରେ

ମୁ ଆଉ ମାଆ ମୋର ॥

 

ସକାଳ କୁହୁଡ଼ି ଆଉ ଅବସାଦ ପମ୍ପ୍‍ହୀନ ପେଟ୍ରୋମାକ୍‍ସ ଯେତେ

ଛିଣ୍ଡା ଦରି, ଭଙ୍ଗା ବେଞ୍ଚ ସବୁ ମିଶି ମାଲଭାଇ ସାଜି

ମୋତେ ନେଲେ ସେ ଗୁହାରୁ ଅନ୍ୟ ଘରେ

ରଙ୍ଗମଞ୍ଚୁ ମୃତ ଏକ ସୈନିକ ପରାୟେ

ମୋର ଟିକେ ମନେହେଲା ସେ ଘର ମୋ ମାମୁଁ ଘର

ଆଉ ସେଇ ରାଜାବାଟୀ ଓ ଜଙ୍ଗଲ କେହି ମୋର ଘର ନୁହେଁ;

ଗ୍ରୀଷ୍ମଛୁଟି, ସ୍କୁଲ ବନ୍ଦ, ମାମୁଁ ଘରେ ମୁଁ ଏଠି କୁଣିଆଁ

ଫେରା ସେହି ଦୂରବାଟ, ହିଡ଼ ଓ ଗହୀରି ବିଲ

ଶୁନ୍‍ଶାନ୍ ଧାନକ୍ଷେତ, ତାଳବଣି,

ଆକାଶେ ଚକ୍‍କର ମାରେ ଉଦାସୀନ ଚିଲ ॥

 

ତା’ପରେ ବିଲହାଟ, ଅଗସ୍ତି ମହାପୁରୁଷ ଆମ ଗାଁ ଆଉ ଘର

ଦାଣ୍ଡ ଡେଇଁଗଲା ପରେ ବଡ଼ଘର, ମଝିଘର, ଆଉ କଣ ଘର

କଣ ଘରେ ମୋର ମାଆ ଦିନେ କଷ୍ଟ ପାଇଥିଲା

କୃଷ୍ଣପକ୍ଷ ଭେଦୁଅ ରାତିରେ । ସାଇର ନାମକୀର୍ତ୍ତନ

ଧାଇର ସବୁ ସାନ୍ତ୍ୱନା, ପଡ଼ୋଶୀଙ୍କ ଆଶ୍ୱାସନା ସତ୍ତ୍ଵେ ସବୁ ଶୁନ୍‍ଶାନ୍

ଯନ୍ତ୍ରଣାର ସେଇ ବଣ ନିଛାଟିଆ ଏକା ଏକା...

ମୁଁ ଆଉ ମୋର ମାଆ

ନିର୍ବାସିତ ରାଜରାଣୀ, ଭାଗ୍ୟହୀନ ରାଜାର କୁମର ॥

 

କାନ୍ଥରେ ଏବେ ଜଳୁଛି କଉଡ଼ିର ଚକ୍ ଚକ୍ ଫମ୍ପା ପେଟ

ମାଟି ଆଉ ଗୋବରର ମହଳଣ ଛାୟାଘନ ଶତ୍ରୁ ଇଲାକାରେ

ସେଇ କଣ ଘରେ ।

ଷଟୀଦୁଛେଇ ଏବେ ବି ମଟ ମଟ ଚାହିଁଛନ୍ତି ସେ କାନ୍ଥରେ

ଯଦିଓ ମୁଁ ଆଜି ଏଠି ଖରାଦିନ ଅପରାହ୍‍ଣ ଖଣ୍ଡିଆଭୂତ ସାଜିଛି

ଭୁଲିଯାଇ ମୋ ଖେଳଣା, ମୋର ଗୁଡ଼ି ପନିକଣ୍ଠି ଓ ସିଲଟ ଖଡ଼ି

ଭୁଲିଯାଇ ମୋ ଠିକଣା, ସ୍ମୃତି ଆଉ ଚେତନାର ଛୋଟ ଠଣା

ଘୂରିବୁଲେ ସାହାହୀନ, ଆଶ୍ରାହୀନ ହତଭାଗା

କେତେବେଳେ କଟକ ବା କେତେବେଳେ ଛତ୍ରପୁର

କେତେବେଳେ ଟିଂବକ୍‍ଟୁ, କେତେବେଳେ ଭୁବନେଶ୍ୱରରେ ॥

 

ସବୁଠେଇଁ କିନ୍ତୁ ମୋର ମନେହୁଏ ମୁଁ ନୁହେଁ ଅପରିଚିତ

ମୁହଁ ସବୁ ଫାଙ୍କା ଆକାଶରେ ତାରା

ଶୂନ୍ୟତାର ଅନ୍ଧାରରେ ଜ୍ୟୋତିର ଜ୍ୟୋତିରିଂଗଣ

ଉଡ଼ିଯାନ୍ତି, ଭାସିଯାନ୍ତି ଚିହ୍ନା ଚିହ୍ନା ସବୁ ଲାଗେ, ଯଦିଓ ସେମାନେ ସବୁ

ଜଳ ଜଳ କରି ମୋତେ ଭକୁଆ ଭଳି ଚାହାନ୍ତି

ଓ ତାଙ୍କର ଆଖି ମୋତେ ନ ପଚାରି ବି ପଚାରେ,

“ଧନ, ତୁ କିଏ କହନି

କେଉଁଠି ନିବାସ ତୋର, କିଏ ତୋର ଜନକ ଜନନୀ ?”

 

କି ଉତ୍ତର ମୁଁ ବା ଦେବି ? ମନେପଡ଼େ ସ୍କୁଲର ପ୍ରାର୍ଥନା ଗୀତ

“ଜନକ ଜନନୀ ସୁତା ସୁତ ଜାୟାଧବ

ସହୋଦର, ସହୋଦରା ଆତ୍ମୀୟ ବାନ୍ଧବ

ପ୍ରଭୋ ଏ ସର୍ବ ସମ୍ୱନ୍ଧ, ତୋର ଦୟାନିଦର୍ଶନ ଆହେ ଆଦିକନ୍ଦ

ଆଉ ମଧ୍ୟ ମନେପଡ଼େ, ଖଂଜଣିର ଭଙ୍ଗାସ୍ଵର ଆଉ ଗୀତ

“ଘର ବୋଲି ସଞ୍ଚିଛୁ ଯେତେ ପଦାର୍ଥ

ଘର ଛୁଟିଲେ ତୋତେ ବୋଲିବେ ଭୂତ

ଉଭୟର ଲୁହ ଝରେ ମୋ ଆଖିରେ ॥

 

ତଥାପି ସନ୍ଦେହ ହୁଏ ମୁଁ କ’ଣ ଏଠାରେ ନୂଆ

ଏଇ ସେ ମୂଷା ଗାତରେ ମୁଁ କ’ଣ ପୋତିନି ମୋର ଭଙ୍ଗା ଦାନ୍ତ

ଡୁବ ମାରି ପହଁରିନି ସେଇ ଟୁବି ଗାଡ଼ିଆରେ

ଥରି ଥରି ଛୁଇଁ ନାଇଁ ସେ ଝିଅର ଛନ ଛନ ସଜ ଘାସ ଦେହ

ନିଶ୍ଚିହ୍ନ ହୋଇନି କେବେ ତା’ ଆଖିର ନେଳିଆ ହ୍ରଦରେ ?

କ୍ଳାନ୍ତ ହୋଇ ମୁଁ କ’ଣ ଆଖି ବୁଜିନି

ଏଇ ନଈ କଣ୍ଡିଆର ଆରପଟେ ଶୂନ୍ୟର ଛାଇରେ ??

ମୁଁ କ’ଣ ପଡିନି ଶୋଇ ସୁଖ ନିଦେ

ସାଇଁ ସାଇଁ ବଉଦର ଛାଇ ତଳେ,

ଶିରି ଶିରି ପବନର ଖିଆଲି ଗୀତରେ ?

 

ମୋ ଘରେ ମୁଁ ଡରି ନାଇଁ କାହାରିକି

ଭୂତ ପ୍ରେତ ଚିରିଗୁଣୀ, ଡାହାଣୀ ପେତିନୀ

ମୋ ଘରେ ସାରା ଆକାଶ ସଙ୍କୁଚିତ ଶୂନ୍ୟ ବିନ୍ଦୁ

ସାତ ସମୁଦ୍ରର ଢେଉ ସ୍ଥିର ଶାନ୍ତ, ସୂର୍ଯ୍ୟର ସମସ୍ତ ବହ୍ନି ପ୍ରତିହତ

ସୂର୍ଯ୍ୟ ଦିଶେ ଥଣ୍ଡା ପାଣି, ସାକ୍ଷାତ ପୂର୍ଣ୍ଣେନ୍ଦୁ

ଖୋଲା ମେଲା ଆକାଶର ପ୍ରଶାନ୍ତ ଓ ଛପା ଲୁହ

ଆଜି ଖାଲି ପିଞ୍ଜରା କୋକେଇ ତଳେ

ସ୍ମୃତି ଆଜି ସମୁଦ୍ରର ଉଦ୍‍ବେଳନ, ଅଶାନ୍ତ ହୃଦୟ

ସ୍ମୃତି ହାୟ ସୂର୍ଯ୍ୟର ଅତୃପ୍ତ ତୃଷ୍ଣା ମରୁର ବିଲୟ ॥

 

ମୋ ବୋଉ ତ ଏଠି ନାହିଁ, ତା’ ଆଖି ଆକାଶେ ତାରା

ଆଉ ବାପା ? ସେ ନିଶ୍ଚେ ସେ ତାରା ପାଖେ ଚୁପ୍‍ଚାପ୍

ସେ ଦୋସରା ତାରା, ସବୁଦିନେ ଯେମିତି ସେ ବସିଥାନ୍ତି କାନ୍ଥକୁ ଆଉଜି

ଚୁପ୍‍ଟିଏ ହୋଇ ତାଙ୍କ ଅନ୍ୟ ଘରେ ଚାହିଁ

ବେଶି କି କଥା କହନ୍ତି ନି ॥

 

ଆଉ ଆଜି ଚେତନା ସୂର୍ଯ୍ୟାସ୍ତ ଆଗୁଁ ଆଲୁଅରେ ଖୋଜି ଖୋଜି

କଉଡ଼ି ଷଟୀଦୁଛେଇ ମୁଁ ନୟାନ୍ତ

ମୁଁ ଜାଣିଛି ଘର ମୋର କେବେହେଲେ ଖୋଜି ପାଇବିନି ॥

 

ଏଠି ସବୁ ବାଟ ଖାଲି ଲେଉଟାଣି ବାଟ

ଅନେକ ହିଡ଼, ମଶାଣି, ଅପନ୍ତରା ଓ ଗହୀରି ବିଲ

ଚେତନ ଓ ଅଚେତନ ଦୋଛକି ରାସ୍ତାରେ ଖାଲି

ପଚାରିବା ଯାହା ସାର ୟାକୁ ତାକୁ

“ସଂଜ ନଇଁ ଆସିଲାଣି । କହିକି ପାରିବ ଭାଇ

କେଉଁଠି ମୋ ନିଜ ଗାଆଁ, କେଉଁଠି ମୋ ଘର

ମୁଁ ଦିନେ ଏଇଠି ଥିଲି, ଏଇ କେଉଁ ପାଖ ଗାଆଁ

ସେଠି ଅଛି ମାଟି, ବାଲି, ଖରା, ତରା

ସେଠି ଝରେ ବର୍ଷା ଓ ଶିଶିର ।।”

 

କଣ୍ଡିଆ ଆରପଟର ନଈ ବାଲି ପାଣି ଧାରକରେ

ମୋ ପୁଅ ଏବେ ମୋ ରୁଇ ଶୀତଳାଇ ସାରି

ନଖରେ ବାଲିରେ ଲେଖି ଏଣୁ ତେଣୁ

ବସି ବସି ଲୁହ ଝାରୁଥିବ । ତା’ ଜେଜେ ଓ ବାପା ପରି

ଆଉ ଏଇ ତାରାପରି, ଯନ୍ତ୍ରଣାର ଅଗ୍ନାଗ୍ନି ବନସ୍ତରେ ସେ ଏବେ

ଏକାକୀ । କିଏ ଜାଣେ ପାଚିଆ ଉଗୁଡ଼ା ହୋଇ

କ୍ଷୀଣ ଦୀପ ଜଳୁଥିବ ଏଇଛୁଣି ସେଇ କଣ ଘରେ

ଚିକ୍ ଚିକ୍ କରୁଥିବ କଉଡ଼ିର ଫମ୍ପା ପେଟ ସେଇ ଆଲୋକରେ ॥

Image

 

ବଗିଚା

 

ସମୁଦ୍ରମାନେ ଯାଆନ୍ତି ଦ୍ଵୀପ ଖୋଜି

ଆକାଶ ବି ଖୋଜିଯାଏ ଶୃଙ୍ଗ ଓ ପାହାଡ଼ ॥

 

ମୁଁ ତୁମ ଅପେକ୍ଷା କରେ ବସି ବସି ବଗିଚାରେ

କାଳେ ତୁମେ ଆସୁଥିବ ଫାଇଭ୍ ଡାଉନ୍ କିମ୍ୱା

ବସ୍ ଧରି ଓ ଏଇନେ ପହଞ୍ଚିବ ଚାଲି ଚାଲି,

କିମ୍ୱା ରିକ୍ସା ଟିଂ ଟିଂ କରି ଆସି ଛିଡ଼ା ହେବ

ଫାଟକ ସାମ୍‍ନାରେ । ହଠାତ୍ ଡାକ ଶୁଭିବ

“ଭଲ ଅଛ ସୀତାକାନ୍ତ, ବହୁଦିନ ପରେ ଆଜି ଦେଖା”

ହେ ଅତିଥି, ହେ ମୋର ବିଶାଳତମ ଅସହ୍ୟ ବେଦନା

ହେ ମୋ ପ୍ରାଣସଖା ॥

 

ଏଠି ମୋର ବଗିଚାରେ ମୁଁ ବସିବି

ଚାରିପଟେ ବତା ଆଉ ଅଗରା ଓ ଅମରୀର ବାଡ଼

ଛୋଟ ଛୋଟ ନିରାପତ୍ତା, ଆଶା ଆଶ୍ଵାସନା

ଛୋଟ ଛୋଟ ପଟାଳିର ସ୍ଵପ୍ନ ଅନାବନା

ଲୁହ ଆଉ ଦୀର୍ଘଶ୍ଵାସ ଫାଟକରେ କୋଲପ ପକେଇ ॥

 

ଏଠି ମୁଁ କଫି ପିଇବି

ଟ୍ରାଞ୍ଜିଷ୍ଟର ବଜେଇବି, କାଗଜ ପଢ଼ିବି

ଏଠି ସମୁଦ୍ର, ଆକାଶ ପାଇଯିବେ ଦ୍ଵୀପ ଓ ପାହାଡ଼ ॥

 

ତମେ ଆସି ପହଞ୍ଚ ନି

ପ୍ରତୀକ୍ଷାରେ ବେଳ ସରେ, ସଂଜ ଯାଏ ମରି

ପାଣିଠୁଁ ନରମ ଆଉ ଆଲୁଅଠୁଁ ହାଲ୍‍କା ହୋଇ

ତମରି ଅନୁପସ୍ଥିତି ଏଠି ବିଞ୍ଚି ହୋଇପଡ଼େ

ରଣିଫୁଲ ଜହ୍ନରାତି ପରି

ଓ ମୋତେ ବୁଡ଼ାଇଦିଏ

ମୁଁ ଅଭାଗା ପଚା ଚେର, ଶୁଖିଲା ପତର ଆଉ

ଝରାଫୁଲ ନେଇ ମାପେ ମୋର ଓଦା ଆଖି ଲୁହ

ଶୁଭୁଥାଏ ଗୋଲାପର ପାଖୁଡ଼ାରେ

ଚେରର ପାଣି ଚୁଚୁମା । ଗଛର ମଲା ଡାଙ୍ଗରେ

ଓ ମୋର ମଲା ହାଡ଼ରେ ପତରର ସାବ୍‍ଜାକୁ

ସପନର ନେଳିଆକୁ ସେ ପାଣିର ଉଠିବାର କୋହ ॥

 

ସେ ଖାଲି ନୀରବ ସ୍ତୁତି । ଚୁପ୍‍ଚାପ୍ ଛୋଟ ହସ କାନ୍ଦ

ଏ ବିରାଟ ଶୂନ୍ୟତାରେ, ନିଷ୍ଫଳ ପ୍ରାନ୍ତରେ

ଗର୍ଭବତୀ କେଇଟି ସନନ୍ଦ

ଯେମିତି ବାଡ଼ କଡ଼ରେ ନାଚି ନାଚି ସେ ଘରଚଟିଆ

ଏଇନେ ଚେଷ୍ଟା କରୁଛି ଭରିବାକୁ ମୋ ସ୍ଥିତିର ଆକାଶୀ ମାଠିଆ

ନିଜେ ସିଏ ମହାରଣା, କୁମ୍ଭାର ଓ ଚିତ୍ରକାର

ନିଜେ ସିଏ ଆମ୍ୱଡାଳ, ନାରିକେଳ, ଚନ୍ଦନ ସିନ୍ଦୁର

 

ସଡ଼କରେ ସେମାନେ ଫେରିଯାଆନ୍ତି ଅନେଇ ଅନେଇ

ଛେଳି, ଗାଈ, ମେଣ୍ଢା ଆଉ ଦୁଷ୍ଟପିଲା

ବାଡ଼ର ସାବ୍‍ଜା ଡେଇଁ ତାଙ୍କ ଦୃଷ୍ଟି ଚରେ ବଗିଚାରେ

ଛୁଇଁ ଛୁଇଁ ଫୁଲ ପତ୍ର ଘାସ ଆଉ ଫଳ

ଫୁଟିବା ଓ ହସିବାର ବେଦନାରେ ଯେଉଁମାନେ

ଆଖି ଛଳ ଛଳ ॥

 

ସେଇଠି ରାସ୍ତାର ଶେଷ

ମୋ ବଗିଚା ଯୋଉଠି ଆରମ୍ଭ

ଯଦିଓ ମୁଁ ଅନେକବାର ଦେଖିଛି

ରାସ୍ତାର ସେ ଲହ ଲହ ସାପ ଜିଭ

ମୁଁ ଜାଣିଛି, ସେ ଜିଭ ହଠାତ୍ ଦିନେ ଚାଟିଦବ

ବାଡ଼, ବତା, ପତ୍ର, ଫୁଲ, ଫଳ

ଖୋଲିଦେଇ ବଗିଚାର ପଞ୍ଜୁରିରୁ ମୋ ଗଛ ଲଟାଙ୍କୁ

ଓ ସାମିଲ୍ କରିଦେଇ ସେମାନଙ୍କୁ ଶୂନ୍ୟ ଛାଉଣିରେ ॥

 

ମୁଁ ଜାଣିଛି ପିଲାମାନେ ଦିନେ ନା ଦିନେ ଭାଙ୍ଗିବେ ଡାଳପତ୍ର

ଫୁଲ ସବୁ ଚିରିଦେବେ ପାଖୁଡ଼ା ପାଖୁଡ଼ା କରି

ଗୋରୁର ପାକୁଳି ଦେବ ଘାସକୁ ମୁକତି

ପ୍ରାନ୍ତରର ଶେଷହୀନ ସୀମାନ୍ତରେ

ହଜିଯିବ ଚୌହଦୀ ଓ ନିର୍ଦ୍ଦିଷ୍ଟ ଇଲାକା

ବିରାଜିବ ଶୂନ୍ୟ ଚଉକତି ॥

 

ସମୁଦ୍ରମାନେ ଯାଆନ୍ତୁ ଦ୍ଵୀପ ଖୋଜି

ଆକାଶ ବି ଖୋଜିଯାଉ ଶୃଙ୍ଗ ଓ ପାହାଡ଼

ମୁଁ କିନ୍ତୁ ବସି ରହିବି ତମରି ବାଟକୁ ଚାହିଁ

କାଳେ ତମେ ଆସୁଥିବ ଏଇକ୍ଷଣି

ଟ୍ରେନ୍‍ର ତୃତୀୟ ଶ୍ରେଣୀ ଅଥବା ବସ୍‍ରେ

ମୋ ଘର ଠିକଣା ରଖି ପାକିଟ୍‍ରେ

ୟାକୁ ତାକୁ ପଚାରି ପଚାରି

ମୁଁ ତେଣୁ ଚଉକି ଛାଡ଼ି ଉଠିବି ନି

ବସିଥିବି ବାଟ ଚାହିଁ ଏଇ ବଗିଚାରେ

କାଳେ ତମେ ପହଞ୍ଚିବ ସଂଜବୁଡ଼ି ରାତି ହେଲା ପରେ ॥

Image

 

ପିଲାଦିନ

 

ଡଗଡ଼ଗ ଚାଲିଥିଲି କୁନି ପାଦ ପକେଇ ପକେଇ

କୁତୂହଳୀ ବିସ୍ମୟର ଦଦରାପୋଲ ସେପାରି ଅମରାବତୀକୁ

ବୃଂଦାବତୀ ତୁଳସୀ ଚଉରାଆଡ଼େ ପତ୍ର ଟୋକିବାକୁ

ଯେତେବେଳେ ଜେଜେ ତମ ଡଙ୍ଗା ବୁଡ଼ିଗଲା

ଅନ୍ଧାରିଆ ବଉଦର ଭଉଁରୀରେ ଅଚାନକ ସୂର୍ଯ୍ୟାସ୍ତ ହ୍ରଦରେ ॥

 

କନିଶିରି ପ୍ରାଣ ମୋର ଅଶକତ

ଅବଲୋକି ଶୂନ୍ୟ ଚଉକତି

ନିରେଖି କାନ୍ଦୁରା ମୁହଁ, ନିପା ଘର, ନଣ୍ଡା ମୁଣ୍ଡ

ମୂଷାମାଟି ଭଣଭଣ ଅନ୍ଧାରୀ ଘରର କଣେ

ଡେଣା ପିଟେ ଦୋସରା ଚଢ଼େଇ

ସାମ୍‍ନାରେ ଲମ୍ୱିଥାଏ ଇଜ୍‍ମାଲି ବେଦନାର

ଖୋଲାମେଲା ଖାଁ ଖାଁ ବିଲମାଳ ଦିଗନ୍ତକୁ ଛୁଇଁ

ଦାଣ୍ଡରେ କୋକେଇ ପରେ ଘରେ ଦୀପଛାଇ

 

ସେଥିରୁ ହଠାତ୍ ଯିଏ ଚୁମା ଖାଇ

ତା’ କୋଳକୁ ଟେକିନେଲା, ସିଏ ମୋର ବୋଉ

ପ୍ରଚୁର ଖାଦ୍ୟ, ଭରସା, ସାନ୍ତ୍ୱନା ଓ ପ୍ରତିଶ୍ରୂତି

ବାଆ ବତାସିର ମୋଡ଼େ ନୀଡ଼ର ଉଷୁମ ॥

 

ସେ ବର୍ଷ ଶୀତ ନ ଥିଲା, ବସନ୍ତ ବି ଦରମଲା, କ୍ଷୀଣ

ଦୂରରେ ନିର୍ଜନ ବଣ, ରେଲ୍ ଡାକ

ପବନରେ ଅଶ୍ରୁର ସୂଚନା

ଶବ୍ଦମାନେ ଖାଲି ହାହାକାର ॥

 

ବାରନ୍ଦାରେ ବସିଥିବି ତା’ଗୋଡ଼ରେ, କିରଣରେ ପୃଥିବୀର ଗନ୍ଧ

ଆଖିରେ ରେଖା ଓ ରଙ୍ଗ ସ୍ଵର ଶୋଭାଯାତ୍ରା

ଜୀବନର ବ୍ଲୁ ପ୍ରିଣ୍ଟ ପୃଥିବୀ ଆଙ୍କିବ

ଗୁନିଆ କମ୍ପାସ୍‍ଧରି, ଜାତିଗୋତ୍ର, କ୍ରୋମୋଜମ୍, ସ୍ନାୟୁ ଶିରା ନେଇ ॥

 

ଦାଉ ଦାଉ ଖରାର ଦାଉକୁ ରୋଧି

ପୁଣି ତା’ର କବରୀର ମେଘ ମୋ ମୁହଁରେ

ଆଖି କେବେ ଜହ୍ନ ହୋଇ ଉଲୁସାଏ

ଆଉ କେବେ ମେଘ ହୋଇ ଝର ଝର ଝରେ ॥

 

ମୁଁ ତେଣୁ କହିନି ମିଛ, କହିବାକୁ ଜିଭ ଓଲଟିନି

ମୟୂରର ଚୂଳ କିମ୍ୱା ଫରଫର ନେତ କିମ୍ୱା କଳା ଡୋଳାପାଇଁ

କିଛି ସମ୍ମାନ ବା ଭୟ ଯୋଗୁଁ ମୋଟେ ନୁହେଁ

ସାମ୍‍ନାର ବାରସ୍କନ୍ଧ ଭାଗବତ, ସ୍ତରୀଭୂତ ଚନ୍ଦନର ଖୋଳପା

ଓ ଫୁଲର ଓଢ଼ଣାତଳୁ କାନ୍ଧରୁ ମୁହଁକୁ ଟେକି

ଅନେକ ନିଘା କରି ବି ଅନ୍ଧାରରେ ଠଉରେଇ ପାରିନାହିଁ

ଦେବତାର ଗଢ଼ଣ ବା ରୂପ ଭେକ କିଛି ॥

 

ବରଂ ସେ ଦ୍ଵିଧାର ହେତୁ

ଅପ୍ରତ୍ୟାଶିତ ବଉଦ ଓ ବରଷା

ତା’ ଆଖି ଆକାଶେ ॥

 

ମୁଁ ଅନ୍ୟମନସ୍କ ହେଲେ ସେ ବିବ୍ରତ; ତେଣୁ ମୁଁ ଏକାଗ୍ର

ଆଖି ଥାଉ ଉଦ୍ୟତ ଖଡ୍‍ଗ ଉପରେ

ତ୍ରିଶୁଳ ବା ପଦ୍ମ କିମ୍ୱା ହାତର ପ୍ରଚୁର ଲଡ଼ୁ

ବାହନ ସିଂହ ବା ହଂସ, ମୂଷାଛୁଆ ବା କୁନି ମୟୂର ॥

 

ଘଣ୍ଟ ଘଣ୍ଟା ଶଙ୍ଖ ଓ ଆଳତି ପରେ

ମନ୍ଦିରର ଶୂନ୍ୟ ବେଢ଼ାଟିରେ

ପ୍ରତିଧ୍ଵନି ଖୋଜୁଥାଏ ଆପଣାକୁ

ରହି ରହି ଶୁଭିଯାଏ ଛାତିଫଟା କାନ୍ଦଣା ଲହର

ତା’ ହାତରେ ହାତ ରହେ, ଅନ୍ଧାରରେ ତାରା ଜଳେ

ସେ କାନ୍ଦ କି ଘରକଣେ ଦୋସରା ପକ୍ଷୀର ?

 

ଦୁଇ

 

ଏଇନେ କୁଅଭିତରେ ଫନ୍ଦ ଯା’ର ଦିଗନ୍ତ ମେଖଳା

କେତେ ବର୍ଷ ଅଧିଆ ପଡ଼ିଛି ଏଠି ସୂର୍ଯ୍ୟ ଆଉ ବଉଦର ବଡ଼ଦାଣ୍ଡେ

ଖରାରେ ପାପରା ହୋଇ ବର୍ଷାରେ ଫଉଲି

ଆଉ କେତେଦିନ ବାକୀ ସୂର୍ଯ୍ୟାସ୍ତ ମଝି ହ୍ରଦରେ ବୁଡ଼ିବାକୁ ଭେଳା ॥

 

କନିଅର ଅର୍କବୁଦା, ଚାଙ୍କୁଡ଼ା ବଣଭିତରୁ

ଚିହ୍ନା ରାସ୍ତା ଜଳିଉଠେ । ଆମ୍ୱତୋଟା ପୋଖରୀ ଓ ଗୁଗୁଚିଆ

ଆଲୁଅରେ ବେଶ ଫର୍ଚା ଦିଶେ;

ଘରଭିତରେ ଅନ୍ଧାର, ପର୍ଦାରେ ମଇଳା ଆଉ ଚଉକିରେ ଧୂଳି

ଛିଣ୍ଡା କରିଆଟି ପିନ୍ଧି ବାହାରେ ଠିଆ ସମୟ

ମୋରି ଅପେକ୍ଷାରେ । ଆଖିରେ ପାହାଡ଼ ଖୋଲ

ମୁହଁରେ ଦାଢ଼ି ଜଙ୍ଗଲ; ବେଚାରାଟି ଥୁଣ୍ଟା ଓ ଏକେଲା ॥

 

ପଛରେ ରହିବ ଏବେ କାଦୁଅରେ ତଣ୍ଟିଯାଏ ପୋତି ହୋଇ

ମିଞ୍ଜି ମିଞ୍ଜି ଚେତନାରୁ ଉଝାଳିବା ତାରାର ସପନ

ଶୁଣିଯିବା ଝରାପତ୍ରର ମର୍ମର ଖଞ୍ଜଣି ଓ ବର୍ଷାର ନିଃସଙ୍ଗ ଗୀତି,

ଶୀତ ସକାଳର ଯେତେ ଦ୍ଵିଧା ଓ ବିରକ୍ତି

ବିଛଣା ଉଷୁମ ଛାଡ଼ି ଗାଇବାକୁ

‘ଅଖିଳ ବ୍ରହ୍ମାଣ୍ଡପତି’ ବାପାଙ୍କ ଡାକରେ

ଶୋଇ ଶୋଇ ଭାସିବାକୁ ବୈକୁଣ୍ଠ ଓ ନରକରେ

ଛୋଟ ଫ୍ରକ୍, ଲମ୍ୱା ଶାଢ଼ୀ, ଦେହର ଉଷୁମ ତାତି

କଣ୍ଢେଇର ଭଙ୍ଗା ଗୋଡ଼, ମାଷ୍ଟରଙ୍କ ବେତମାଡ଼

କାନ୍ଦି କାନ୍ଦି ହସିବାକୁ ବିଅର୍ଥରେ କୋଇଲିର ଉଦାସ ଡାକରେ ॥

 

ଏଇନେ ଅତୀତ ମୋର ଚୁଚୁନ୍ଦ୍ରାର ରୂପ ନେଇ

ଘୂରିବୁଲେ ଶୂନ୍ୟ କୋଠରୀରେ

ନିଦ ଓ ନିଦ ଭିତରେ ହାଇଫେନ୍ ଟପିବା ଆଗରୁ

ନୀରବତା ଘୁଙ୍ଗୁଡ଼ିମାରି ଶୋଇଛି ମୋ କତିରେ

ଆଉ ତା ନିଶ୍ୱାସ ଆସି ବାଜେ ମୋର ଛାତି ଓ ମୁହଁରେ ॥

 

ମୁଁ କାନ୍ଦୁଛି ମୋର କାନ୍ଦ ଯେତେବେଳେ

ତା କଣ୍ଢେଇ ପନିକଣ୍ଠି ପାଇଁ କାନ୍ଦେ କୁନି ଝିଅ ଆର କୋଠରୀରେ ॥

 

କ’ଣ ପାଇଁ ବା କାନ୍ଦିବି ?

ନିଜ ମୁହଁ ସାମ୍‍ନାରେ ଠିଆ ହେବି ପାଳଭୂତ ସାଜି

ମୁଁ କ’ଣ ଡେଇଁପଡ଼ିବି ଆକାଶକୁ !

ଜହ୍ନ, ତାରା ନୀହାରିକା ଧରିବାକୁ ରାଗେ ଗଳଗାଜି

ନାଁ ଏଠି ଶୋଇପଡ଼ିବି ଲାଂଗୁଡ଼ରେ ମୁହଁ ଜାକି

ହେ ସାପୁଆକେଳା ତମ କୁନି ପେଡ଼ିଟିରେ ?

ମୋର ନାତି ଅଣନାତି ଅଗ୍ନାଅଗ୍ନି ବନସ୍ତରେ ବୁଲୁଥିବେ

ଜନବସତିରୁ ଦୂରେ କାହାର ଡରରେ

ଘୁଷୁରି ଘୁଷୁରି ଯିବେ ମୋତେ ଖୋଜି ଖୋଜି ?

 

ତାରାମାନେ ଚକ୍‍ପରି ସାଦାମୁହଁ ଅଫିସ୍ କିରାଣୀ

ମୁହଁମାନେ ମଲା କଇଁ ତାରା ଆଲୁଅରେ

ମହାଶୂନ୍ୟ ଅନ୍ଧାରରେ କାଖରେ କାଗଜ ଜାକି

ପଡ଼ି ଉଠି ଧାଇଁଥିବ ପୃଥିବୀ-ହକର୍

ଡାକି ଡାକି ପୁରୁଣା ଖବର

ପୁରୁଣା ମାଟି ଓ ଚନ୍ଦ୍ର, ପୁରୁଣା ସ୍ୱପ୍ନ ଓ ମୃତ୍ୟୁ

ଗଛରେ ଚଢ଼େଇ କାନ୍ଦ ଶବ୍ଦମାନେ ଖାଲି ହାହାକାର ॥

 

ସେଦିନ ହଠାତ୍ ଦେଖା, ପରିଚୟ, ଚିହ୍ନାଚିହ୍ନି

ସକାଳର ଦରଜାରେ ବଗିଚାର ମଲ୍ଲୀଫୁଲ,

ପ୍ରଜାପତି କଙ୍କିଙ୍କ ସାଙ୍ଗରେ

 

ସେତେବେଳେ ଆଖି ମଳି ଗେଣ୍ଡୁ ଉଠେ ନିଦ ଆଉ ଅନ୍ଧାରରୁ

ବାରି ହୁଏ ଗୋଲାପର ଶିରା ଉପଶିରା

ଭାଙ୍ଗ ଖାଇ ମୁଣ୍ଡ ବୁଲେ ଘୂରିବୁଲେ ଟିକି ପ୍ରଜାପତି

ସାରୁପତର ପେଡ଼ିରେ କଙ୍କି ଖାଲି ଧନ୍ଦି ହୁଏ

ପୃଥ୍ଵୀ ଭାସେ ଆଗପରି ଚିତ୍ରିତ ଡେଣାରେ ॥

 

ବାସ୍ ସେହି ମୁହୂର୍ତ୍ତଟି

ପକେଟ୍‍ରେ ନୋଚାକୋଚା ହୋଇ ରହେ ତା ଡାଇରୀ ଡ୍ରଇଂଖାତା

ଲେଖିବାକୁ ଏଣୁ ତେଣୁ ହସ କାନ୍ଦ କଥା

ଆଙ୍କିବାକୁ ରବର ପେନ୍‍ସିଲ ନେଇ ନାନାଜାତି ଛବି ।

ଆଖି, କାନ, ନାକ ସବୁ ତାଙ୍କ କାମ ଶେଷ କରି

ଦୋକାନରେ ତାଲା ଦେଇ ଡାଇରୀ ଓ ଡ୍ରଇଂଖାତା ବନ୍ଦ କରି

କାଲିକୋ ଧୋତି ଓ କାଠ ଘିଅ ସହ

ଜଳି ଶେଷ ହେବାଯାଏ

ଶୂନ୍‍ଶାନ୍ ନଈକୂଳ ହୁତୁହୁତୁ ଖୋଲା ପବନରେ ॥

Image

 

ଲ୍ୟାଣ୍ଡସ୍କେପ୍‍

 

ମିଂଯୁଗ ମୃଣ୍ମୟରେ

ଘରଫେରା ପରଦେଶୀ ପକ୍ଷୀ ଡେଣା ଝାଡ଼େ

ସ୍ଥିର ଡେଣା, ସ୍ଥିର ଶାନ୍ତ ଲମ୍ୱା ଦ୍ଵିପ୍ରହର

ହାଇମାରି ଘୁଷୁରି ଘୁଷୁରି ଆସେ

ଉଦାସ ଦିଗନ୍ତ ଡେଇଁ

ଅନ୍ତହୀନ ମାଲଗାଡ଼ି

ଇଟାରଙ୍ଗ, ହାଣ୍ଡିରଙ୍ଗ ଘନ-କ୍ଷେତ୍ର ଗତି

ଉପରେ ବାର୍ଣ୍ଣିସକରା ରୌଦ୍ରସ୍ନାତ ନିର୍ଲିପ୍ତ ଆକାଶ

ଈଷତ୍ ସାବ୍‍ଜା କଳା, ଛିଟା ଛିଟା ମେଞ୍ଚା ମେଞ୍ଚା

ରଙ୍ଗର ସାମିଲ୍ ଏଇ

ଭଙ୍ଗା ତୁଳି, ଛିଣ୍ଡା କାନ୍‍ଭାସ୍ ॥

 

ବିଜୁଳି ତାରରେ ମୃତ ସୁନ୍ଦର ନେଳିଆ ପକ୍ଷୀ

(ସତେ ମୋର ସ୍ୱପ୍ନ ସିଏ !)

ମୋ ଆଖିରେ ଲୁହ ତାର

କଣ୍ଠେ ମୋର ମୃତ ତା’ର ଗୀତି

ମାଲଗାଡ଼ି, ଅପରାହ୍‍ଣ, ଦୂରତୋଟା ଆମ୍ୱକଷି

ଓ ଶଙ୍କିତ କୁହୁ

କାହାକୁ ସେ ରଖିଗଲା ସାକ୍ଷୀ ?

 

କଟାଧାନ ଥୁଣ୍ଟା ସବୁ ଈର୍ଷା କଲେ ଆକାଶକୁ

ଧାନକ୍ଷେତ ଚଢ଼େଇଆ ବାହୁନିଲା ମନଟିକୁ ମାରି

ଗାଈର ପିଠିରେ ବସି ଗୀତ ଗାଏ ମନ ଖୋଲା ଏ କଜଳପାତି

ଅପରାହ୍‍ଣ ଥାଳିଆଟି ମୃତପକ୍ଷୀ ଶବାଧାର, ଅସ୍ପଷ୍ଟ ରଣକୁହୁଡ଼ି,

କିଏ ଜାଣେ କେତେବେଳେ ବାଟହୁଡ଼ି ଏଇବାଟେ ଆସିଯିବ ରାତି ?

 

ଏଣେତେଣେ ବିଞ୍ଚି ହୋଇ

ଚାରିଆଡ଼େ ନାଲି, ନେଳି ଧୂସର ଓ ସାବ୍‍ଜା ନିର୍ଯ୍ୟାସ

ସବୁ ମୋର ମାଂସର ହୁତାଶ ଆଉ ପ୍ରାଣର ଆଭାସ

କାନ୍‍ଭାସ୍, ତୂଳି ସବୁ ଗୁଣ୍ଡା ହେଲେ ଚୂରି ହୋଇ

କଅଣ ରହିବ ଆଉ ପୃଥିବୀର ? ମୋ ସତ୍ତାର ?

ରହିପାରେ ଆଣଚାଶ ପବନ ବତାସ ॥

 

ବୁଢ଼ାର ସ୍ନାୟୁ-ସହର ଅନଳ ଉଦ୍‍ଗାରେ ଏବେ

ଟୁଣଟାଣ୍ କରି ଛିଣ୍ଡେ ଶିରା ଓ ଧମନୀ

କଟମଟ ହାଡ଼େ ତା’ର ବେଦନାର ଶେଷ ଆବାହନୀ

ନାଣ୍ଡିଆ ପାହାଡ଼ ଜଳେ କଳା ପଥର ବି ନାଲ୍

ମନେହୁଏ ମୃତ୍ୟୁ ଖାଲି ଶୀର୍ଷତମ ଶେଷ ଅନୁଭୂତି

ଦରଛିଣ୍ଡା କାଗଜରେ ଅନେକ ମୃତ ଠିକଣା ଓ ତା’ପରେ

କାଳରାତି, ନିଭା ନିଆଁ ପବନରେ ଅଶାନ୍ତ ବିଭୂତି ॥

Image

 

ମୁହୂର୍ତ

 

ମୋ ଆଖିର ନିସ୍ତରଙ୍ଗ ହ୍ରଦରେ

କାହାର ଉଦ୍‍ବିଗ୍ନ ଛାଇ,

କାହାର ଛିପା ହସ ପ୍ରାଣର ଜଙ୍ଗଲରେ

ଅଣିମାଦି ଅଷ୍ଟବର୍ଗର ବିଭୂତି ଆଣି

ମୋ ମାଟିଘଟରେ କା’ର ଅନୁପ୍ରବେଶ

ଧୂଳି ଓ ଅଂଗାରର ଖାତରେ

କେଉଁ ହିରଣ୍ୟଗର୍ଭର ସ୍ଵପ୍ନାଂକନ ?

 

ରାତିର ଆଖିରେ ଅନେକ ପୂର୍ବ ରାତ୍ରିର ଇସାରା

ଦ୍ରୁତଗାମୀ ଧୂମକେତୁ, ନୀହାରିକା

ଅସୀମ ଅୟୁତ ବିଶ୍ଵ, ମନ୍ୱନ୍ତର ବ୍ରହ୍ମବର୍ଷ

ଅସୁମାରି କକ୍ଷଚ୍ୟୁତ ତାରା

ରାତି, ରାତି, ଢେଉ ପରେ ଢେଉ

ଉଆଁସୀ ଅନ୍ଧାର ରାତି, ଦିଗହଜା ସଂଧ୍ୟାତାରା

ଜୁଆର ଓ ମୁହାଣର ଢେଉ ॥

 

ନୀରବତାର ଦୁଆର ଖୋଲି

ପାଦ ଚାପି ଚାପି

ନୀଳିମ ଆକାଶର ଆତ୍ମିକ ପ୍ରବେଶ

ଧଳା ଖପୁରୀରେ ଘାସ

ସ୍ନାୟୁ ଶୁଏ ଚେତନାର କ୍ଷୀଣ ଛୋଟ ହସ

ଥର ଥର ଘନ ନୀଳିମାର କଳ୍ପଲୋକ

ସ୍ଵପ୍ନ, ବେଗବାନ ଉଷ୍ଣ ସୁଅ ଓ ଝଡ଼ରେ ସ୍ନାୟୁ

 

ନଦୀ, ହ୍ରଦ, ସମୁଦ୍ର ଓ ମଣିଷ ଆଖି ଲୁହରେ

ଘନାୟମାନ ମୌସୁମୀ ବାୟୁ

କଳାରାତି, ଆକାଶ-ତୃଷ୍ଣା ଜୁଆର

ଅସୁମାରି ଢେଉ ପରେ ଢେଉ ॥

 

ପ୍ରଣବ, ପ୍ରଥମ ଶବ୍ଦ

ଶବ୍ଦ-ହୀନ ଘନ ନୀରବତା

ମଧ୍ୟରାତ୍ରି ଆକାଶରେ, ମେରୁର ତଳିପା ଛୁଇଁ

ଶବ୍ଦର ସାମାନ୍ୟ ଘଣ୍ଟା-ଅ ଭ ମ

ସ୍ନାୟୁ ଆଉ ଚେତନାର ଗାଥା

ସବୁ ‘ତେନ ତ୍ୟକ୍ତେନ ଭୁଂଜିଥା’ ॥

 

ସଂଘର୍ଷ ଓ କକ୍ଷଚ୍ୟୁତି

ତାରା ଧୂଳି ଆକାଶର ଶୂନ୍ୟ ଇଲାକାରେ

ଅୟୁତ ସୂର୍ଯ୍ୟରେ ଛାଡ଼ି ବିନ୍ଦୁ ବିନ୍ଦୁ

ଆଲୋକ-ବର୍ତ୍ତିକା

ଖୋଜି ଖୋଜି ମୂଳାଶ୍ରୟ

ଖୋଜି ଖୋଜି ପ୍ରଥମ ଲିପିକା

ଭଙ୍ଗାତୁଟା ସ୍ଵରବର୍ଣ୍ଣ, ‘କ’ ‘ବ’ ‘ଚ’ ଯେତେ

ପୋଡ଼ା ବତୀ, ପୋଡ଼ା ମନ ଫିକା ॥

 

ତା’ ଭିତରେ କେଉଁ ଏକ ଛୋଟ ମୁହୂର୍ତ୍ତରେ

ସ୍ଵପ୍ନ ଦେଖା......

ଆଖିର ହ୍ରଦ ପଛରେ କା’ ଉଦ୍‍ବିଗ୍ନ ଛାଇ

ପଞ୍ଚଭୂତ ଦେହ ତଳେ କେଉଁ ସ୍ଵପ୍ନ ବାଇ !!

Image

 

ପାଲୁର୍-ପ୍ରୟାଗୀ, ଗୋଟିଏ ଅପରାହ୍‍ଣ

 

ପାଣି, ମାଟି, ଆକାଶର ବୈଠକଖାନାରେ ବସି

ଆଡ଼୍ଡ଼ା ମାରି, ଲୁହଝାରି ଦ୍ୱିପ୍ରହର ଏମିତି କଟିବ ॥

 

ସନ ତେରଶ ସତାବନ, ବୈଶାଖ ତେଇଶି ଦିନ

ଉଦ୍ୟ ହେଲେ ଦେବ ଦିବାକର,

ଅଚିହ୍ନା ସ୍ଵର କାହାର କାନରେ ଲହଡ଼ି ଭାଙ୍ଗେ

ଏଠି ନୁହେଁ ବାଇମନ ଚାଲ ଅନ୍ୟ ସ୍ଥାନ ॥

 

କେମିତି ଉଜାଣି ଡାକ, ଖରାରେ ଅତୀତ ଜଳେ

ମଲାଦୁବ ମୋ ସ୍ନାୟୁରେ ହୁଏ ଛଟପଟ,

ଛତ୍ରପୁର ଫାଇଭ୍-ଅପ୍, ଋଷିକୂଲ୍ୟା ଓ ତା’ପରେ ହୁମା

ବାଟଯାକ ମନର ଡୁଂଡୁଂଗା ବାଜେ, ରଣ କୁହୁଡ଼ି ଭିତରେ

ପଙ୍କୁଆ ପାଣି ଅରାଏ । କଳା କଳା ମୃତ୍ୟୁର ମଇଁଷି

ସ୍ନାନ-ତର୍ପଣ ନିରତ ! ସ୍ମୃତିର ଖଣ୍ଡିଆ କାଚ ମତେ ଖେଞ୍ଚା ମାରେ

ମରୁ ନେଇଁ, ବଞ୍ଚୁ ନେଇଁ ଦହଗଞ୍ଜ କରି ମତେ

ମାଇକିନା ଖାଇଗଲା । ବିସ୍ଫୋରଣ ନ ହେଉଣୁଁ

ଆଗ୍ନେୟଗିରି ହଠାତ୍ ଶାନ୍ତ ହୁଏ । ଗିଅର ଗର୍ଜନ

ତଳେ ବା’ଘର ନହବତ, ସ୍ନାୟୁର ଗମ୍ଭୀରା ବୁକେ କ୍ଷୀଣ ଦୀପଟିଏ ॥

 

ବରଂ ଭଲ ଦି’ପାଖର ଗଦାଗଦା ମୋରମ ଓ ପଥର ଦେଖିବା

ଆଉ ସେମାନଙ୍କ କଥା, ନେଳିଆ ପାହାଡ଼ କଥା

ଦୁଇଟି ଧକ୍‍କା ଭିତରେ ସାମାନ୍ୟ ଭବିବା

ସହାନୁଭୂତିର ସହ । ନ ହେଲେ ଏ ବଣିଛୁଆ

ଛେଳି ପଲ ସିଜୁବୁଦା ଇତ୍ୟାଦି ଇତ୍ୟାଦି

ଯଥେଷ୍ଟ ଭାବନା ପାଇଁ କଞ୍ଚା ମାଲ, ଖରସ୍ରୋତା ଆଲୁଅର

ଘୂର୍ଣ୍ଣିରେ ଡୁବିବା ଆଗୁଁ, ଅନ୍ୟ ସ୍ଥାନ ଭେଟିବା ପୂର୍ବରୁ ॥

 

ତା’ପରେ ଦ୍ୱିପ୍ରହର ଭେଟହେଲା ।

ଅରକ୍ଷ ଅର୍ଖିତ ଅରି ବିଚାରାଟି ଗଡ଼ଘାଲି ଶୋଇଥିଲା

ବାଲି ଛିଣ୍ଡା-କାନି ପାରି ପାଲୁର୍ ଓ ପ୍ରୟାଗୀର

ନୋଳିଆ ବସ୍ତି ଦାଢ଼ର କିଆବୁଦା ମୂଳେ ॥

 

ଝାଡ଼ିଝୁଡ଼ି ହେଇ ଉଠି ଆଖିମଳି ସାମ୍‍ନା କଲା

ଆଉ ଆମ ହାତଧରି ବାଟ କଢ଼େଇଲା

ଝାଉଁବଣ, କିଆବୁଦା, ଗୁଡ଼ଙ୍କକ ଓ ବିଲୁଆ

ଆଖିବୁଜି ସେତେବେଳେ ନାମ ଜପୁଥିଲେ,

ଆକାଶ ସହସ୍ର ନାମ, ସମୁଦ୍ରର ଅଷ୍ଟୋତ୍ତର ଶତନାମ;

ନାଦବ୍ରହ୍ମ ଆକାଶ ଓ ସମୁଦ୍ରର ନିବିଷ୍ଟ ଖିଆଲ ଭାଙ୍ଗି

ଝାଞ୍ଜିରେ ଘରେ ନ ଶୋଇ ପ୍ରଜାପତି ବୁଲି ଧରୁ ଧରୁ

ମାଡ଼ ଖାଇ, ଲୁହ ସିଂଘାଣି ବୁହାଇ କାନ୍ଦୁଥିଲା

ବୋରା ମାଝି ପୁଅ ଓ ହଠାତ୍ ବିଜୁଳିର ଢେଉଟିଏ

ଚରିଗଲା ଖାଲଢ଼ିପ, ବାଲିକୁଦ, ଅର୍କବୁଦା, ମୃଗତୃଷ୍ଣା ସୁଅ ॥

 

କାଚକେନ୍ଦୁ ମୋ ଦେହରେ ମଧ୍ୟରାତ୍ରି ମାଛଟିଏ

ଡେଇଁଗଲା ଚକ୍ ଚକ୍ ରୂପା ରଙ୍ଗ ପେଟ ଆଉ

କଳା ପାପ ତ୍ରିଭୁଜ ହଲେଇ । ସ୍ମୃତି ବି ଫେରାଇ ଦେଲା

ମୁଁ କିପରି ଝାଉଁବଣ, ଲୁଣିପାଣି, ବାଲିସବୁ ଠେଲି ଠେଲି

ପାଇଥିଲି ଅରାଟିଏ ମିଠାପାଣି । ମୋ ବାଲିହରିଣ ॥

 

ଜୁଆରର ଜର ଏବେ ଓହ୍ଲେଇ ଫେରିଗଲାଣି

ଝାଳରେ ଗାଧେଇ ଏଇ ନିଛାଟିଆ ବେଳାଭୂଇଁ କରମୋଡ଼େ

ନିଦରେ ବିଳିବିଳାଏ “ମୋ ବାଲିହରିଣ

ମୋ ବାଇଆମାଳି, ମୋର ଅନ୍ଧର ଲଉଡ଼ି, ମୋର ଦରିଦ୍ରପସରା”

ମୋ ସେଇ ବେଳାଭୂଇଁ । ଆପଣା ବାଲିରେ ବସି ମୁହଁକୁ ତଳକୁ ପୋତି

ନଖରେ କାଟୁଛି ଗାର, ବ୍ରହ୍ମା ବିଷ୍ଣୁ ଆଉ ମହେଶ୍ୱର-

ତିନୋଟି ଶୂନ୍ୟତା । ତମ ପାଇଁ, ମୋ ପାଇଁ ଓ ସମୁଦ୍ର ପାଇଁ

ଆଉ ଏ ଆକାଶ ? ତା’ପାଇଁ ମୋର ଚିନ୍ତା ନାଇଁ ॥

 

ସମୁଦ୍ରକୁ ଫେରାଇଲି ମୋର ବାଲି, ମୋର ଜ୍ଵର ଓ ମୋର ମଧ୍ୟାହ୍ନ

ଫେରାଇଲି ମୋ ହାତ-ଉଧାରି ଦିନ, ସୁଧମୂଳ ଆବେଗର ଋଣ

ସେତେବେଳେ ଦ୍ଵିପ୍ରହର ଧୀରେ ଧୀରେ ଜଳି ଯାଉଥିଲା ॥

 

ହେ ବାଲିହରିଣ ମୋର, ମୁଁ ଏଠି କାକୁସ୍ଥ ଭାବି

ଡେଇଁଗଲା ପରେ ସେଇ ସାମ୍‍ନାର ବାଲିକୁଦ

ଗୋଡ଼ ଭାଙ୍ଗି ଛୋଟେଇ ଛୋଟଇ ତମେ

କେଉଁଠି ଚାଲୁଛ ? କେଉଁଠି ସେ ମଧ୍ୟସ୍ଵର୍ଗ

ଗତି ଯହିଁ ସ୍ଥୂଳ ହେଇ ବସ୍ତ ହୁଏ

ଉଦ୍ଦାମ ଉଚ୍ଛ୍ଵାସ ହୁଏ ପ୍ରଶାନ୍ତ ପ୍ରାର୍ଥନା ॥

 

ତମରି ଜଖ୍‍ମୀ ଗୋଡ଼ ଆଉ ତା’ର ଭଙ୍ଗା ଛନ୍ଦ

ମୋ ଭିତରେ ଲୁହ ଓଟାରୁଛି । ସାବ୍‍ଜା ନେଳିଆ ବଣ

ଆକାଶ ମେଘକୁ ଟାଣି ଝରାଏ ଯେମିତି ॥

 

ଅନିଶ୍ଚିତ ରେଳଡାକ, ସମୁଦ୍ର ଗୁଡ଼େଇ ଚାଲେ କାଚ

ରୁଣୁଝୁଣୁ କରି ବାସି ଶେଯ, ମସିଣା ଓ ହେଁସ

ହଠାତ୍ ପଡ଼ିଲା ମନେ କଳିଷଠା ଷାଠିଏ ବରଷ ॥

 

କିନ୍ତୁ ଏ ଜଖମୀ ଗୋଡ଼, ଭଙ୍ଗା ଅଣ୍ଟା ନେଇ

କେବେ ହେଲେ ବିଛଣାରୁ ଉଠି ପାରିବିନି

ସଂଜ ହେଉ, ରାତିହେଉ, ଖରା ଯାଇଁ ତରାହେଉ

କାଳେ ଛୁଆଁ ହେବା ଡରେ ମାଆ କତି କତି ହେବି

ପାହି ଛାଡ଼ି ଯାଇ ପାରିବିନି ॥

 

ଯଦିଓ ଜିପ୍ ଗିଅର୍ ଗର୍ଜି ଉଠେ

ରାସ୍ତାକର ଗଛମାନେ ସୁଅ ହୋଇ ପଛକୁ ଧାଆନ୍ତି

ଓ କିଏ ହଠାତ୍ କହେ ଇଏ ହୁମା ।

ସିଟି ଦେଇ, ସେଭେନ୍ ଡାଉନ୍ ବେଗେ ଚଳିଗଲା

ଛତ୍ରପୁର ଷ୍ଟେସନରେ ପ୍ରବେଶ ହୋଇଲା

କିଏ ଫେରୁ ବା ନ ଫେରୁ ଖରାର କି ଯାଏ ଆସେ ?

ଦ୍ଵିପ୍ରହର ଏମିତି କଟିଲା ।

Image

 

କୌଣସି ଏକ ସହର ବିଷୟରେ

 

ମୁଁ ଯେଉଁ ସହର କଥା କହିବାକୁ ଯାଉଛି ଏଇନେ

ତା’ର ଏକ ବ୍ୟକ୍ତିଗତ ନାମ ବୋଧେ ନାହିଁ

କିନ୍ତୁ ଏ ସହର ଜାଣ ତମ, ଆମ ସଭିଙ୍କ ସହର

ଆମ ସ୍ଥିତି ଚାରିପଟେ ଏ ବୁଣିଛି ସୁକ୍ଷ୍ମ ତା’ର ଉର୍ଣ୍ଣନାଭ ଜାଲ ॥

 

କେହି କେବେ ଜାଣିଛି କି ମାଛ ପାଇଁ ଜାଲ

ଅବା ଜାଲ ପାଇଁ ମାଛ

ସତ କହିବାକୁ ଗଲେ ଆମେ ଏହି ସହରର କ୍ରୀତଦାସ

ଏ ସହର ନିତାନ୍ତ ଆମର

ସହରର ଜୀବନରେ ଯେତେ ଛାଇ ସେତେ ଆମ ମନର ପାହାଚ ॥

 

ଏ ସହର ଏକାବେଳେ ଦୁଇଗୋଟି ନାରୀ

ଗୋଟିକର ଭରା ସ୍ଵାସ୍ଥ୍ୟ ସାରା ଦେହ ପୂରିଲା, ପୂରିଲା

ଅଙ୍ଗେ ଅଙ୍ଗେ ପାଟଶାଢ଼ୀ, ପୀନ ପୟୋଧର ଜଡ଼ି

ନୋଥ, ବଳା, ମଥାମଣି, ପାହୁଡ଼, ନୁପୂର

ଅଣ୍ଟାସୂତା, କଙ୍କଣ, କେୟୂର,

ଯେ ଆସେ ସ୍ଵାମୀର ପାଶେ ରୁମୁଝୁମୁ ପାଦଚାଲି

ସମସ୍ତ ଜଞ୍ଜାଳ ପରେ ନୀରବିତ ରାତିର ଅନ୍ଧାରେ

ଅପେକ୍ଷମାଣ ବେଳାକୁ, ପୁରାତନୀ କବାଟକୁ

ନିଃଶବଦେ କିଳି ଧୀରେ ଧୀରେ ॥

 

ଆରେକର ‘ହୁଲାହୁପ୍’ କ୍ଷୀଣସ୍ଵାସ୍ଥ୍ୟ, କ୍ଷୀଣକଟୀ ଓ ତନୁପାତଳୀ

ଲିପ୍‍ଷ୍ଟିକ୍-ମଖା ଆଉ ଅହର୍ନିଶି ଲାସ୍ୟମୟୀ

କ୍ଳବଘରେ, ପାର୍କରେ ଆଭରଣହୀନା ସେଇ ଉଛୁଳା ବାଙ୍ମୟୀ

ଓଟାରେ ସବୁରି ମନ ତା’ ଦେହ ଦେହଳୀ ॥

 

ଏ ସହର ରଖିଅଛି ତା’ ପେଡ଼ି ପେଟରା ତଳେ

(ସେ ଅନେକ ଦିନକଥା ଯେଉଁ ଦିନ ବାଜିଥିଲା

ତା’ରି ପାଇଁ ବାହା ନହବତ)

ହାଡ଼ମାଳ, ଭଙ୍ଗାସ୍ଵପ୍ନ, ଝରାଫୁଲ, କ୍ଷୟିଷ୍ଣୁ ଆବେଗ

ଏ ସହର ହୋଇପାରେ ଚେଳିତାଳୋ, ତାମ୍ରଲିପ୍ତ ବା କତିକର୍ଦମ,

ଦନ୍ତପୁରୀ, ଏଥେନସ୍, କଟକ ବା ରୋମ୍

ପାଣ୍ଡୋରା ବାକ୍ସରେ ତା’ରି ଅଛି ଖାଲି

ମୃତଧୂଳି; ଛିନ୍ନ ସ୍ନାୟୁ ଆଉ ଶୁଷ୍କ ମେଘ ॥

 

ଆମ ଏ ସହର କୋଠା, ନଭଶ୍ଚୁମ୍ୱୀ ଅଟ୍ଟାଳିକା, ହର୍ମ୍ୟ ଓ ପ୍ରାସାଦ

ଧାନଗୋଦାମ ଭିତର ନଦାନଦି ତା’ ଉପର ତା’ ଉପର ବସ୍ତା

ଟ୍ରାମ, ବସ୍, ରିକ୍ସା, ଆଉ ଘୋଡ଼ାଗାଡ଼ି ଚଢ଼ି

ପେଣ୍ଟ୍‍ କୋଟ୍‍ ପରିହିତ ଧଳାମୂଷା ପରସ୍ପରେ ହଠାତ୍ ହାବୁଡ଼ି

ଚେଁ, ଚାଁ ଶବ୍ଦ କରି ଧାନ ବୋହି ନେଇ

ଏଣେ ତେଣେ ଧାଇଁ ଖାଲି ହୁଅନ୍ତି ହୀନସ୍ତା ॥

 

ଆଉ ଏଇ ସହରର ରାସ୍ତା ଏବଂ ରାସ୍ତାର ଟ୍ରାଫିକ୍

ସିଲଟ ଉପରେ ସତେ ମନଇଚ୍ଛା ଖଡ଼ି ଘଷି ଘଷି

ତିଆରିଛି ତିନିବର୍ଷ ବୟସର କୌଣସି ବାଳକ ॥

 

କଫିରଙ୍ଗ କାଦୁଅରେ, ରାସ୍ତା ଛାତି କାଦୁଅ ପାଣିରେ

ମୁହଁ ଦେଖେ ଆକାଶର କୁଟା-ରଙ୍ଗ ମେଘ

ଆଉ ଅକସ୍ମାତ୍ ବିଜୁଳି ଝଲକ

ସେଥିରେ ସିଂଘାଣି, ପେଜ, ପ୍ରାର୍ଥନା ଓ ଦୁବଘାସସବୁ ଯାଏ ମିଶି

ଠେଲାଠେଲି, ପେଲାପେଲି ସଂଖାହୀନ

ଦେହ ଆଉ ମନ ଓ ବିବେକ ॥

 

ଘୋଡ଼ାଗାଡ଼ି ଚଢ଼ି ଏଠି ପହିଲି ଫଗୁଣ ଆସେ

ଅପ୍ରତ୍ୟାଶିତ ଆପଣା ଉପସ୍ଥିତି ମାଇକ୍‍ରେ କରାଇ ପ୍ରଚାର

ସମସ୍ତେ ହଠାତ୍ ତେବେ ଅଚାନକ ବଉଳନ୍ତି ଆମ୍ୱଗଛ ପରି

ପତ୍ରର ମର୍ମର ନାହିଁ, ପକ୍ଷୀ ପକ୍ଷଝଡ଼ା ନାହିଁ

କ୍ଷୋଭରେ ପୀତାଭ ଆମ ସହରର ମୃତାକାଶେ

ହଠାତ୍ ବସନ୍ତ ଆସେ, ସଙ୍ଗେ ଧରି ପାତ୍ର, ମନ୍ତ୍ରୀ, ଦାସୀ ପରିଚାରୀ ॥

 

ସେଇମିତି ନିଦାଘରେ ମହାରତି ସଙ୍ଗମରେ

ଏ ସହର ପୋଡ଼େ, ଜଳେ ପାଉଁଶ ପାଲଟେ

ରତିକ୍ଳାନ୍ତ ତନୁ ନେଇ ତମ୍ୱାଟିଆ ଏ ଅତନୁ

ଶୁଏ ପୁଣି ଗହମ ନିଦରେ ॥

 

ପରିତ୍ୟକ୍ତ ଅନାଦୃତ ଗଳିକୋଣୁ ଆଷାଢ଼ ଅନ୍ଧାର ଆସେ

ଛକି ଛକି ଲଜ୍ଜାହୀନା ରୂପଜୀବୀ ସହର-ଗଣିକା

ଅପ୍ରସ୍ତୁତ ପଥିକରେ ମହାଯୌନ ଆଶ୍ଳେଷରେ

ଗ୍ରାସିଦିଏ ସତେ ଯେହ୍ନେ ରାହୁ ଓ ଚନ୍ଦ୍ରିକା ॥

 

ପୁରାତନ ଗଡ଼ଖାଇ, ଭଗ୍ନ ସ୍ତୂପ, ବିଜୀର୍ଣ୍ଣ ପ୍ରାସାଦ

ନିଜ ଅସହାୟତାରେ ଲଭି ଅବସାଦ

ଶିଉଳି ଦାଢ଼ିରେ ଖାଲି ହାତମାରି ବରଷା ସଂଜରେ

ସହର ଶିଶୁରେ କହେ କେତେ କଥା, କେତେ ଆଖ୍ୟାୟିକା

ଭଙ୍ଗା କାନ୍ଥ, ଯୋଡ଼ା ମନ ନିଜ ହୃଦ ଶହେ ତାଳିପକା ॥

 

ସକାଳର କୁହୁଡ଼ିରେ ଏ ସହର ବସି ଦେଖେ ନିଜମୁହଁ

ନଈର ଦାଢ଼ରେ

ଟୁପ୍ ଟାପ୍ କାକରରେ ଶୀତଳ ପେଭ୍‍ମେଂଣ୍ଟ ଶୁଏ

ମୁହଁ ଗୁଞ୍ଜି ହଂସପରି ଆପଣା ବେକରେ

ବିଛଣାରେ ମିଛେ ମିଛେ ପଡ଼ି ରହି

ଅଳସ କନ୍ୟା ସେ ଭାବେ ସତେ ଅବା ଭଙ୍ଗା ସ୍ଵପ୍ନ କଥା

(କେଉଁ ନଷ୍ଟ ତାରା ଜଳେ ତା’ ଅନ୍ଧାରୀ ମନ ତଳେ)

ଅବା ନିଜ ବ୍ୟଭିଚାରେ ନୁଆଁଏ ସେ ମଥା ॥

Image

 

ରୋଗଶଯ୍ୟା

 

ଏବେ ବିଶ୍ଵାସ ହଉଚି ମତେ ତମେ ଗଢ଼ିଥିଲ

ତମରି ଝଂକା ଗଛରୁ ଡାଳୁଟିଏ ହାଣି

ବାରିଶି ନିହାଣ ଆଉ ମୁଗୁରରେ ତଞ୍ଛାତଞ୍ଛି କରି ॥

 

ଏବେ ସତ ମନେହୁଏ ହୋଇପାରେ ତମରି ମାଟିରୁ

ପୁଳାଏ କାଦୁଅ ନେଇ ଚକାରେ ବସେଇ

ତମେ କେବେ ଗଢ଼ିଦେଇ ନିଶ୍ଚିନ୍ତରେ ପୁଣି ଭୁଲିଗଲ

ମୁଁ ଭାଟିରେ ଜଳିଲି କି ବଦରିକା ବାହାରିଲି

ଉଦ୍ଧବ ମୁଣ୍ଡରେ ବସି ପ୍ରତ୍ୟୟର ବୋଝ,

କି ଅବା ଛତରଛାଳ ଗାଁ ମଶାଣିରେ

କୋଉଠି ସେ ମୂଳବସ୍ତୁ ବିମ୍ୱର ସଭାରେ ॥

 

ସେଥିପାଇଁ ବୋଧହୁଏ ତମପରି ମୁଁ ମୋର ଶୋଇ ରହେ

ଚୁପ୍ ହୋଇ; ମୋ ଦଦରା ଭଙ୍ଗା ଖଟିଆରେ

ତକିଆରେ ମୁଣ୍ଡ ପୋତି ପୃଥିବୀ ଉଝାଳେ,

ପୁଣି କେବେ ଶୋଇ ଶୋଇ ଚିଟା ଲାଗେ,

‘ସଂଜବତୀ ଜଳିଲାଣି, ଟିକେ ଉଠି ବସ ବା’ବୁ’

ବୋଉର ଡାକରେ; ଉଠିଆସି ବସେ ଟିକେ ସାମନାର

ଟିଣ ଚଉକିରେ ॥

 

ପିଲାଦିନେ ସେଇକଥା ଦେଖିଥିଲି । ପ୍ରତିହାରୀ ହାତରେ ବଇଠା ଧରି

ଯାଂଚ୍ କରେ ତାଲା ଆଉ ମୁଦ ଏବଂ ତମକୁ ଜଗାଏ

ଛାମୁଦୁଆରେ ହକାରେ, ମଣିମା, ମଣିମା, ଆଉ ତମେ

ରତ୍ନପଲଙ୍କରୁ ଉଠି ବିଜେକର ରତ୍ନବେଦୀ ପରେ

ନଅଟି ବଇଠା ଜଳେ, ହାତ ମୁହଁ ଧୋଇବାକୁ

ଗରାବଡୁ ପାଣି ରଖେ ରତନ ଝରିରେ

ବାହାରେ ଦିନଟି ଆସେ କର୍ପୁର ପିଠଉବତୀ ଆଳତି ସଂଭାରେ ॥

 

ମୋର ମଧ୍ୟ ବେଶୀ ଜାଗା, ଚରାଭୁଇଁ କ’ଣ ଲୋଡ଼ା

ଯଥେଷ୍ଟ କେଇ ପହୁଣ୍ଡ ଖଟରୁ ଚୌକୀକୁ

ଯଥେଷ୍ଟ ଦଶ ଫୁଟରେ ବାର ଫୁଟ ଇଟା ଓ କଂକ୍ରିଟ୍

ଛୋଟ ଛୋଟ ଖଂଜ ପାଦ ନେଇ ଅବା କାହିଁକି ମୁଁ

ବାବନାଭୂତର ପରି, ୟା ଉପରେ ତା’ ଉପରେ ଭରା ଦେଇ

ଏତେ ବଡ଼ ପୃଥ୍ଵୀରେ ବୁଲିବି

ସବୁବେଳେ ଚିନ୍ତା କରି କେତେବେଳେ କରୁଣା କଣିକା

ମିଳିଯିବ, ଲଂଘିଯିବ ପଙ୍ଗୁଟିଏ ଗିରି ॥

 

ବେଶ୍ ଭଲ, ବର୍ଷକରେ ଥରୁଟିଏ ଯିବ ବୁହା ହେଇ

କାହାଳି, ମାଦଳ, ଆଉ ତେଲିଙ୍ଗି ବଜେଇ

ତମ ପରି ନନ୍ଦିଘୋଷ ରଥେ

ଆବେଗ ଓ କଳ୍ପନାର ମୋଟା ମୋଟା ଦଉଡ଼ାରେ

ଟଣା ହେବି ପୃଥିବୀର ଉଦାସୀନ ବଡ଼ଦାଣ୍ଡ ପଥେ ॥

 

ଝରକା ଓ ଦରଜା ବି ଏଠି ବନ୍ଦ ବାହାରେ ପୃଥିବୀ

ଖରକା ହେଇ ପଦାରେ ଧୁଳି ଆଉ ମଇଳା ମୁହୂର୍ତ

ତମେ ମଧ୍ୟ ସମୁଦ୍ରର ଦାବୀଠାରୁ ଆପଣାକୁ ଦୂରରେ ରଖିଚ

କି ଲୀଳା ହେ ମହାବାହୁ ପାଚିରୀ ତମର ସତେ

କେଡ଼େ ଦମ୍ଭ, କେତେ ଯେ ବଧୀର, ସବ୍ଧ ଆଉ କେଡ଼େ ଉଞ୍ଚ

ସମୁଦ୍ରର ଏତେବଡ଼ ପାଟିତୁଣ୍ଡ, ଡାକହାକ ସବୁ ସେଠି ସତେ ଅପହଞ୍ଚ ॥

 

ମୋର ମଧ୍ୟ ଚଷମାର କ’ଣ ଲୋଡ଼ା

ଦଶଫୁଟ ବାରଫୁଟ ଆଖିଡ଼ୋଳା ସହଜରେ ପହଞ୍ଚି ପାରୁଛି

କାଚ ଯୋଡ଼ି ଆଖି ମିଟି ମିଟି କରି ଦେଖିବାର ବେଳ ନାଇଁ

ଏ ଘର ବାହାରେ ଯେତେ ଦୂରରେ ଛବିକୁ

ଡୋଳାମାନେ ଏବେ କ୍ଳାନ୍ତ ଖଟ, ଚୌକୀ, ଦର୍ଜା ଓ ଝରକାଠାରୁ

ଧକ୍କା ଖାଇ ଖାଇ, ପହୁଞ୍ଚି ଓ ପୁଣି ଫେରି ବହୁବାର

ମୋ ଟେବୁଲ ଉପରର ଔଷଧ ଗିଲାସ, ଫଳ, ରେଡ଼ିଓ ଓ ଟେଲିଫୋନ ଠାରୁ ॥

 

ଏତିକି ଦେଖିବା ପାଇଁ ଦି’ଟା ଆଖି କ’ଣ ଲୋଡ଼ା

ଗୋଟିକରେ କାମ ଚଳିଯିବ । ପୃଥିବୀରେ ଦେଖିବାର କ’ଣ ଅଛି

ଥରେ ଦେଖିଲା ଉତ୍ତାରୁ ପୁନରାବୃତ୍ତିର ଅବା କ’ଣ ଲୋଡ଼ା

ଆଖି ବୁଜି ଲୁହ ଝାରି ବସିଗଲେ

ଅନ୍ଧାରରେ ଏ ପୃଥିବୀ ଜକଜକ ବେଶ୍ ଦୁଶୁଥିବ

ମନ୍ଦିରର ଅଭ୍ୟନ୍ତର ଅନ୍ଧାରରେ ରାତିର ସମୁଦ୍ର ॥

Image

 

ଦୁଇଟି ସ୍କେଚ୍

ଦିନର ଷ୍ଟେସନ

 

ଆଲୁଅ ଓ ଅନ୍ଧାରର କ୍ୟୁବ୍ ସବୁ

ଆଖିରେ ଉଡ଼ିଯାଆନ୍ତି

ଚିଲ ପରି, ଭୂଇଁ ଦୁଲୁକାଇ

ସେମାନେ ଅଚିହ୍ନା ଆଉ ସାତପର

ଅନ୍ଧାରରୁ ଉଡ଼ି ଆସି ଅନ୍ଧାରରେ ହଜିଯାନ୍ତି

ଭେଟି ଦେଇ ମେଞ୍ଚା ମେଞ୍ଚା କଳା ଧୂଆଁ, କିଛି ନିଆଁ ଗୁଲ

ଛିଗୁଲାଇ ମାର୍ଚ୍ଚିଂ ଗୀତରେ ସେଇ ନିଊନ ଲୋକଙ୍କୁ

ସାବଜା ସିମେଣ୍ଟ ବେଞ୍ଚ ଟିକେଟ୍ର କାଉଣ୍ଟର୍ ଓ କୃଷ୍ଣଚୂଡ଼ାକୁ

ଭାଗ୍ୟ ଯେଉଁମାନଙ୍କର ପାଷାଣୀ ଅହଲ୍ୟା ହୋଇ ଖାଲି ଦେଖିଯିବା

ଡାକହାକ, ସାଙ୍ଗସୁଖ, ଅନ୍ୟମାନଙ୍କର ଯେତେ ଯିବା ଓ ଆସିବା ॥

 

ଆଉ କେବେ ସହାନୁଭୂତି ଦେଖାଇ ସେଇ ଅଭାଙ୍ଗାକୁ

କ୍ୟୁବ୍‍ମାନେ ମୁହଁରେ ମୁହଁକୁ ଯାକି ଥମିଯାନ୍ତି

ସୁଖଦୁଃଖ ହାନିଲାଭ ପାଞ୍ଚ କଥା ବୁଝୁ ବୁଝୁ

ହଠାତ୍ ଡାକରା ଶୁଭେ ଓ ନେଳିଆ ଲୁହା ଧାରଣାରେ

ପଲେ ହଂସ ଛୁଆ ପରି ତା’ ପଛକୁ ପଛକୁ

ଗଡ଼ି ଗଡ଼ି ଚାଲିଯାନ୍ତି ସେମାନଙ୍କୁ କିଏ ସେ ଘୋଷାରେ ?

 

ବାର ଜାତି ଚଢ଼େଇଙ୍କ ସଂଗୀତରେ ନୂଆଁଣିଆ ଝଂକା ଗଛ

ନରଖର ଧ୍ୟାନମଗ୍ନ ଥୁଣ୍ଟା ଗଛ ଉଭୟ ଭିତରେ

ଯେତେବେଳେ ଅଜାଣତେ ରେସ୍ତୋରାଁର

ଚା’ କପ୍, ମ୍ୟାଗାଜିନ୍ ଚିଡ଼ିମାଡ଼େ

ଇଚ୍ଛାହୁଏ ଚିହ୍ନାମୁହଁ ନିକୁଟେଇ ଖୋଜେ

‘ଅ ଆ’ ଯୋଡ଼ିଏ ଚିହ୍ନା ଅକ୍ଷର

ଝିଅ ମୋର ଖୋଜୁଥାଏ ଏଡ଼େ ନମ୍ୱା ଖବର କାଗଜେ ॥

 

ଯେତେବେଳେ ଦିନ ବେଶ୍ ବାକୀ ଥାଏ

ସଂଜ ଥାଏ ଦୂରେ । ଆଲୁଅ ଓ ପବନରେ ଛାଇମାନେ

ଝୁଲୁଥାନ୍ତି, କୃଷ୍ଣଚୂଡ଼ା ଲାଲ ହୋଇ ଜଳେ

ବିଶ୍ରାମ ଓ ବିରାଗର, ନର୍କ ଓ ପାପର ପୃଥ୍ଵୀ ଦୂରେ ଥାଏ

ସିମେଣ୍ଟ ବେଞ୍ଚରେ ବସି ଟିକି ଚଢ଼େଇଟି

ସଂଗୀତରେ ସମୟର ନଈକି ଓଗାଳେ

ମୋର ମଧ୍ୟ ଇଚ୍ଛାହୁଏ ମୁଁ କୁଆଡ଼େ ପଳେଇବି

ଏଡ଼େ ନମ୍ୱା ଗାଡ଼ିଟିର ଯେ କୌଣସି କୋଠରୀରେ ପଶିଯିବି

ଓ କହିବି ଆରେ ବାବୁ ମତେ ଏଠୁ ନେଇଚାଲ

ଯୁଆଡ଼େ ତୋହରି ଇଚ୍ଛା, ମୁଁ ଘୁରି ବୁଲିବି

ବିଲ, ବଣ, ପାହାଡ଼ ଓ ବିରି, ମୃଗ, ସୋରିଷ କିଆରୀ

ବଉଦ ବା କଙ୍କି ପରି ହାଲୁକା ହୋଇ,

ଭାରି ହୋଇ ଲୁହା ଓ ଇସ୍‍ପାତ ପରି

କଳଙ୍କି ଧରିବା ଆଗୁ । ଢୋଳାଇବା ପୂର୍ବରୁ କାହାର

ପରିତ୍ୟକ୍ତ ଲୁହା ଧାରଣାରେ, ହୁଏତ ବା ମନେ ପଡ଼ୁଥିବ

ଦୁଇ ଏକ ଚିହ୍ନା ମୁହଁ, କୃଷ୍ଣଚୂଡ଼ା ଓ ଟିକି ଚଢ଼େଇ ॥

 

କିନ୍ତୁ ମୁଁ କାନ୍ଦିବି ନାହିଁ ତାଙ୍କପରି ଛୋଟ ପିଲାପରି

ଦୃଢ଼ ଦାବୀ ସତ୍ତ୍ଵେ ଯଦି ପ୍ରଦର୍ଶନୀ ମଣ୍ଡପରୁ କିଣା ହେଲାନାହିଁ

ସେ ଜୋକର ବୁଢ଼ା ଯିଏ ଜରିର

ପୋଷାକ ଆଉ କାନରେ କୁଣ୍ଡଳ ନାଇ

ମୁଣ୍ଡକୁ ହଲାଏ ଓ ପିଲାଟି ତାକୁ ଆଉ ଜୀବନରେ

କେଉଁଠି ଭେଟିବ ନାଇଁ ବୋଲି କାନ୍ଦେ କଇଁ କଇଁ “ସୁମରି ସୁମରି”

 

କାରଣ ମୁଁ ଦେଖିପାରେ ମୋର ଭାଗ୍ୟ ନିଷ୍ଠୁର ନିୟତି

ସଂଜହେଲେ ଅନ୍ଧାରରେ ଫେରିବି ମୁଁ

ସେ ପୁରୁଣା କୃଷ୍ଣଚୂଡ଼ା ଗଛ ଆଉ ପ୍ଳାଟଫର୍ମ ସିମେଣ୍ଟ ବେଞ୍ଚକୁ

ମେଦିନୀ କମ୍ପାଇ ଯେବେ ଆଲୁଅର କ୍ୟୁବ୍‍ମାନେ

ପୁଣି ଆସି ଛିଡ଼ା ହେବେ, ମୁଁ ପୁଣି ଆସି ଛିଡ଼ା ହେବି

ମ୍ୟାଗାଜିନ୍ ଚାହା କପ୍ ଛାଡ଼ିଦେଇ ଭଙ୍ଗା ଅଣ୍ଟା ସଳଖେଇ

ଦବିଯିବା ଗୋଡ଼ ଦୋ’ଟି ଦମ୍ଭ କରି ସିମେଣ୍ଟରେ ପୋତି

ଓ ଭିତରୁ ହୁହୁ ମାଡ଼ି ଆସୁଥିବା ଗୋଟେ ପିଣ୍ଡୁଳାକୁ

ତଣ୍ଟିରେ ଯାବ ପକେଇ ।

ହଲେଇବି ନୋଚାକୋଚା ରୁମାଲକୁ ମୋର

ଦୁଇ ଏକ ଚିହ୍ନା ମୁହଁ ଆଉ ବେକ

ଆଲୁଅର କୋଠରୀରୁ ଶୂନ୍ୟତାର ଅନ୍ଧାରକୁ ଲମ୍ୱିଯିବେ

ଓ ତା’ପରେ ଖାଲି ରାତି, ଶୂନଶାନ୍ ପ୍ଳାଟଫର୍ମ ବେଞ୍ଚ

କୃଷ୍ଣଚୂଡ଼ା କ୍ୟୁବ୍ ସବୁ ଗୀତ ଗାଇ ଗଡ଼ିଯିବେ ସମାନ୍ତର

ରେଖା ମାନି ଦୂରୁ ବହୁଦୂର ॥

 

ରାତିର ଷ୍ଟେସନ

 

ଦୂରରେ ନୂଆ ଶିଖାଳି ଛୋଟ ଝିଅ ‘ଗୀତ-ସାର୍’ ଚାଲିଯିବା ପରେ

ଅହେତୁକ ଦୁଷ୍ଟାମିରେ ନିଷାଦ, ୠଷଭ, ଶୁଦ୍ଧ କୋମଳର ସୂତ୍ର ସବୁ

ପିଠି ପଟେ ରଖି ହାର୍ମୋନିୟମ ରିଡ୍‍ଟିଏ

ଚାପିଧରି ସ୍ଵରଟିକୁ ଜୀବନ୍ୟାସ ଦିଏ

ଗମ୍ଭୀର ‘ସା’ ଟି ତା’ର ପାପୁଲି ଆଉଁସା

ପାଇ ତୋଫା ଧଳା ପାରା ହୁଏ

କୃତଜ୍ଞ ବେକ ଲମ୍ୱାଏ ହଠାତ୍ ଉଡ଼ିଯାଏ ତୀର ପରି ଦୂର ଦିଗନ୍ତକୁ ॥

 

ଆଉ କେବେ ଅନ୍ଧାରୀ ବନସ୍ତେ ଶୁଭେ ମିଳିତ କଣ୍ଠରେ

ଦୀର୍ଘ ହମାରଡ଼ି କରି ଏକାବେଳେ ଚାରି ପାଞ୍ଚ ଗାଈ

ହଠାତ୍ ତାଟକା ହୋଇ ଊର୍ଦ୍ଧଶ୍ୱାସେ ଗଲେ କି ପଳାଇ ? ॥

 

ପାଖରେ ପହଞ୍ଚିଗଲେ ଦେଖାଯାଏ ରାତି ଅନ୍ଧାରରେ

ପରିତ୍ୟକ୍ତ ଲୁହା ଧାରଣାରେ ଶୋଇ କଳା କଳା

ମଇଁଷିମାନେ ତିନ୍ତତି ଝିପିଝିପି ବରଷାରେ

ସମାନ୍ତର ଦୁଇଟି ରେଖାରେ

ଆଗପଛ ଘୋଷରା ଓଟରା ନାହିଁ

ସିଟି ଆଉ ସିଗ୍‍ନେଲର

କ୍ଲାନ୍ତି ଓ ବିରକ୍ତି ନାହିଁ

ବହୁ ପଥ ଭ୍ରମି ଭ୍ରମି

ଏଇନେ ସକଳ ତୀର୍ଥ ତୋହରି ଚରଣେ

ବାର ଅନିଭୋଗ ଦୁଃଖ ପାପରା ଓ୍ୟାଗନ ସହେ

ଆପଣାର କରମ କଷଣ

ଅଜଗର ଗହନ ଅରଣ୍ୟେ ॥

 

ଆଉ କିଏ ଦିଶୁଥାନ୍ତି ଦରମଲା ବତୀତଳ ଛାଇ ଆଲୁଅରେ

ଇଞ୍ଜିନର ତାତିଲା ଆବେଗ ଧକ୍କା ଖାଇ ଖାଇ

ଯୋଡ଼ି ହେବା ଓ ଛିଡ଼ିବା ଭାଗ୍ୟରୁ ପେନସନ୍ ନେଇ

ନିଜ ପଢ଼ା ଘରେ, ମ୍ୟାଗାଜିନ ପଢ଼ୁ ପଢ଼ୁ

ଏଣୁ ତେଣୁ କିଛି ଭାବୁ ଭାବୁ

ହଠାତ୍ ଘୁମେଇଛନ୍ତି ଅଦିନିଆ ବରଷାର ସଂଜୁଆ ନିଦରେ ॥

 

ସହସା ଏ ବିଶ୍ରାମ ଓ ବିରାଗର ଛନ୍ଦ ଭାଙ୍ଗି

ଏକୁଟିଆ ଇଞ୍ଜିନଟେ ଆକୁଳ ଚିତ୍କାର କରେ

ନରକରେ ପାପୀଟିଏ ଟକ୍ ଟକ୍ ଫୁଟୁଥିବା

ତେଲର କୁଣ୍ଡରେ ପଡ଼ି ଛଟପଟ ହେଉଛି କି ? ଅବା ଯମଦୂତ

ଶିମିଳି ଗଛରେ ବାନ୍ଧି ଗଦା ଧରି ପିଟନ୍ତି ନିର୍ଘାତ ॥

 

ଇଏ କ’ଣ ଭୂତଖାନା ? ଚୁପ୍‍ଚାପ୍ ଫୁସ୍‍ଫାସ୍ ଷଡ଼ଯନ୍ତ୍ର

ଶକୁଟା ସେମେଟା କଥା ପଦେ ପଦେ ଶୁଭେ ରହି ରହି

ଅନ୍ଧାର କହୁଛି କଥା, କଥା କହେ ନିଆଁ ଆଉ ପାଣି

ଯମରାଜ କାଶୁଛନ୍ତି, ଚିତ୍ରଗୁପ୍ତ ପୃଷ୍ଠା ଓଲଟାଏ

ବେକରେ ପଥର ବାନ୍ଧି ଚାଲୁଛନ୍ତି ଲମ୍ୱା ଲମ୍ୱା ଛାଇ ॥

Image

 

କୁରୁକ୍ଷେତ୍ର

(ଏକ)

 

ସଂଜର ଖୋଷା ଭିତରେ ଗୋଟିପୋକ

ଘୁମୋଉଥିଲି ଏକେଲା ବାରଣ୍ଡାର ଗୋଟିଏ କଣରେ

ସାମ୍‍ନାରେ ମହାଶ୍ମଶାନ, ଦିନଟିର ଯୁଦ୍ଧକ୍ଷେତ୍ର

କୁହୁଡ଼ି ଓ ଅନ୍ଧାରରେ ନିଭି ଆସୁଥିଲା,

ଆଉ ମୋର ମନେ ହେଲା

କଅଁଳିଆ ସକାଳର ଆଶ୍ରାହୀନ

ଓ ସରଳ ଆବେଦନ

 

କିମ୍ୱା ଭୟଙ୍କର ଦୃପ୍ତ ମଧ୍ୟାହ୍ନର ଆକ୍ରମଣ ଭିନେ କଥା

କିନ୍ତୁ ଏଇ ଦୁର୍ବଳିଆ, ରକ୍ତହୀନ, ଉଦାସ ମଳିନ ସଂଜ,

ଯିଏ ଖାଲି ଚୁପ୍ ହୋଇ ସାମ୍‍ନାରେ ଆସି ଠିଆ ହୁଏ

ତା’ର ଅଦୋଉତି ବଡ଼ ସାଂଘାତିକ । ତା’ ଆଖିକୁ ଚାହିଁ

କି ଅଜଣା ଭୟ ଆସେ, ଅଚାନକ ମନ ଯାଏ ମରି

ଆପଣାକୁ ଆପେ ଲାଗେ ଚୂନଖସା କାନ୍ଥଟିରେ

କୋଉଦିନୁ ଝୁଲୁଥିବା ଜେଜେଙ୍କର ତୈଳଚିତ୍ର ପରି

ଯେତେବେଳେ ବାହାରର ଅନ୍ଧାରରେ

ଜୁଳୁଜୁଳା ପୋକ ଆଉ ଅହେତୁକ ଶୂନ୍ୟତା ଓ ପତ୍ର ସାଇଁ ସାଇଁ

ଶୁନ୍‍ଶାନ୍‍ ଆକାଶରେ ମନ୍ତ୍ରପରି

ଅସ୍ପଷ୍ଟ ସଂଗୀତ ଆଉ ମାଳ ମାଳ

ଅଜଣା ଚଢ଼େଇ ॥

 

ସଜ ଛନ ଛନ ମୋର ସ୍ଵପ୍ନଙ୍କର କବନ୍ଧ ଓ

ହାତଗୋଡ଼ ଛିଡ଼ିଥିବା ନାଲି ନେଳି ମାଦଳ ଆଶାଟିମାନ

ଗଡ଼ୁଥାନ୍ତି । କିଏ ସୁକୁ ସୁକୁ ଆଉ ହାତଗୋଡ଼ ଟିକେ ଛଟପଟ

(କ’ଣ ସାଥେ ନେଇଯିବି ଯେତେବେଳେ ଛୁଟିବ ଏ ଘଟ)

ହତାଶା ଓ ଭୟର ଶାଗୁଣାମାନେ ଖୁମ୍ପୁଥାନ୍ତି ଦୃଷ୍ଟିର ଆଲୋକ

ସନ୍ଦେହର ବିଲୁଆ, କୁକୁର ସବୁ ଦାନ୍ତରେ ରେକୁଟୁଥାନ୍ତି

ସଜମଲା ଶୋକ ॥

 

କିଏ କ’ଣ କହୁଥାଏ,

ଭଙ୍ଗା ଭଙ୍ଗା ଘୋ ଘୋ କଥା ସବୁ

ଆଗ୍ନେୟାସ୍ତ୍ର ପରି

ହଠାତ୍ ଉଡ଼ିଆସନ୍ତି ଓ ଭେଦନ୍ତି ଦେହ

ଓ ମନରେ

ବାକ୍ୟମାନେ କିଳିକିଳା ଭୀମରଡ଼ି, ଶତ ସିନ୍ଧୁଘୋଷ

ଶବ୍ଦମାନେ, ଦିନେ ଯିଏ ପ୍ରଜାପତି ପରି

ଉଡ଼ିଆସି ବସୁଥିଲେ, ଝୁଲୁଥିଲେ ମୋ ସ୍ମୃତି-ଡାଳରେ

ଏବେ ଖାଲି ଝଣତ୍କାର

ଗାଁର ଅପେରା ପାର୍ଟି ଖଣ୍ଡା ଯୁଦ୍ଧ ଆଉ ଶେଷ ଦୃଶ୍ୟ ॥

 

ଏ ମୃତ ଦିନଟା ମୋର

ଏ ଭୀଷଣ ଯୁଦ୍ଧକ୍ଷେତ୍ର ମୋର ଆପଣାର କୃତକର୍ମ

ନିଷ୍ଠୁର ନିୟତି ପୁଣି, ବେଦନାର ପରିଧିକୁ ଡେଇଁ ଯାଇ ପାରିବିନି

ସାମ୍‍ନାରେ ଲକ୍ଷ୍ମଣର ଗାର ॥

 

(ଦୁଇ)

 

ସେ ଆସିଲା, କୁନିଝିଅ, ହାତଧରି ଟାଣି ଟାଣି

ନେଲା ମୋତେ ଆଉ ଗୋଟେ ସମରଭୂଇଁକୁ

ସ୍ମିତର ବିଜୁଳି ତା’ର ଅନ୍ଧାରରେ ବାଟ କଢ଼େଇଲା

ସେ ଯେମିତି ମୋ ମାଷ୍ଟର, ମୁଁ ତା’ର ଅତି ବାଧ୍ୟ ପିଲା ॥

 

ଗଲି ପୋଲ ପାରି ହୋଇ ସରୁଆ ଦଉଡ଼ିଟିଏ ତା’ର କୁନିହାତ

ଲକ୍ଷ୍ମଣର ଗାର ଡେଇଁ, ଡେଇଁପଡ଼ି ବିଷାଦର ଏରୁଣ୍ଡି ବନ୍ଧକୁ

ବାରଣ୍ଡାରୁ କୋଠରୀକୁ, ତା’ର ଭିନେ ସମର ଭୂଇଁକୁ

ବାଉଁଶରାଣୀ କେଳା ମୁଁ ଦଉଡ଼ିରେ ଶୂନ୍ୟେ ଶୂନ୍ୟେ ପାରିହେଲି

ହାତରେ ଜାବୁଡ଼ି ଧରି ତା’ ହସ ଓ ଦରୋଟି କଥାକୁ ॥

 

ଆଉ ମୁଁ କ’ଣ ଦେଖିଲି ? ସାଂଘାତିକ ଯୁଦ୍ଧଭୂଇଁ

ସେଠି ଘୋଡ଼ା ଗୋଡ଼ ଭାଙ୍ଗି ପଡ଼ିଥିଲେ ଓ ତାଙ୍କ ସବାର

ମୁହଁ ମାଡ଼ି ଏଠି ସେଠି ପଡ଼ିଥିଲେ ସାଞ୍ଜୁପିନ୍ଧି ଆଉ ଢାଲ ଧରି

ହାତୀର ମୁଣ୍ଡ ହୁଗୁଳି ପଡ଼ିଥିଲା ଗଣ୍ଡିଠାରୁ ପାଞ୍ଚହାତ ଦୂର

ସେଠି ରଥ ଚକ ସବୁ ଗଡ଼ୁଥିଲେ ଖଟ ଆଉ ଚଟାଣ ଉପର ॥

 

ଟ୍ରାମ୍, ବସ୍, ଚଉକି, ଟେବୁଲ ଯେତେ ଓଲଟିଥିଲେ

ଘର ସବୁ ଭାଙ୍ଗି ପଡ଼ିଥିଲା । ମୁହଁ ପୋତି କଣ୍ଢେଇ ବୋହୂଟି ଖାଲି

କେଜାଣି କାହିଁକି ଆହା ନାକ ସୁଁ ସୁଁ କରି କେତେ କାନ୍ଦୁଥିଲା

ପନିକଣ୍ଠି, କାଚମାଳି ସମସ୍ତ ଚଟାଣ ସାରା ଜଳୁଥିଲେ ।

ପାହାନ୍ତିଆ ଆକାଶରେ ତାରାପରି ଓ ମହାଶ୍ମଶାନେ

ଦାଢ଼ିର ହସଭିତରୁ ନିୟତି ଜୋକର ତା’ର ଗିନି ବଜେଇଲା ॥

 

ସେ ହସିଲା ସରୁହସ ସମୁଦ୍ରର ଶୂନ୍ୟତାରେ ଚନ୍ଦ୍ରମାର ପ୍ରଥମ କିରଣ

ଅନ୍ଧାରରେ ମଲାମୁହଁ ମୋର ଅଳ୍ପ ଦୁଶୁଥିଲା

ଦରଜଳା ରୁଇର ସମାନ ॥

Image

 

ଅନ୍ୟ ପୃଥିବୀ

 

ଦଦରା ଖଟିଆଟିର ଅନନ୍ତ ଶୟନୁ ଉଠି ଆଖିମଳି

ସେ ହଠାତ୍ ଛିଡ଼ା ହୁଏ

ସୂର୍ଯ୍ୟ ଆଉ ଆକାଶକୁ କୋଳକୁ ଓଟାରି ଆଣେ

ହରରଙ୍ଗୀ ବଉଦର ଗାଲ ଟିପି

ସକାଳର ପବନକୁ ସ୍ନେହରେ ଆଉଁଷି ସାରି

ସାରୁପତ୍ର ଦି’ ହାତରେ ଧରି ସିଏ ସାମ୍‍ନାକୁ ହାତ ବଢ଼ାଏ,

ମହାଶୁନ୍ୟେ ନିଶ୍ଚଳ ଭାବରେ ଉଡ଼େ କଙ୍କିଟିଏ ଏ ଯେଉଁ ପୃଥିବୀ

ତାକୁ ଧରି ଆଣେ । ତା ରଂଗୀନ ଡେଣା ଛୁଇଁ

ଲାଞ୍ଜରେ ଦଉଡ଼ି ବାନ୍ଧି ଦିନସାରା ଖେଳିବ ବିଚାରେ ॥

 

ଅଥଚ ତା’ ପରେ ସିଏ ନାକରେ କାନରେ ଭରି ଭାତ ଦି’ଟା

ମାଛ ପରି ଲାଞ୍ଜ ପିଟି ମଣିଷର ସମୁଦ୍ର ପହଁରି

ଟ୍ରେନ୍, ବସ୍, ଟ୍ରାମ୍, ବଗି,

ହାଙ୍ଗର ଓ ତିମି, ତିମିଙ୍ଗିଳ ଡେଇଁ

ଅଫିସ୍‍କୁ ପଶିଯାଏ । ଖସିପଡ଼େ ପରିଚିତ ଖାଳେଇ ଭିତରେ

ଧୂସର ଓ ହଳଦିଆ କାଗଜର

ଯୋଜନ ଯୋଜନ ଲମ୍ୱା

ବେଦର ମନ୍ତ୍ରକୁ

ଦରମରା ମାଛଟିର ଆଖିଦୋଟି ବଲବଲ ଚାହେଁ ନୀରବରେ ॥

 

ଦି’ ପଟରେ ନେଳି ନାଲି ଫୁଲ ଓ ଫଳରେ

ଗଛ ସବୁ ଭାଙ୍ଗିପଡ଼େ

ବାସନାର ମହକରେ ପ୍ରାଣ ଉଲୁସଇ

ପବନରେ ଡାଳ ସବୁ ଦୋହଲନ୍ତି, ତା ଦେହ ଛୁଅନ୍ତି,

ପର ମୁହୂର୍ତ୍ତରେ ତାକୁ କିଏ ଶିମିଳି ଗଛରେ ନେଇ

ପିଟି ଦିଏ ଅନ୍ଧୁଣି ଝଡ଼ରେ

ବାଘମାମୁଁ ବାଟଘାଟ ହଜି ସରିଥାଏ ॥

 

ଗଦା ଗଦା ପାଳଭୂତ ପରି ଯେତେ ଝରା ପତ୍ର ଖସ୍ ଖସ୍ କରି

ସେ କୁଆଡ଼େ ଯାଉଥାଏ ଆଣ୍ଠୁଗଣ୍ଠି ବାତ ନେଇ ବୈକୁଣ୍ଠ ଧାମକୁ

ଦୋଳିଲେ ଝୁଲେଇ ତାଙ୍କୁ ଲୁଲାବାୟୀ ଗୀତ ଗାଇ,

ବାଘ ମାମୁଁ କଥା କହୁ କହୁ

ରାମନାମ ସତ୍ୟ ହୈ, ରଡ଼ି ରଡ଼ି ସେ ଦୋଳିରେ

କଫିନ୍‍ର କଣ୍ଟା ପିଟା ହୁଏ ॥

 

ଦି’ ପଟରେ ସୋରିଷ, ମୁଗ ଓ ବିରି ଧଣିଆ କିଆରୀ ସବୁ ଭାସିଯାନ୍ତି

ଆହୁଲାରେ ଡଙ୍ଗା ତା’ର ଉଡ଼ିଯାଏ ପବନ ସମାନ

ବାଟ ଜଣାପଡ଼େ ନାଇଁ, ଚଉକିରେ ବସି ସିଏ ପଢ଼ୁଥାଏ

ଯେତେ ବ୍ରହ୍ମଜ୍ଞାନ

ଆଖି ପିଛାଡ଼ିବା ଆଗୁଁ ହାମୁଡ଼େଇ ପଡ଼ିଥାଏ ସେ ବାଲି କାମୁଡ଼ି

ନଈରୁ ସମୁଦ୍ର ନୁହଁ ଗତିପଥ ବରଂ ସାହାରାରେ

ପଥ ସରେ; ଓଟର ହାଡ଼ ପଛରେ ମୃତ ସଂଧ୍ୟା ଓହ୍ଲାଏ ଆକାଶୁ

ଭୟରେ ଚେତା ହରାଏ ଅନ୍ଧାରରେ ଶୁଭେ କାଳରଡ଼ି ॥

 

ରାତିର ଖୋଲା ଝର୍କାରେ ତାରାମାନେ ନାକଚଣା, ଫୁଲଗୁଣା

ଉଡ଼ନ୍ତି ବୁଡ଼ନ୍ତି

ସିଏ ଦେଖେ ବାନା ଗୋସେଇଁ, ମଙ୍ଗଳା

ଇତ୍ୟାଦି ତେତିଶ କୋଟି ଦେବତାଙ୍କୁ

ବଉଦର କୂଅମୂଳେ ବାଡ଼କଡ଼େ

ଲାଂଚମିଛ ଖଚକଥା ଶୁଣୁଥାଆନ୍ତି ପୃଥିବୀର

ଏବଂ ତା’ର ହାନିଲାଭ, ସୁଖଦୁଃଖ ପାଞ୍ଚକଥା ପଚାରି ବୁଝନ୍ତି

ସିଡ଼ି ସବୁ ଲମ୍ୱିଥାଏ ମାଟିଠାରୁ ଆକାଶକୁ

ଖେପା ମାରି ଚଢ଼ୁଥାଆନ୍ତି ଲୋକମାନେ ମାଙ୍କଡ଼ଙ୍କ ପରି

 

ହଠାତ୍ ଉର୍ବଶୀ ଆସି ଛିଡ଼ାହୁଏ ତା’ ଆଗରେ ଓ ଗାଁର ଆଖଡ଼ାଘର

ନାଚ ପରି କଥା କହେ ‘ପ୍ରିୟତମ ତୁମେ’ ଚାଲିଗଲେ

ଏ ଜୀବନେ ଆଉ ମୋର କିବା ପ୍ରୟୋଜନ ?’ ରୋମାଞ୍ଚ ଆଗରୁ

ଅକାତ-କାତ ଅନ୍ଧାରେ ହଠାତ୍ ସେ ଖସି ପଡ଼େ,

ପେଡ଼ି ପେଟେରାଙ୍କ

ଛାଇ ନାଚେ ଡିବିରି ଆଲୁଅଟିରେ ମହଳ କାନ୍ଥରେ

ପଡ଼ୋଶୀ ମଦଖଟିରେ ଅଶ୍ରାବ୍ୟ ଗାଳିଗୁଲଜ, ଢେଉ ଖେଳେ

ନିଜର ରିକ୍‍ସାରେ ଶୋଇ କ୍ଷୟକାଶ ରୋଗୀଟି ଅଥୟ କାଶେ

ତାରା ସବୁ ବେଦନାର ନିଆଁ ଗୁଲ ପରି ଖାଲି ଜୁଳୁଜୁଳୁ ହେଉଥାଆନ୍ତି

ଏବଂ ଲୋକେ ଶୋଇଥାଆନ୍ତି ରାତିର କାରାଗାରରେ

ନିଜ ନିଜ ଶୂନ୍ୟତାର ଏକୁଟିଆ ଘରେ ।

 

ବୁଢ଼ାମାନେ ମତ ଦେଲେ ଇଏ ବୋଧେ ସେମିତି କିମିଆ

ଯା’ ଫଳରେ ନିଶାର୍ଦ୍ଧେ ସଂଭବ ହୁଏ

ଏ ଦେହକୁ ଛାଡ଼ି ଦେଇ ଉଡ଼ିଯିବା ଶୂନ୍ୟ ଅନ୍ତରୀକ୍ଷେ

ଅନ୍ୟଘଟେ ପ୍ରବେଶିବା ଓ ପୁଣି ଫେରି ଆସିବା ସେ ଘଟକୁ

ରାତି ଥାଉଁ ଥାଉଁ । ଅଥବା କେଉଁ ମାଲ୍ୟାଣୀ ମନ୍ତୁରା ଫୁଲକୁ ଶୁଂଘି

ଦିନରେ ମେଣ୍ଢା ରାତିରେ ଦିବ୍ୟଯୁବା ହୋଇବା ପ୍ରତ୍ୟକ୍ଷେ ॥

Image

 

ଶରଶଯ୍ୟା

 

ସ୍ଵପ୍ନରେ ଘନ ଅନ୍ଧାର

ନିବୁଜ, ନିରନ୍ଧ୍ର;

ପିତୃ ପିତାମହର ସେ ପୁରୁଣା ଇଲାକା

ଆଦିମ ଅବଚେତନ ସମୁଦ୍ରର

ପଙ୍କ ଆଉ ଫର୍ଣ୍ଣ ଓ ଜେଲିମାଛ ଜଳ

ଅତଳ ! ଅଥଳ !!

 

କ୍ୱଚିତ୍ ରଶ୍ମି ଫୋଟକା; ତା’ ଭିତରେ

ତାରାର ବୁଦ୍‍ବୁଦ-

କୋଟି ବୈବସ୍ଵତ ମନୁ ସଂବତ୍ସର ପରେ

(ସଂବିତ ବି ମରେ !)

ସନ୍ଦୀପନ ସାମାନ୍ୟ ଆହ୍ଲାଦ !!

 

ସେ ବୁଦ୍‍ବୁଦ ରଂଗୀନ ପୃଥିବୀ ତଳେ

ଅସ୍ପଷ୍ଟ କ୍ଷୀଣ କୁହୁଡ଼ି

ନାଉରିଆ ମଙ୍ଗମୋଡ଼ା, ନଦୀ ଗତି ଛନ୍ଦ

ମତ୍ସ୍ୟଗନ୍ଧା, ରାତି, ସ୍ମୃତିଗନ୍ଧ ॥

 

ଚେତନାର ବୁଢ଼ିଆଣୀ-ସୁତାଖିଅ

ଲମ୍ୱିଗଲା ହାଡ଼ର ରଞ୍ଜାରେ

ପ୍ରତ୍ୟାଖ୍ୟାନ, ରିକ୍ତ-ସଂବେଦନ

ବୁଢ଼ିଆଣୀ ସୁତାଖିଅ ଛିଡ଼ିଗଲା

ପ୍ରତ୍ୟାଖ୍ୟାତ ମାଂସ ଆଉ ମଜ୍ଜାର କୁହୁଡ଼ି

ଆବାହନ ଓ ପ୍ରତ୍ୟାବର୍ତ୍ତନ ॥

 

ଅନେକ ସ୍ୱପ୍ନର ମଞ୍ଜି ଗଜୁରିଲେ

ଆକାଶରେ ବଉଦର ଖୋଳପା ଫୁଟାଇ;

ହେ ଆକାଶ ଭୀଷ୍ମର ଏ ସ୍ଵେଦ ଓ ରକତେ

ସିକ୍ତ ହୁଅ, କର ସୂର୍ଯ୍ୟସ୍ନାନ

ସଂଗ୍ରାମର ଅବସାନେ

ଊର୍ଜସ୍ଵଳ ଚେତନାର ସାୟାହ୍ନ ସାୟାହ୍ନ ॥

 

ମୋ ରକ୍ତର ଝରଣାରେ

ଅୟୁତ ମନ୍ଵଂତରର ଜରାୟୁର କଷ୍ଟ

ମୋ ମାଂସର ଟୁକୁଡ଼ାରେ

ସଂଖ୍ୟାହୀନ ସହବାସ, ସଂଗ୍ରାମର

ବିଭୂତି ବିନଷ୍ଟ ॥

 

ତେଣୁ ହେ ପୃଥିବୀ,

ଅଶ୍ରୁର ବହ୍ନିରେ ହୁଅ ଦୀପ୍ତିମାନ

ନପୁଂସକ ସମୟର ଜରାୟୁରେ

ବିଞ୍ଚ ନାହିଁ, ଆଉ ବିଞ୍ଚ ନାହିଁ

ମିଛଟାରେ ସ୍ୱପ୍ନର ବିହନ ॥

 

ସେଥିପାଇଁ ଶରତ୍ୟାଗ, ସେଥିପାଇଁ ଏ

ଅନ୍ତିମ ଶେଯ

ଅନ୍ଧାର ସୁଡ଼ଙ୍ଗରେ ତୀବ୍ର ବହ୍ନିମାନ ଜ୍ଵାଳା

କେଉଁ ଦୂର ଅତୀତରେ

ଅନେକ ମୃତ-ଶତାବ୍ଦୀ (ଶଙ୍ଖଡ଼ୀର)

ହେଉଅଛି ହେଜ ॥

 

ବୈକୁଣ୍ଠର ସିଂହଦ୍ୱାର ଠିଆମେଲା

ଝାଂଜ ମୃଦଙ୍ଗ ହାତରେ ଅଗଣନ

ନଣ୍ଡାମୁଣ୍ଡ, ଚୁଟି-ରଖା ସନ୍ୟାସୀର ଦଳ

ଶବ୍ଦରେ ବୁଡ଼ାଇବାକୁ

ପ୍ରାର୍ଥନାର କୋଳାହଳେ, ସର୍ମନ୍‍ର

ଉଚ୍ଛ୍ୱାସରେ ଢାଙ୍କିବାକୁ

ଡଙ୍ଗାରେ ନାରୀର ସ୍ୱର

ହାଡ଼, ମାଂସ, ଅସ୍ଥି ଓ ମଜ୍ଜାରେ,

ରକ୍ତରେ ନାରୀର ସ୍ଵନ

ଜଘନର ମନ୍ତ୍ର ଉଚ୍ଚାରଣ;

ଅର୍ଥହୀନ-ସବୁ ଅର୍ଥହୀନ

ଚେତନାର ସାୟାହ୍ନରେ

ନିଭିଲା ହୋମକୁଣ୍ଡରେ

ପୁଣି କିଆଁ ଘୃତାହୁତି

ପୁଣି କିଆଁ ମାଂସର କ୍ରନ୍ଦନ ॥

 

କଣ୍ଟାର ମୁକୁଟ ସାଜ-ତ୍ରସରେ

ଅନେକ ଚିହ୍ନ

କାଠ, ଦେହ, ଲୁହାକଣ୍ଟା

ନିବିଡ଼ ପରିଚୟରେ ନିରୁକ୍ତ ସଂଗମ

ଖରଜାଳ ନିଦାଘରେ ଶୋଇରହି ସ୍ଵପଦେଖା

ଆକାଶର ତାରାଫୁଲେ ତୁଷାର, ତୁହିନ ॥

 

ଉପଦେଶ ମାଗୁଅଛ ? ମିଛ ଉପଦେଶ

ଶବ୍ଦର ଅର୍ଥହୀନତା ବୁଝିସାରି

ସମୟର ରିକ୍ତତାକୁ ହେଜିସାରି

ଅୟୁତ, ଅୟୁତ ବର୍ଷ କାନ୍ଦଣାକୁ

ରଖି ଛାତିତଳେ

ପୁଣି କିଆଁ ଛଳନାର ବେଶ ?

 

ତେଣୁ ହେ କାଳପୁରୁଷ

ହେ ଅନାଦି, ଅଣାକାର

ହେ ପୃଥ୍ଵୀ-ଆକାଶ

ଗ୍ରହଣର ମୁହୂର୍ତ୍ତରେ ଭୁଲି ସବୁ

ଅପରିଗ୍ରହକୁ

ଶାନ୍ତ ହୁଅ, ସ୍ତବ୍ଧ ହୁଅ, ହୁଅ

ନୀରବିତ

ସଂଗ୍ରାମ ଓ ସପନର କୁସୁମିତ

କୋଳାହଳେ

ଟିକେ କାନ ଡେରି ଶୁଣ

ଯନ୍ତ୍ରଣା ଓ ଲୋତକର

ଏ ଆଦିମ ମହାନ୍ ସଂଗୀତ ॥

Image

 

ତ୍ରିପାଦ

ଜନ୍ମ

 

ଶନ ଶନ ଇଥର୍ର ଇଲାକାର

ଘନ କୃଷ୍ଣ ନିବିଡ଼ ପ୍ରହରେ

ନିକଟରୁ ନିକଟକୁ

ଦୁଇଟି ଜ୍ୟୋତିର ବିନ୍ଦୁ

ଏକ ଆରେକର କେଦ୍ର

ଭାରସାମ୍ୟ ଖୋଜି;

ହଠାତ୍ ଶବ୍ଦ ଝଡ଼

ଭୟଙ୍କର ଚେତନାର

କୁହରିତ ପ୍ରଥମ ପ୍ରହର ॥

 

ଚୂନା ଚୂନା ତାରାଧୂଳି

ବିଞ୍ଚି ହେଲା

ଅନ୍ଧାରର ମହାସମୁଦ୍ରରେ

ତଳକୁ ତଳକୁ ଖୋଜି

ଶୂନ୍ୟ କେଦ୍ରବିନ୍ଦୁ ଲୋଡ଼ି

ପ୍ରଥମ ଓ ଅନ୍ତିମ ଆଶ୍ରୟ ॥

 

ଜ୍ୟୋତିର ଟିକି ପ୍ରସୂନ

ନଗ୍ନ ଦେହ, ଅନାବୃତ ମନର ପାଚିରୀ ପରେ

ଅନେକ ଏକକାଳୀନ

ରୋମାଞ୍ଚ, ଭୟ, ପୁଲକ

କିଛି ଲାଜ, କ୍ଵଚିତ୍ ଅନୁଶୋଚନ;

ଝଂଜାର ତାଣ୍ଡବ ପରେ

ପ୍ରଶାନ୍ତିର ମନ୍ତ୍ର ଉଚ୍ଚାରଣ ॥

 

ଈର୍ଷାଭରା ଆକ୍ଷି ନେଇ

ସେ କଢ଼ିକୁ ଦେଖିଗଲେ

ଆଉ ଏକ ବେଦନାର ତ୍ରସ୍

କଣ୍ଟାର ମୁକୁଟ

କାଠର କୋକେଇ, ମାଟିର କୀଟାଣୁ

ବିଦ୍ରୁପର ହସ ହାଣି

“କଳି ନୁହେଁ, କଳି ନୁହେଁ

ଖାଲି ଧୂଳି, କୃମିକୀଟ ଅଣୁ” ॥

 

ଜୀବନ

 

ଚଉଦବର୍ଷର ସୁନାନାକୀ ଝିଅଟିର

ଶଂଖ-ଶୁଭ୍ର ଲାଜୁରା ମୁହଁରେ

ପେନ୍ଥାଏ ସଜଫୁଟା ମଲ୍ଲିଫୁଲ ହସ

କେଇଟି ସ୍ମୃତିର ଛାପ, ଅନେକ ଅଫୁଟା ଆଶା

ଅଧା ବନ୍ଦ ସର୍ବତ-ଆକ୍ଷିରେ ସପନ-ଆହ୍ଵାନ ॥

ସେ ହସିଲା ମୋ ପାଇଁ

ହସ ଖିଲି ଖିଲି

ହସତଳେ ହଠାତ୍ ଦେଖିଲି ମୁଇଁ

ଛାମୁଦାନ୍ତୁ ତା’ର ଗୋଟେ ନାଇଁ ॥

ଆକ୍ଷିରେ ଭରିଲା ଲୁହ

ହୃଦୟେ ମୋ ବିକଳ ବାହୁନା

କଅଣ ହଜେଇ ବସି

ହଠାତ୍ ମୁଁ ହେଲି ଆନମନା;

ତା’ ହସର ଜୁଆରରେ ନ ବୁଡ଼ୁଣୁ

ନିଜକୁ ହଜାଇ

ମୁଁ ପଡ଼ିଛି ବାଲୁଚରେ

କାହିଁ ହାୟ ସମୁଦ୍ର ଓଢ଼ଣା ॥

 

ମୃତ୍ୟୁ

 

ରାମ ନାମ ସତ୍ୟ ହୈ

ଗୀର୍ଜା ଘଣ୍ଟା, ମଧ୍ୟରାତ୍ରି,

‘ଆମେନ୍ ଆମେନ୍’

ପଥରରେ କେଇପଟ ଭଙ୍ଗା ପାଣିକାଚ

ସୀମନ୍ତରୁ ଲିଭିଲା ସିନ୍ଦୁର

ତିକ୍ତ ଖିଆ, କ୍ଷୀଣ ଦୀପ, ଖଇ ଆଉ ଲିଆ

ମଶାଣିର ସିଆଁ କନ୍ଥା

ଭଙ୍ଗା ହାଣ୍ଡି କୁଲା ବାଉଁଶିଆ ॥

 

ସାତ ବରଷର ଅମୁ

କାଲି ଦେଇଛି ମୁଖାଗ୍ନି

ଆଜି ତା’ ଆଖି ଲୁହରେ

ଶୀତଳାଏ ରୁଇ

ସବୁ ତମପାଇଁ ॥

 

କିନ୍ତୁ ତମେ ଗର୍ବିତ ହୁଅନି

ଗୋଟିଏ ଝରା ପତ୍ର ବି ପତନର ତା ଗତିଛନ୍ଦରେ

 

ତୁମର ରୂପ ଓ ରେଖ

ସବୁ କିଛି ଅବିକଳ ଆଙ୍କି ଦେଇପାରେ ॥

Image

 

Unknown

ଯାତ୍ରା ଓ ସମୟ

 

ଆଖିରେ କୋଇଲା ଗୁଣ୍ଡି, ଭିଡ଼ାଭିଡ଼ି, ନାନା ଦେହଗନ୍ଧ

ଝଣଝଣ କାଚ ଝର୍କା, କାଠ ଆଉ ଲୁହା ବାଡ଼,

ଟ୍ରେନର ରେଲିଂ କାଟେ ସ୍କେଲ୍ ଓ ପେନ୍‍ସିଲ ଧରି

ଆକାଶର ନେଳି କାଗଜରେ ଯେତେ ବେଦନା-ଆଷାଢ଼

କେତେ ଜାତି ହସ୍ତାକ୍ଷର ସମାନ୍ତର ରେଖା

କାଳି ଇଡ଼ି ନେସି ହେଲା କେତେ ସ୍ଵପ୍ନ-ଲେଖା ॥

 

ଅଣନିଃଶ୍ଵାସୀ ସମୟ

ନେଉଳିଆ ଭାଇ

ଠିକ୍ ଆମ ରାସ୍ତା କରେ

ଗଛ ବୃଛ ପାହାଡ଼ ଓ ନଈ ଡେଇଁ ଅଥୟ ମନରେ

ଲକ୍ଷ୍ୟହୀନ ପଥେ

ଆଗେଇ ଆଗେଇ ଯାଏ ତା’ ରୁକୁଣା ରଥେ ।

 

ବଙ୍କାତେଢ଼ା ଅକ୍ଷରର ବିଚିତ୍ର ହରଫ

ମୁହୂର୍ତର ଆବର୍ତନେ ସବୁ ଘୂରେ

ସାମନାର କିଛି କଣ୍ଟ୍ରାକ୍ଟର ଟଙ୍କା,

ଦାମା ତନ୍ତୀ ମଇଳା ବୁଜୁଳା ଥଳି

ଅସହାୟ ଅନ୍ଧ ଭିକାରୀର ସ୍ୱର

ଯେତେ ଭୟ, ଯେତେ ଭ୍ରାନ୍ତି

ଯେତେ ସ୍ଵପ୍ନ ଯେତେ ବା ଆଶଙ୍କା

ଶଙ୍କରର ମାୟାବାଦ, ବୁଟଭଜା, ମୁଢ଼ି ମୁଆଁ

ହାତକଟା ତଇଲର ପ୍ରସିଦ୍ଧି ଓ ସିଧା ବଙ୍କା କଥା ॥

 

ସେ ଏକ ମୁହୂର୍ତ୍ତ (ଅବା ଅନେକ ମୁହୂର୍ତ୍ତ)

ଯେମିତ ଏ ସଂଧ୍ୟାର ପରିଧି ଘେରି

ଦୃଶ୍ୟପଟ ଅନେକ ବଦଳେ

ଯଦିଓ ଏ ଟ୍ରେନ ନିଏ ସ୍ଥବିର ଅଚଳ ପଙ୍ଗୁ ଦେହ ମନ

ଏଇ ନଈଘାଟୁ ବାହି ଅଜ୍ଞେୟର ଦୂର ଉପକୂଳେ

ଯେଉଁଥିରେ ଏଇଛୁଣି ଫୁଟି ହସେ

ଗୋଧୂଳିର ପ୍ରଶାନ୍ତ ଆକାଶ

ଯୋଜନ ଯୋଜନ ବ୍ୟପୀ ଉଲୁସିଆ ଧାନକ୍ଷେତ

ବାଲୁଚର, ଅସଂଖ୍ୟ ବନ୍ଧ୍ୟା ମାଇଲ୍ ତୀକ୍ଷ୍ଣ ଶଙ୍ଖଚିଲ

ଖମାର ଓ କ୍ଳବଘର, ନଇପଠା, ଗୋରୁପଲ, ସପୁରୀ ବଗିଚା

କାଖରେ ବସ୍ତାନି ଯାକି ସ୍କୁଲ ପିଲା

ଅରମାରେ ଶ୍ଵାସରୁଦ୍ଧ ଭଙ୍ଗା ଡିହ,

ବିଲାତି ଦଳର ଭିଡ଼େ, ମୃତ ଏକ ଝିଲ ॥

 

ସେ ସବୁ ଆମର–

ସେ ମୁହୂର୍ତ୍ତ ଲୁହ ଦେଉ ଆଖି କଣେ

ଅବା ଦେଉ ଅନିଦ୍ରାରେ ଆଖି ଲାଲ, ବିରକ୍ତ, ବିଭ୍ରାନ୍ତି

ପଡ଼ୋଶୀ ଯାତ୍ରୀର ପରେ ଯେତେ ରାଗ

(କାରଣ ସେ ପୁରାସିଟ୍‍ ମାଡ଼ିବସି

ନିଶ୍ଚିନ୍ତରେ ଘୁଙ୍ଗୁଡ଼ି ମାରୁଛି ।)

ଲକ୍ଷ୍ୟହୀନ ଯେତେ ଯାତ୍ରା, ଅନ୍ତହୀନ ଗତି ଆଉ ଗତି–

ନମାଜ ଓ ଗୀତା ପାଠ, ବେଶ୍ୟାପଡ଼ା, ପିଙ୍ଗଳାର ରାତି ।।

 

ବାକୀ ‘ଯା’ ରହିଲା ‘କାଳ’ ତା’ ବାହାରେ-

ଯେ ଆପଣା ସପନରେ ମଗ୍ନ

ଲକ୍ଷ ତାରା ନିହାରୀକା ଅଗଣାରେ ଶୋଇ ରହି

ଯିଏ ହାଇ ମାରେ

ଅୟୁତ ସୂର୍ଯ୍ୟର ଦୀପ ନିଇତି ନିଭେଇ ଯିଏ

ଅକଳନ ସୂର୍ଯ୍ୟଦୀପ ପ୍ରତିଦିନ ବତୀ ସଜ କରେ

ସେ ନୁହେଁ ଆମର

ଆମେ ଯିଏ ଅଥୟ ପ୍ରେତର ପରି

ପଡ଼ି ଉଠି ଧାଉଁ ଏଠି ଜନମୁଁ ଜନମ

ପାରି ହୋଇ ସିଂକୁଦା ଓ ଚିରିଗୁଣୀ

କୋକେଇ ବାଉଁଶ ଯେତେ, ଛିଡ଼ା କନ୍ଥା

ତୁଷାର ଓ ହିମ ॥

 

ଯଦିଓ ତା’ କ୍ଷୀଣ ଛାଇ ବେଳେ ବେଳେ

ଉଙ୍କିମାରେ

ଖବର କାଗଜ, ବହି, ମାଗାଜିନ, ଟଙ୍କିକିଆ ମିଲ୍

ଆଉ ରାତିର ଅନିଦ୍ରା ଡେଇଁ

ମନ ଆଇନାରେ ॥

 

ତା’ପରେ ଯାତ୍ରିକ ଦଳ

ଭୟରେ କାକୁସ୍ତ ଖାଲି

ଝରାପତ୍ର ପରି ଥରଥର

ରକ୍ତହୀନ, ମାଂସହୀନ ମୁଖ ଦିଶେ ମୁଖା

ଡାକ ଶୁଭେ ହେ ସାରଥି, ହେ ଶ୍ରୀକୃଷ୍ଣ କେଣେଗଲ

ଆହେ ପ୍ରାଣସଖା

ଚକର ଘର୍ଘର ତଳେ ଯଦି ଶୁଭେ ଅଚାନକ

ଅଣାକାର ଅଶବ୍ଦ ସେ ଶବ୍ଦର କୁହାଟ

ଆକାଶର ନୀଳିମାରେ ଅବନା ଅକ୍ଷର ତା’ର

ଯଦି ନାଚେ ଶେଷହୀନ ନାଟ ॥

Image

 

ଅଭିମନ୍ୟୁ

 

ଏଣିକି ମୁଁ ନିଶ୍ଚିନ୍ତରେ ଆଖି ବୁଜି ନିଶ୍ଵାସ ମାରିବି ॥

 

ମୋର ଆଉ ଭୟ ନାହିଁ ମୋତେ ହେରି

ବ୍ୟାଧର ଜାଲରେ, ମୋ ଘରଣୀ ଡହଳ ବିକଳ ହୋଇ

ଝରାପତ୍ରଟିଏ ପରି ଗଛଡ଼ାଳୁ

ଝରିଯିବ ଜାଲର ମଝିକୁ

ମୋ ଥଣ୍ଟରେ ଥଣ୍ଟ ଯୋଡ଼ିବାକୁ ॥

 

ମୁଁ ବି ଏଡ଼େ ବେକୁବ୍ ନୁହେଁ ଯେ

ମନରେ ଆଶା ପୋଷିବି ଯେତେ ଏଇ ଜାଲରେ ଚଢ଼େଇ

ସମସ୍ତେ ଜାଲ କାମୁଡ଼ି ହଠାତ୍ ଆକାଶମାର୍ଗେ ଉଡ଼ିଯିବେ

(ମୁଁ ତ କିଛି ବୟୋବୃଦ୍ଧ ସମ୍ମାନୀୟ ବିଜ୍ଞ ବ୍ୟକ୍ତି ନୁହଁ

ମୋ କଥା ଅନ୍ୟ ସମସ୍ତେ ମାନି ନେବେ ?)

 

ତା’ ଛଡ଼ା ଆକାଶ ଆଉ ପବନରେ

ଏଠି ଏବେ ସୋରିଷଟେ ଫିଙ୍ଗିବାକୁ ଜାଗା ନାଇଁ

ଯାବତ ଛିଣ୍ଡା, ଗଇଁଠା, ତାଳି ପକା ଓ ଦୋସିଆଁ

ବସ୍ତୁ, ନାମ, ଧାରଣାରେ

ଡହ ଡହ ଆକାଂକ୍ଷାରେ

ଦରନିଭା ଆଶା ଆଉ ଦରପୋଡ଼ା ସ୍ମୃତିର ସଂଭାରେ

ଶ୍ୱାସରୁଦ୍ଧ, ମୃତ ଏ ଇଲାକା

ୟା ଭିତରେ ଡେଣା ତ ଝାଡ଼ି ହେବନି

ଜାଲ ଭଲା କେମିତି ଉଠିବ ?

ହେ ବ୍ୟାଧ ଏଣିକି ତମେ ମୋ ବେକରେ

ମୋ ଡେଣାରେ ହାତରଖି ଯାହା ଇଚ୍ଛା ତାହା କରିପାର ॥

 

ଏ ଜାଲରେ ସବୁ ରାସ୍ତା, ସମସ୍ତ ମାଇଲ ଖୁଣ୍ଟି

ମୁଁ ଫେରୁଛି ଘୁରି ସାରି ଗଳି କନ୍ଦି ଓ ବିକନ୍ଦି

ସବୁ ବଣ ପାହାଡ଼ ଓ ଘର

ଅନ୍ଧାରରେ ଡରି କେବେ ଗୀତ ବୋଲି ଦମ୍ଭ ଦେଇ ଆପଣାକୁ

ପତିଆରା ଥାଳ ନେଇ ଫେର୍ ମୁଁ ଚାଲିଛି;

କେତେବେଳେ ହୁଏତ ବି ଫେରିଥିଲି ଏ ରାସ୍ତାରେ

ଅବା କେଉଁ ଦୋସରା ରାସ୍ତାରେ

ଅନ୍ୟର ଚେତନା ଆଉ ନିଦ୍ରାର ସୀମାରେଖାରୁ

ଟିପି ନେଇ କେତୋଟି ନିର୍ଦ୍ଦେଶ

ତେଲିସାଇ ଛକ କିମ୍ୱା ନଈକୂଳ ଶୁନଶାନ

ବାଙ୍କଟାରେ, ରାସ୍ତା ମୋଡ଼େ ହଠାତ୍

ହାବୁଡ଼ି କେବେ ଆପଣାକୁ, ଆପଣା ଭୂତକୁ

ଉଡ଼ିଯାଇ ତା’ ନିଃଶ୍ଵାସ ତୀବ୍ର ଝଡ଼େ

ଚିରିଯାଇ କାନକୋଳି ଗିଲିକଣ୍ଟା ଭୟରେ ଯାବୁଡ଼ି ॥

 

ସେଥିପାଇଁ ମୁଁ ମାଗିନି ମୁହୂର୍ତ୍ତଟେ

ଯାହା ହେବ ପୂରାପୂରି ମୋର ଆପଣାର

ରାସ୍ତା ଖାଲି ସମୟର ଭିନ୍ନ ନାମ

ଦିନ ରାତି ସକାଳ ଓ ସଂଜ ଖାଲି

ରାସ୍ତାର ବିଭିନ୍ନ ଖୁଣ୍ଟି, ବାଙ୍କ, ମୋଡ଼;

ତା’ ଛଡା ସମୟ ଆହା ରାସ୍ତାର ଭିକାରୀ

ନିଜର ଟିଣ ଓ ଅଖା ଭିକ୍ଷାଥାଳ ଧରି

ପଙ୍ଗୁ ହୋଇ ବସିଥାଏ ଗଛ ଛାଇ ଉଣ୍ଡି ॥

 

ମତେ କିଏ ଏଡ଼େ ବଡ଼ ଦାନ ଦେବ

ଅସଂଲଗ୍ନ ଓ ନିରୋଳା ଗୋଟିଏ ମୁହୂର୍ତ୍ତ

ସେମିତି ମୁହୂର୍ତ୍ତ କେବେ ଏଠି କି ସମ୍ଭବ

ଏଠିକାର ପ୍ରତିଟି ମୁହୂର୍ତ୍ତ

ଛାଇ ପରେ ଛାଇ ଖାଲି ନେସିନାସି,

ଘଣ୍ଟା ଓ ମିନିଟ୍ ଖାଲି ଗୁରୁଆ ତୁରିଆ

ଯୋଡ଼ିଯାଡ଼ି କଦାକାର କାଲି ଓ ପହରିଦିନ

ଓ ତା’ ଆଗେ ଓ ତା’ ପଛେ

କେତେ ଆଶା, କେତେ ଆକାଂକ୍ଷାକୁ ॥

 

ଏ ଜାଲରେ ସବୁ ରାସ୍ତା, ରାସ୍ତାମାନେ ଖାଲି ପ୍ରତିଧ୍ଵନି

ଏ ବିଭିନ୍ନ ରାସ୍ତା ମୋର

ପଦଧ୍ଵନି, ପ୍ରତିଧ୍ଵନି ମୋର

ଏଠି ଗୁଞ୍ଜରିତ ହୁଏ ଜୀବନର ବହୁ ଭିନ୍ନ ସ୍ୱର

ବିଭିନ୍ନ ପୃଥିବୀ ଆଉ ବିଭିନ୍ନ ସମୁଦ୍ର

ପଙ୍କରେ ଲହୁ ଓଠରେ ପ୍ରାର୍ଥନାରେ ହାତଯୋଡ଼ି

ପାପୁଲିରେ ମୁହଁ ଯାକି

ଯେତେ ତୃଷ୍ଣା ଚେରର ଅନ୍ଧାର ॥

 

କେମିତି ଓ କେବେ ଆସି ଏଠି ମୁଁ ପହଞ୍ଚିଥିଲି

ସେ’ଟା ବଡ଼ ପ୍ରଶ୍ନ ନୁହେଁ । ଏ ଖାଲି ଅୟମାରମ୍ଭ

ସବୁତକ ଗଲାକାଲି, ସବୁତକ ଆସନ୍ତା ସମୟ

ଏଠି ଖାଲି ହାଉଜାଉ । ସବୁତକ ବଡ଼ କଥା

ଏ ଆଶ୍ଚର୍ଯ୍ୟ ଲ୍ୟାଣ୍ଡସ୍କେପ୍ ଉପରେ ଯିବାକୁ ହେବ

ମତେ ଖାଲି ଘୁଷୁରି ଘୁଷୁରି ॥

 

ସୋର ଶବ୍ଦ ଟିକେ ନାହିଁ, ଘର ସବୁ ଶୁନଶାନ୍

କାନ୍ଥ ଆଉ ଫାଟକରେ ଜାଗା ଆଉ ନାଁ ଗାଁ

ଅଜଣା ଭାଷାରେ

କୌଣସି ଘରେ ପଶିଲେ ବାହାରିବା ରାସ୍ତା ନାହିଁ ॥

 

ଗୋଟିଏ କୋଠରୀ ଖୋଲେ ଆଉ ଗୋଟେ

ଏକାଭଳି କୋଠରୀକୁ

ସେ କୋଠରୀ ଆଉ ଗୋଟେ ଏକାଭଳି କୋଠରୀକୁ

ସେ କୋଠରୀ ଆଉ ଗୋଟେ...

କୋଠରୀ ପରେ କୋଠରୀ ଶୂନ୍‍ଶାନ

ଦରି, ବେଞ୍ଚ, ଚୌକି ସବୁ ଚୁପ୍‍ଚାପ୍‍ ବସିଛନ୍ତି

ଭରସା ରହିଛି କାଳେ କିଏ ଆସି ପହଞ୍ଚିବ

ଅଚାନକ ସଂଧ୍ୟା ହେଇଗଲେ ॥

 

ପକ୍ଷୀର ଏକେଲା ରାସ୍ତା ଆକାଶରେ କିଏ ମନେ ରଖେ ?

କିଏ ଜାଣେ ସେ ରାସ୍ତାଟି ଲେଉଟାଣି ସଂଗୀତର ବେଦନା

ବା ଯାତ୍ରାପଥ ମଙ୍ଗଳ ମହୁରୀ

ତା’ର କିଛି ଗ୍ରାଫ୍ ନାଇଁ ଅକ୍ଷାଂଶ ଦ୍ରାଘିମା ନାଇଁ

ସ୍ୱରଲିପି ବର୍ଣ୍ଣମାଳା ନାଇଁ

ସମୁଦ୍ରର ମାଛ ଯାଏ ତରଙ୍ଗର ପାହାଚ ପାହାଚ ଡେଇଁ

ସମୁଦ୍ରର ଜାଲ ସିଏ କଣ ଜାଣେ

ସେ ରାସ୍ତାର ଖବର କେ ରଖେ ?

 

ଆକାଶ ଓ ସମୁଦ୍ରରେ ସେ ପଥ ହୁଏନି କେବେ

ଲିପିବଦ୍ଧ ଅଗ୍ନିର ରେଖାରେ;

ଆଶା ଅବା ନିରାଶାର ବନାନ୍ ପଦ୍ଧତି ଅବା ସ୍ୱରଲିପି

ରାସ୍ତାର ପରିଚୟରେ କିଛି କେବେ ଉକୁଟେନି

ଶୂନ୍ୟତାରେ ସିଏ ମିଶେ ଧାରଣାରେ କେବେ ଜଳିଉଠି ॥

 

ତେଣୁ ଆଜି ମୁଁ ନିଶ୍ଚିନ୍ତ

ମୋ ଆଙ୍ଗୁଠି ଚକ୍ ହେବ, ହାଡ଼ ହେବ ତମ୍ୱାପଟା

ଚମ ଭୁର୍ଜ ପତ୍ର

ସେଥିରେ ଯା’ ଲେଖା ହେବ ତମେ କେହି

ବୁଝିପାରିବନି ବାଟ ଖୋଜି ଘାରି ହେଇ

ତମେ ବି ଆଖି ବୁଜିବ ଜାଲର ଗୋଟିଏ କଣେ

ନିଦର ମହାସମୁଦ୍ର ମଝିଟାରେ

ଥଣ୍ଟରେ ମିଛେ ନ ଖୋଳି ବିରକ୍ତିର ରେଖା ॥

 

ତେଣୁ ଆଜି ମୁଁ ନିଶ୍ଚିନ୍ତ

ଡେଇଁ ଆସି ନିଜ ରାସ୍ତା, ନିଜ ବେଳ

ନିଜ ସ୍ଵପ୍ନ ଖୋଜିବାର ପିଲାଳିଆ ମୋହ

 

 

ଏ ଜାଲ ଚିରାୟୁ ହେଉ, ଏଇ ମାୟା

ସତତ ଅକ୍ଷତ ରହୁ ବ୍ୟାଧ ତୁମ ବ୍ୟୂହ ॥

Image

 

ଛାଇ

 

ସେଇ ଫିକା ଇଟାରଙ୍ଗ,

ଫିକା ଗେରୁଆର ଭଙ୍ଗା ମାଟିପାତ୍ର

ଧାରଣାରୁ ରୂପ, ଶବ୍ଦ

ଓ ତା’ପରେ ଶୂନ୍ୟତାର ଛୋଟ ମାନଚିତ୍ର ॥

 

ଆଜି ଆଉ କମକରା ଫନ୍ଦ ନାଇଁ

ଧରିବାର ଡେମ୍ଫ ନାଇଁ

ସୁଶୀତଳ ପୂର୍ଣ୍ଣଗର୍ଭ ନାଇଁ,

କେତେଟା ଯାଇଛି ଫେରି

ନାମହୀନ କ୍ଷୀଣ ଛାଇ ପରି

ସମୟର ବିଷର୍ଣ୍ଣ ପଥର ମୋଡ଼େ ନିଜମୂଳ ଖୋଜି,

ଯାହା ଅଛି ଆକାର ଓ ଆୟତନ

ଅରୂପ ଓ ଅଣାକାର ସମ୍ମୋହନ ବଂଶୀ ତାକୁ ଡାକେ ।।

 

ମହେଞ୍ଜୋଦାରୋର କେବେ ଶେଷ ସଂଧ୍ୟା

ଆଜି ଏଠି ପ୍ରତ୍ନତତ୍ତ୍ଵଗାର

ଦର୍ଶକର ଭିଡ଼ ଯେତେ, ମେଘମୁକ୍ତ, ଅର୍ଥାନ୍ଵେଷୀ

ଆଖି ଆଉ ମନ

ଭଙ୍ଗା ଖପରାର ଦାଢ଼େ କାଳଜୟୀ ହସ ହସି

ଉଭା ମହା ମୃତ୍ୟୁ

ଭଗ୍ନାଂଶର ଏଇ ସ୍ତବ୍‍ଧ କ୍ଷଣ ॥

 

କେ ପିଇଲା ସୋମରସ

କେବା ଦେଲା ସେ ପାତ୍ରରେ ଆମ୍ୱଡ଼ାଳ

ନାରିକେଳ, ଚନ୍ଦନର ପ୍ରାଣମୟୀ ସ୍ତୋତ୍ର

ହୋମାନଳ ହବି ଅବା ଲକ୍ଷ ବେଲପତ୍ର

ସବୁ ନେସି ହେଇ ରହେ ଛାଇ ପରେ ଛାଇ ପରି

ଗହଳ ସମୟ ସେଇ ଦାଢ଼େ ଦାଢ଼େ ହଠାତ୍ ଚହଲେ

ଶୀତଳ ଜଳ ଆଟିକା କାହାର, ପାଥେୟ ସିଏ ମୃତ୍ୟୁ ପରେ

ଥିଲା ସିନା, ଆଜି ତାର ନିଜ ମୃତ୍ୟୁ ଶେଷେ

ସମୟର ଭଙ୍ଗା ଛାଇ ନିସ୍ତରଙ୍ଗ ମୁହୂର୍ତ୍ତର ହ୍ରଦରେ ଦୋହଲେ ॥

Image

 

ପାଗଳ-ଗାରଦ

(ଏକ)

 

ଏଠି ମାପିବା ସହଜ କେତେ ରାସ୍ତା ଆଖିର-

କଳାଡୋଳାରୁ

ସାମନାର ମଲ୍ଲୀ ଗଛ, ପାଣି ଟବ୍, ପଥର କାନ୍ଥକୁ,

ଏଠି ମାପିବା ସହଜ କାନଠାରୁ କେତେ ରାସ୍ତା

ରୁଣୁଝୁଣୁ ପାଣିକାଚ ଆଉ କୋଠରୀର,

ଲୋମକୂପଠାରୁଁ ରାସ୍ତା କେଉଁଆଡ଼େ, ମହାଶୂନ୍ୟତାରେ

କେତେଦୂର ମାଟି ଓ ବରଷା ଗନ୍ଧ

ଦୂବଘାସର ଚାଦର

ଯେଉଁଠାରେ ଚଉତରା ଆମ୍ୱଗଛ ଭାଙ୍ଗୁଛି ବଉଳ ॥

 

ଏଠି ବି ଭାରି ସହଜ ଜାଣିବାକୁ ସେ ରାସ୍ତାର

ସମସ୍ତ ମାଇଲ ଖୁଣ୍ଟି, ପଥଶ୍ରମ, କଣ୍ଟା ଆଉ ଲୁହ

(ସେଇ ରାସ୍ତା ଯାହା ହାଇମାରି ଶୁଏ ପାତଳ ଖରାରେ

ଲମ୍ୱି ରହି ନିଜଠାରୁ ଅଜଣା କେନ୍ଦ୍ରକୁ ଏବଂ

ଯାହା ସମୟଭେଦରେ କେବେ ମନେହୁଏ

ଖାଲି ଗୋଟେ ଧାରଣା ଓ ପତିଆରା; ଆଉ କେବେ

ତା’ ହେଣ୍ଟାଳ ଦୂରୁ ଶୁଭେ, କାନରେ ଅତଡ଼ା)

କେତେ ବାଲି, କେତେ ତାତି ସେ ରାସ୍ତାରେ,

କେତେ ହସ-ଘାସ ଫୁଲ, ଆଉ କେତେ କୋହ ॥

 

ଟ୍ରାଫିକ ପୋଲିସ୍ ନାହିଁ, ଭିଡ଼ ନାହିଁ,

ବିପଣୀବିଥିକା ନାହିଁ

ଶୂନ୍‍ଶାନ୍ ଖାଁ ଖାଁ ରାସ୍ତାର ବାଟୋଇ

ସେଠାରେ ଏ ପାଣି ଟବ୍, ମଲ୍ଲୀଗଛ, ରୁଣୁଝୁଣୁ

ପାଣିକାଚ

ସତେ କି ବାହାରେ ନାହିଁ, ଗମ୍ଭୀର ଭିତରେ

ଜଳେ ଦପ୍ ଦପ୍

ସ୍ନାୟୁ ଶିରା ଧମନୀରେ ନାଚେ ଥେଇ ଥେଇ ॥

 

(ଦୁଇ)

 

ଶ୍ରୀଯୁକ୍ତ ରିଚାର୍ଡ଼ ଦତ୍ତ ତେଣୁ ନିହାତି ନିଶ୍ଚିତ

ଯେ ସେ ନିଜେ କୃଷ୍ଣ ଓ ଅର୍ଜୁନ;

ସେ ତେଣୁ ଝରକା ରେଲିଂ ବାଡ଼ା ଧରି

ଭେଁ ଭେଁ ଡକାପାରି

ନେଳିଆ ଆକାଶ ଆଉ ଏକେଲା ଚଢ଼େଇ ଆଗେ

ବଖାଣିଲେ

ଦେଖ ବାବୁ ତମେ ଦିହେଁ ଜଳଜଳ ଦେଖୁଛ ତ ସାଥୀ

କହ ଭଲା ମୁଇଁ କେବେ ସେ ବିଚାରା

ନ’ ବର୍ଷର ଲୁସିଟାକୁ ନିଷିଦ୍ଧ ଯୌନ ଲୋଭରେ

ମାରିପାରେ ?

ମୁଁ ତ ଜାଣ ସେତେବେଳେ ମୋ ଆପଣା

ରଥର ସାରଥୀ ॥

 

ବାକୀ ଇବ୍ରାହିମ ସେଠୀ

ଶିଉଳି ନେସା କାନ୍ଥରେ ଜିଭ ଚାଟି

ଚୁଚୁମିଲେ ବର୍ଷୁକ ବଉଦ ।

ଆର ବର୍ଷ ଖାଇଥିଲେ ଆଉ କ’ଣ ଭୋକ ଅଛି ??

ଏବଂ ତାଙ୍କ ମାଆ ଯେଣୁ ବଞ୍ଚିଛନ୍ତି

ସେ କିପରି ମରିଗଲେ ଲୋକେ କହୁଛନ୍ତି ??

ଏବଂ ତାଙ୍କ ହାଡ଼, ମାଂସ ଭୋକିଲା କୁଷ୍ଠୀଙ୍କ ପାଇଁ

କିପରି ବା ହେଇଗଲା ଚାଉଳ ଓ ଖୁଦ ?

ସେ ବୁଝି ପାରନ୍ତି ନାହିଁ ॥

 

ଆଉ ପଞ୍ଚାନନ ଅଲି

କହିଲେ ସ୍ଵପ୍ନ ଦେଖିଲି

ଦରୱାଜା ଆରପଟେ କାନପାରି ଛକିଥିଲେ

ପାଞ୍ଚଟି ଇଂଦ୍ରିୟ; କୋଠରୀରୁ ବାହାରି

ମୋ ଅନ୍ଧାରକଣା ଆତ୍ମାଟି

ଝୁଣ୍ଟି ପଡ଼ିଗଲା ହାୟ ତାଙ୍କରି ଉପରେ

ବାଟ ଖୋଜି ଅନ୍ଧାରରେ, ମାଂସ ଆଉ

ହାଡ଼ ମାଳ ଅଣ୍ଡାଳି ଅଣ୍ଡାଳି

ଫେରିଆସିଲା ଚଢ଼େଇ ତା’ ବସାକୁ

ଖଣ୍ଡି ଖଣ୍ଡି ଏଇ ଛାତି ପିଞ୍ଜରାର ତଳେ ॥

 

(ତିନି)

 

ଏଠି ମାପିବା ସହଜ କେତେ ରାସ୍ତା

ଷଠୀଦୁଛେଇଁକ ଘରୁ ଭଙ୍ଗା ହାଣ୍ଡି, ଶାଗୁଣା ଓ

ଶୂନ୍ୟ ମଶାଣିକି

ଏଠି ମାପିବା ସହଜ କେତେ ଦୂର

ବୈକୁଣ୍ଠରୁ ପାତାଳପୁରୀକୁ ॥

 

ଭଙ୍ଗା ହାଣ୍ଡି, ଶାଗୁଣା ଓ ସେ ଶୂନ୍ୟତା,

‘କେହି ନାହିଁ’ କେହି ନାହିଁର ରାଗିଣୀ

ବୈକୁଣ୍ଠ ଓ ସେ ପାଗଳପୁର

ପାଣି ଟବ୍, ମଲ୍ଲୀଗଛ, ରୁଣୁଝୁଣୁ ପାଣିକାଚ

ଏ ସବୁ ଏଠି ବା ସେଠି ଆଜି ନାହିଁ

କେବେ ବି ନ ଥିଲା;

ସବୁଦିନେ ସେମାନେ ଭିତରେ ଥିଲେ

କେବେ ହସି ଖିଲିଖିଲି, କେବେ କାନ୍ଦି କଇଁ କଇଁ

ମହା ଅଝଟିଆ ସତେ ସେ ଅବୁଝାପିଲା ॥

Image

 

କୁହୁଡ଼ି

(ଏକ)

 

ସକାଳେ ସମୁଦ୍ର ଥିଲା ।

ସମୁଦ୍ରର ଢେଉମାନେ ସବୁ ଏକାକାର କରି

ଦଶଗଜ ଦୂରତାରେ ହାତଟେକି ମୋତେ ଡାକୁଥିଲେ,

ମନ୍ତ୍ରପଢ଼ି ଫେରସ୍ତ ବି କରୁଥିଲେ

ମୋ ଦୁବ, ଚାଉଳ ଆଉ ଗେଣ୍ଡୁଫୁଲ, ଗୁଆ, ପଇଡ଼କୁ

ଯାହା ଦେଇ ଭାବିଥିଲି ମୃତ୍ୟୁ ଆଗୁଁ ଋଣମୁକ୍ତ ହେବି

ସମୁଦ୍ରର ବଗିଚାରେ ଛନ ଛନ ଲଙ୍କା ଗଛ ହୋଇ ॥

 

ମୁଁ ବେଚାରା ବଗିଚାରେ ଖୁଣ୍ଟୁଥିଲି କଅଁଳିଆ ଦିନଟିର ପଟାଳିରୁ

କେତୋଟି ପ୍ରତ୍ୟୟ ଆଉ ଭରସାର ଆଶ୍ଵାସନା

ଆଗରେ ସମସ୍ତ ଦିନ ଓ ତା’ର ଉଷର ଭୂଇଁ, ବାଲି ପନ୍ତାରର

ଚା’ କପ୍‍ରେ ଜାଣିନି ମୁଁ ଅଚାନକ କେଉଁ ଫୁଲ

ସାବ୍‍ଜା ହାତମୁଠା ଖୋଲି ରଙ୍ଗ ଆଉ ଆଲୁଅ ଝାରିଲା ॥

 

ଡଙ୍ଗା ମୋର କେବେ ବି ନ ଥିଲା (ଏମିତି କି କାଗଜର)

କିପରି ବା’ ମୁଁ ଯାଆନ୍ତି ଢେଉ ଡେଇଁ ଡେଇଁ

ଦୟାପରବଶ ହୋଇ ଏ ସମୁଦ୍ର ଯଦି ଆଜି ହାତ ପାହାନ୍ତାରେ

ହାପ୍‍ଷ୍ଟେପ୍‍ ଜମ୍ପରେ ସ୍କୁଲରେ ପ୍ରଥମ ହେବା ସତ୍ତ୍ୱେ

ଏବଂ ମୋର ପ୍ରଗାଢ଼ ବିଶ୍ୱାସ ସତ୍ତ୍ୱେ

ଯେ ତୁମ କରୁଣା ହେଲେ ପଙ୍ଗୁ ମଧ୍ୟ ଲଂଘିଯାଏ ଗିରି ॥

 

ଜାଣି ନିଶ୍ଚେ ଖୁସି ହେଲି

ଯେ ଏଇ ସମୁଦ୍ର, ଏଇ ମହା ସୌଦାଗର

ମୋ ପରି ସାମାନ୍ୟତମ ଖାତକଙ୍କ ଋଣଭାର

ତା ଖାତାର ନିର୍ଦ୍ଦିଷ୍ଟ ଫର୍ଦରେ

ନାମ, ଧାମ, ତାରିଖ ସମୟ ଆଉ ସୁଧମୂଳ ହିସାବ ରଖିଛି ଏବଂ

ହଉ ପଛେ ସେଥିପାଇଁ, ମୋ ପରି ଅକିଞ୍ଚନକୁ

ମନରେ ଆଣୁଛି ॥

 

ଏବଂ ଏଇ ମୁହୂର୍ତ୍ତରେ ସମସ୍ତିଙ୍କୁ

ମୋ ପଡ଼ୋଶୀ, କୋଠାବାଡ଼ି, ରାସ୍ତାଘାଟ, ଗଛବୃଛ

ଏକାକାର କରି

ସଭିଙ୍କର କାଗଜରେ ପରିଚିତ ଅଫିସର ସିଲ୍ ପରି

ନିର୍ଦ୍ଦିଷ୍ଟ ମୁହୂର୍ତ୍ତଟିର ମୋହର ମାରିଛି ॥

 

ଆତ୍ମାର ସନ୍ତାୟ ତାରି ଶକ୍ତି ସଞ୍ଚାରିଛି । ନିଷ୍କରୁଣ ମୁହୂର୍ତ୍ତରେ

କେହି ଆଉ ଭୟରେ ଥରୁନି

ତା’ ଢେଉମାନଙ୍କ ପରି କେହି ଆଉ ଏକୁଟିଆ ନୁହେଁ

କାନ୍ଧରେ କାନ୍ଧ ମିଳେଇ ମହାକାଳ ମୁକାବିଲା ପାଇଁ

ବାଲିରେ ଭାଙ୍ଗିବା ଆଗୁ ରଣ୍‍ଝଣ୍ ତରଙ୍ଗର ବିଜୟ-ବାହିନୀ ॥

 

(ଦୁଇ)

 

ଏଇନେ ସକାଳ ନାଇଁ

ହାମୁଡ଼େଇ, ହାମୁଡ଼େଇ, ଆକାଶର ନେଳିକୁ କାମୁଡ଼ି

ସୂର୍ଯ୍ୟଦେବ ପାଞ୍ଚହାତ ଆଗେଇ ଗଲେଣି,

ଏଇନେ ସମୁଦ୍ର ନାଇଁ କିଏ ଜାଣେ କେବେ ସିଏ ଥିଲା ।

ଗୋଟେ କପ୍ ତା ଆଉ ଦଶଟି ଖୋଜରେ କିଏ ଜାଣେ

ମୋ ବେଳ ସରିଲା ॥

 

ଏବେ ତୋଫା ଦିଶିଲାଣି ଯନ୍ତ୍ରଣାର ବିଭିନ୍ନ ପୃଥିବୀ

ବେଦନାରେ ଜୁଡ଼ୁସୁଡ଼ୁ ସ୍ୱତନ୍ତ୍ର ଆତ୍ମା ଅନଳେ ଦପ୍‍ଦପ୍‍ ଜଳେ

 

ସାମନାର ନାଲି କୋଠା ବାରଣ୍ଡାରେ ସେ ଝିଅର ମୁକୁଳା କବରୀ

ଜାମାଯୋଡ଼ କୁଣିଆଙ୍କ ଆଗେ ଆଗେ ଭଣ୍ଡାରୀ ଭାରୁଆ ଦଳ

ଜଳିଲା-ନିଭିଲା ସ୍ମୃତି କାମନା ଓ ଭବିଷ୍ୟତ

ପ୍ରକୃତିର କୁହାଟ ଓ ବିବେକର ଦାରୁଣ ପ୍ରହରୀ ॥

 

ସବୁ ପୃଥ୍ଵୀ ଅଲଗା ଅଲଗା ପୁଣି

ପରିଣାମ ହେଉପଛେ ବତାସରେ ପତ୍ରପରି

ଭୟରେ ଥରିବା । ବାଲି ଆଉ ପଙ୍କ ଯେତେ ସମୁଦ୍ରର କିନାରାରେ

ତା ଉପରେ ପାଦ ଚାପି ଯିବା ॥

 

ତୁମ ଋଣ ବାକୀ ଅଛି, ସୌଦାଗର ମୁଁ କେବେ ଭୁଲିନି

ଛୋଟ ଛୋଟ ମୁହୂର୍ତ୍ତର ମୋ ସଞ୍ଚିଲା ସମ୍ପତ୍ତିରେ

ପ୍ରତ୍ୟୟର ସାମାନ୍ୟ ରେଜାରେ

ଭଣ୍ଡାରି ମୁଠି ଅଣ୍ଡାଳି ଟଙ୍କା ଦୋଟିରେ

ତାକୁ କେବେ ଶୁଝି ହୁଏ

ଶୀତ ସକାଳର ଭ୍ରାନ୍ତି, କପେ ଚା’ ଦି’ ଖୋଜ ବାଟରେ ?

ହିସାବନିକାଶ ପାଇଁ ଏବେ ମୋର ସମୟ ଆସିନି ॥

Image

 

ଅନ୍ୟ ସମୟ

ସାମ୍ରାଜ୍ୟ

 

ଖରାର ସାମ୍ରାଜ୍ୟ ବଡ଼ ମୁଙ୍ଗେର ଓ ଗୟା ଜିଲାଠାରୁ ॥

 

ଫାଇଁଫାଇଁ ନିଶ୍ୱାସର ଖରସ୍ରୋତ, ଧୂ ଧୂ ଖୁରାର ଧୂଳିରେ

ଅସଂଖ୍ୟ କରଦ ରାଜ୍ୟ ସୀମାରେଖା ପୋଛିଦିଏ ଯଜ୍ଞଅଶ୍ଵ ତା’ର

କାଳସମ ଉଦାସୀନ ଛୋଟ ଝିଅ ପୋଛିଦିଏ

ଅତି ଯତନରେ ଲେଖା ସିଲଟେ ଅକ୍ଷର ॥

 

ଆଖିପାଏନି ସମୁଦ୍ର, ଛାଇ ନାଚେ ଅପନ୍ତରା ଗହୀରି ବିଲରେ

ଏଠି ଗାଁ । ଚିତ୍ର ପ୍ରତିମାଟି ଆହା ନରଖର

ମୁଣ୍ଡପୋତି ପଡ଼ିଛି ନିଦେଇ

କେଉଁଠି ଦୂରରେ ଶୁଭେ ଅପରାହ୍‍ଣ ପିଟୁଛି ଧେଣ୍ଡୁରା

ଉତୁରି ପଡ଼େ ଉତ୍ତାପ, କୁହୁଡ଼ି ଓ ଦୂର ମରୀଚିକା

ଚାଟଶାଳୀ, ରାସ୍ତା, ଘର ସତେ ଅବା ଥରୁଛନ୍ତି ଅଥାନରେ

ଭୁଲରେ ପହଞ୍ଚିଯାଇ ଶତ୍ରୁ ରାଜ୍ୟେ ଆସି ଏକା ଏକା ॥

 

ଏଠି ଏକମାତ୍ର ବେଳା ଅପରାହ୍‍ଣ । ନିଃସ୍ଵ ଦିନଟିଏ

ଘୁଷୁରି ଘୁଷୁରି ଯାଏ ଛନ୍ଦି ହୋଇ ଗୋରୁହାଡ଼, ଭଙ୍ଗାକାନ୍ଥ

ଶୁଖିଲା ପୋଖରୀ ଆଉ ପଦ୍ମନାଡ଼, ପୋଡ଼ା ହିଡ଼ବାଡ଼

ମଲାସ୍ଵପ୍ନ ଓ କଙ୍କାଳ ଗହଳିର ଧରିତ୍ରୀ ଛାତିରେ ॥

 

ତା’ପରେ ନୀରବରେ ଡେଇଁପଡ଼େ ଥୁଣ୍ଟାଗଛ

ଡାଳଟିରୁ ଆକାଶ କୋଳକୁ

ମୁହୂର୍ତ୍ତକେ ସବୁ ହୁଏ ଶୁନ୍‍ଶାନ୍ ଅନ୍ଧାରର ସପ୍ତସିନ୍ଧୁ ଘୋଟେ

ଆଉ କେବେ ମହୁରଙ୍ଗ ଜହ୍ନ ଉଏଁ । ରଣିଫୁଲ ରାତି

ଗାଁରୁ ଗାଁକୁ ଯାଏ କ’ଣ ଖୋଜି ? କିନ୍ତୁ ଅପରାହ୍‍ଣ

ବଜାଉଥାଏ ବିଗୁଲ୍ ପରି ଘୋଷି ଅଖଣ୍ଡ ରାଜୁତି ॥

 

କି ସୁନ୍ଦର ଜହ୍ନରାତି ଅଥଚ ଅଘୋରି ପ୍ରାଣୀ !

କି କରମ ଜନ୍ମରୁ ନିଶାଖା । କିଆରୀରେ ପାଣି ବୁନ୍ଦେ ପାଇଁ

ରାସ୍ତାକଡ଼େ, ଗଛମୂଳେ ନିଦ ଓ ଭୀଷଣ ସ୍ଵପ୍ନ ଜହ୍ନ-ଚନ୍ଦନରେ

ବୋଳି ହୋଇ ଓ ପାଖରେ କୋଦାଳ ଓ ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅ

ଆଉ କେବେ ମଲାଧାନ ଗଛମୂଳେ ଦି’ ଟୋପା ଡହ ଡହ ଲୁହ ॥

 

ସ୍ତନ କଳ୍ପଲତା ଫଳ ଶୁଖିଯିବା ପରେ ଏମାନେ ଖୋଜନ୍ତି ବାଟ

ସେଦିନ ସେ ବୁଢ଼ୀପରି କାଖରେ ଆସନ୍ନ ମୃତ୍ୟୁ ଯାକିଧରି

ମୁଠାଏ ସୋରିଷ କିମ୍ୱା ପଟେ ରୁଟି, ଚଢ଼େଇ ଥଣ୍ଟ ସକାଶେ

ଶାମୁକାଏ ଦୁଧପାଇଁ । ହନ୍ତସନ୍ତ, ଦହଗଞ୍ଜ ଯେତେ ଅପରାହ୍‍ଣ

ବୋଧଗୟା, ଲୁମ୍ୱିନୀ ଓ କୁଶିନାରା କେଉଁଠି ସେ ଶୀତଳ କରୁଣା

ନକ୍ଷତ୍ରର ରାତି ଯାହା ନିଦ ଦିଏ, ସ୍ଵପ୍ନ ଦିଏ, ମାୟାଭ୍ରମ ଦିଏ

ଛାଇ ଆଉ ଆଲୁଅର ଚକାଭଉଁରୀରେ ଯେବେ ପ୍ରାଣ ବାଟବଣା ॥

 

ଜହ୍ନ ଆଲୁଅର ମାୟା, ସ୍ଵପ୍ନ ଝୁଲେ ଭିଣାତୁଳା ମେଘର ଧଡ଼ିରେ

(ଇଏ କ’ଣ ତାଙ୍କପାଇଁ ?) ଗଛ ବୃଛ ଆଉ ଜମିବାଡ଼ି

ବିଲହିଡ଼, କୁହୁଡ଼ି ଓ ମଣିଷର ସିଲଏଟ୍ ହଠାତ୍ ଉଭେଇଯାଏ

ଅନ୍ଧାର ଜାଲରେ ଜହ୍ନ ବୁଡ଼ିଗଲା ପରେ,

ପୁଣି ଯେବେ କାଲିର ସକାଳ

ମୁକ୍ତିଦେବ ସେ ଜାଲର ଅନ୍ଧାରରୁ ଆଉ ଥରେ ଜଳିବାକୁ

ସଭିଙ୍କ ଆଗରେ ॥

 

ଖରାର ସାମ୍ରାଜ୍ୟ ବଡ଼ ମୁଙ୍ଗେର ଓ ଗୟାଜିଲାଠାରୁ

ଖରାର ସାମ୍ରାଜ୍ୟ ବଡ଼ କରୁଣା ଓ ମାୟା ଇଲାକାରୁ ॥

 

କତିପୟ ମୂର୍ଖଲୋକ

 

ନାଟମନ୍ଦିର ବାହାରେ ଶୂନ୍ୟର ଛାଇରେ

ଆଶ୍ରା ନେଇ ବଡ଼ପଣ୍ଡେ କିଏ ସବୁ କାନ୍ଦୁଥିଲେ ? କ’ଣ ପାଇଁ ?

ଅନ୍ଧାରରେ ଶୁଭୁଥିଲା ନାକ ସଁ ସଁ ଆଉ ଖାଲି କଇଁ କଇଁ

ସେମାନଙ୍କ ଦରଖାସ୍ତ ରଖିଲ ତ ?

ତାଲିକା ତିଆରି ତୁମ ଶେଷ ହେଲା ?

ପଢ଼ିବଟି; କି ଅଦ୍‍ଭୁତ ସମସ୍ତେ ଚାହାନ୍ତି ମୁକ୍ତି

ନିଜର ନିରୋଳା ସ୍ଥାନ, ନିଛାଟିଆ ଦିନର ଜାଲରୁ

ମରୁଡ଼ିର ଶୂନ୍ୟଦେଶ ପାରିହୋଇ

ସବୁଜର ବୈକୁଣ୍ଠକୁ ଉତ୍ତରଣ ପାଇଁ

ଯୋଉଠି ଗଛପତର ସବୁଜ ଫୁଲ ଫଳରେ ଭାଙ୍ଗିପଡ଼େ

ଯୋଉଠି ଜାହାଜ ଉଡ଼େ ପାଲ ଟାଣି, ବହିଯାଏ କୁଳୁକୁଳୁ ନଈ ॥

 

ମହାପ୍ରଭୁ, ଏମାନେ ଆସିଅଛନ୍ତି ଘର ଛାଡ଼ି, ଗାଁ ଛାଡ଼ି

ଏଇ ମୂର୍ଖ ଲୋକମାନେ ସହଜେ ଅଜ୍ଞାନ

ହଜୁରଙ୍କ ପରି କ’ଣ ବସୁଧାକୁ ଘର ବୋଲି ବିଚାରିବେ

ଗୋଟିଏ ଜେଗାରେ ବସି ଗ୍ରହ, ତାରା ନିହାରିକା ଆଖି ପାଉଥିବ,

ହାତଗୋଡ଼ ଛୁଉଁଥିବ ନିମେଷକେ ଚଉଦ ବ୍ରହ୍ମାଣ୍ଡ ?

ତେଣୁ ଖାଲି ମାୟା ମୋହେ ଘୂରି ଘୂରି ଯେତେ ହନ୍ତସନ୍ତ

ଯେମିତି ଏ ହାଡ଼ୁ ସାହୁ ବାଲୁବିଶି ପ୍ରଗଣାର ଗାଁ ନା ବନ୍ତ

ତା’ର କାନ୍ଦ ଗାଁ ମଶାଣିଟି ପାଇଁ, କିଆବଣ,

ଅର୍କବୁଦା କଣ୍ଡିଆ କଡ଼ରେ

ଯୋଉଠି ପବନ କାନ୍ଦେ, ପେଚା ଡାକେ,

ଖପୁରୀ ଓ ଭଙ୍ଗା ହାଣ୍ଡି ଗଡ଼େ

ଯୋଉଠି ତା’ ବାପ, ଅଜା, ଅଣଅଜା, ପଣଅଜା

ଶୋଇଛନ୍ତି ନିଶ୍ଚିନ୍ତ ନିଦରେ

ଆଉ ଆଜି ପଁଷଠି ବର୍ଷରେ ଶୋଇବାର ଥାନ ଟିକେ

ବାଛିବାକୁ ହେବ ତାକୁ କେଉଁ ଏକ ଅଚିହ୍ନା

ଓ ନିଆରା ଜେଗାରେ ॥

 

ଇଏ କୁଷେଇ ମଳିକ, ମଉଜେ କଣ୍ଢେଇବେଙ୍କ ଜାତିରେ କଣ୍ଡରା

ତା’ ଭଉଁରୀ ଜାଲ ପଡ଼େ ଖପ୍‍ଖାପ୍, ଯେତେବେଳେ ପାହାନ୍ତିଆ

ଆକାଶରେ ତରା ନିଭି ନିଭି ଆସୁଥାନ୍ତି, ଚହଟେ ସିନ୍ଦୁରା

ସେ କାନ୍ଦୁଛି ମୀନଗୁଡ଼ା ଓ କଙ୍କଡ଼ା ଶୁଖି ଠକ ଠକ ଆହା

ଛଟପଟ ହୋଇ ମରିଗଲେ, ମଲାଧାନ କିଆରୀରେ ଲାଞ୍ଜ ଛାଟି

ଦଣ୍ଡିକିରୀ ଆଖି ବୁଜି ନିଦରେ ଶୋଇଲା

ସରଯୁର ଘାଟଡଙ୍ଗା ଜଳନ୍ତା ବାଲିରେ ଏବେ ଘୁମୋଉଛି

ତା’ କଣ୍ଠରୁ ଗୀତ ସରିଗଲା, ଉଇ ଖାଇ ଶେଷ କଲେ

ପଖିଆ, ଭଉଁରୀ ଜାଲ, କାତ ଓ ଆହୁଲା

ଦକ୍ଷିଣା ପବନେ ଗଲା ସେଦିନ ହଠାତ୍ ଉଡ଼ି ଯେ କଳାବଉଦ

କାହା ବୋଲେ ଗଲା ଆହା ଦି’ ବରଷ ବିତିଗଲା

ଆଉ ଥରେ ତା’ ଗାଆଁକୁ ବାହୁଡ଼ି ନଇଲା ॥

 

ବାକୀ ଇଏ ଚେମା ନନା, ପାଲାମୌ ପ୍ରଗଣାର ହରିଶ୍ଚନ୍ଦ୍ର ପୁର

ତେରୋଟି ବରଷ କାନ୍ଦେ ତା’ ଗାଆଁ ତୋଟା ଆଉ ମହୁଫେଣା

ମହୁମାଛି ପାଇଁ । ପଛରୁ ଓଟାରେ ଯେବେ

କେଉଁ ଦୂର ଅନ୍ଧାରୀ ମୂଲକୁ

ନଈରେ ରଜ ବାଗୁଡ଼ି,

ତରାଟ ଫୁଲ ଅଗରେ ବାଇଗବା କ୍ଷୀରର ବେଲୁନ

କେତକୀ ବଣର ବାସ୍ନା, ନିମଫୁଲ, କନିଅର ଆଉ ଜାଗୁଳେଇ

ଯୋଉଠି ସଂଧ୍ୟା ଘୁମାଏଁ ଅଣଓସାରି ଗଳିରେ

ଜ୍ୟେଷ୍ଠର ସୁନା ଧୂଳିରେ ବର୍ଷାନାଚେ ଅସରା ଅସରା

ତାରା ସବୁ ଆକାଶରେ ବୁଢ଼ୀମାର ବଡ଼ି କୁଲା

କଳା କଳା ମେଘମାନେ ଦିଆଲରେ ଘଷି ଫରାଫରା ॥

 

ବ୍ରହ୍ମଜ୍ଞାନୀ

 

ଯିଏ ନଦୀ ସିଏ ନାରୀ, ସିଏ ମେଘ ସିଏ ବି ନଉକା

ନଈଧାର ମରିଗଲେ ନଉକା ବାଲିରେ ଗଡ଼େ

ନଉକା ନାୟିକା ହେଲେ ଭେଳା ବୁଡ଼େ

ଫୁଲି ଫୁଲି ନଇଁଥିବା କଳାମେଘ ଶୁଖିଗଲେ

ପୃଥିବୀର ହାଡ଼ ଦିଶେ, ଚମ ହୁଏ ଶୁଖା ଖଡ଼ଖଡ଼

କଳା ଭଅଁରକୁ ଜିଣି କବରୀ କେବେ ବି ହୁଏ

ଯମରାଜଙ୍କ ସ୍ୱାଗତ ଧବଳ ଚାମର ॥

 

ବର୍ଷାଧାରା ମାନେ କ’ଣ ?

ଆକାଶ ଓ ପୃଥିବୀର ଅସରା ପ୍ରେମକାହାଣୀ

ଗୁପ୍‍ଚୁପ୍ ଚିଠି ଆଉ ପ୍ରତିଶ୍ରୁତି, ନୀରବ ସଂପ୍ରୀତି

ଆପଣା କେନ୍ଦ୍ର ବିଂନ୍ଦୁରେ ପ୍ରଜ୍ଵଳିତ ଶିଖା ନୁହେଁ

ନିର୍ବାଣ ନିଷ୍କମ୍ପ ଗୃହେ ଧ୍ୟାନମଗ୍ନ ଦୀପ ନୁହେଁ-

ସ୍ନେହର ଝଡ଼ରେ ଭାଙ୍ଗି ନିଜକୁ ବିଛେଇ ଦିଏ

ନିଶୂନ, ନୀଳ ଆକାଶ ନଗ୍ନ ଶୂନ୍ୟତାରେ

ଯେଉଁ କଳାମେଘ ତା’ର କୋଟି କୋଟି ହାତ

ଆବେଗରେ ଲମ୍ବି ଆସେ

ଛୁଇଁବାକୁ ଏ ମାଟିର ତାତିଲା ଦେହକୁ ॥

 

ବର୍ଷା ତେଣୁ ସମ୍ପର୍କର ବହୁ ଛୋଟ ପୋଲ

ଯାହାର କ୍ଷୁଦ୍ର ବିନ୍ଦୁରେ ତୃଷିତ ମାଟିର ଆଶା

ବଉଦର ସାଇଁ ସାଇଁ କୁଳୁକୁଳୁ ନଈ

ଆଉ ସମୁଦ୍ରର ଉତଳା ତରଙ୍ଗ

ଯୋଡ଼ିହୁଏ ସ୍ନେହର ଭାଷାରେ ॥

 

ସେ ଭାଷା ଶସ୍ୟର ଭାଷା । ସେ ଭାଷା ଘାସର ଭାଷା

ହୋମାନଳ, ଆହ୍ନିକ ଓ ଜପତପ ବର୍ଣ୍ଣମାଳା

ବୁଝାଇ ପାରେନି କେବେ ସେ ଭାଷାର ଠାର

ଫିଟାଇ ପାରେନି କେବେ ଗୂଢ଼ ଅର୍ଥ ତା’ର ॥

 

ତେଣୁ ଯେବେ ପଡ଼ିଶା ରାଜ୍ୟର ଲୋକେ

ଅସହାୟ କାନ୍ଦଣାରେ ଭାସିଯାନ୍ତି ସାମ୍ନାର ନଈରେ

ତମେ କଣ ଚୁପ୍ ହୋଇ ବସିଥିବ ଆଖିବୁଜି ତମରି ଦ୍ୱୀପରେ

ସମ୍ପର୍କର ପୋଲ ସବୁ ଭାଙ୍ଗିଥିବ, ରାସ୍ତା ବନ୍ଦ ଅସହାୟ ବାଙ୍କ

ହୋମ ଗନ୍ଧେ ମିଶୁଥିବ ପୁତିଗନ୍ଧ, ଯନ୍ତ୍ରଣାର ମଳିନ ବିକାର

ମନ୍ତ୍ର ବାକ୍ୟେ କମା ଆଉ ପୂର୍ଣ୍ଣଚ୍ଛେଦ ଶ୍ଵାନ ଆଉ ଶୃଗାଳ ଚିତ୍କାର

କିନ୍ତୁ ତୁମେ ଖୁସିଥିବ ଯେହେତୁ ତୁମ ପୃଥିବୀ ଅଲଗା ପୃଥିବୀ

ତପୋବନ, ପିତୃଦେବ, ସ୍ରୂବ, ସ୍ରୂଚ, ହରିଣ, ମୟୂରୀ ମୟୂର ॥

 

ପ୍ରଶାନ୍ତିର ତପୋବନ ଅବରୁଦ୍ଧ କୋଠରୀରେ

ନିର୍ବାକ ଚେତନାମୟ ନୀଳ ଶୁନ୍ୟ ନଭୋମଣ୍ଡଳରେ

ପଡ଼ୋଶୀ ରାଜ୍ୟ କାନ୍ଦଣା ଭାସେ ଯଦି ଧୂଳିକଣାରେ

ଅବଚେତନର ଛିଦ୍ରେ ରଶ୍ମି ରେଖା । ବର୍ଷାର ହାତ ବଢ଼ାଅ

ସ୍ନେହର ହାତ ବଢ଼ାଅ ଋଷ୍ୟଶୃଙ୍ଗ, ନଈରେ ନଉକା

ନଉକାରେ ତୃଷ୍ଣାତୁର, ଆଦିଭୂମି, ତପ୍ତଦେହ, ଆଦିମ ନାୟିକା

Image

 

ରତ୍ନମାଳୀ ଓ ସମୁଦ୍ର

 

ରାସ୍ତାର ମୁର୍ମୂର୍ଷୁ ଘାସ, ଅର୍ଖବୁଦା, ଗୁଡ଼କଙ୍କ

ଓ ବାଲିରେ ପାଦକୁ ଘୋଷାରି

କେଉଁ ଦୂର ସ୍ୱପ୍ନ-ସ୍ମୃତି ବୋଝ ବୋହି ସ୍ନାୟୁ ଓ ରକ୍ତରେ

ଶଂଖ-ଶୁଭ୍ର ମେଘ ଢାଙ୍କି ନଖ ଅଗେ

ଦୁଇ ବାଲି-ପାହାଡ଼ ଓ ଭିଜାଭିଜା କଳା ମାଟି ସନ୍ତସନ୍ତ

ବିସ୍ତାରରେ ଦୃଷ୍ଟି କ୍ଳାନ୍ତ ହେଲେ;

ଝାଉଁବଣ ଖିଡ଼ିକିରେ, (ହଜିଲା ସଂଗୀତ ସ୍ଵର ହଠାତ୍

କି’ମନେ ପଡ଼ିଗଲା !) ଝଲସଇ ନୀଳିମ ବଳୟ

ଚିତ୍ରପଟପରି ଏଇ ସମୁଦ୍ରର ଆଶ୍ଚର୍ଯ୍ୟ ଉଦୟ ॥

 

ମନେହୁଏ ସ୍ଥିର ଶାନ୍ତ ଲ୍ୟାଣ୍ଡସ୍କେପ୍‍

ସଙ୍ଗେ ଅବା ନିର୍ଭୁଲ ସାମିଲ୍,

ଦରଛିଣ୍ଡା, ନୋଚାକୋଚା ଜରାଜୀର୍ଣ୍ଣ କାଗଜରେ

ପରିଚିତ ଅଫିସର ସିଲ୍ ॥

 

ଝାଉଁବଣ ସମୁଦ୍ରର ସାମ୍‍ନାରେ

ମଳିନ ଗୀର୍ଜାର କ୍ରସ୍

ରହି ରହି ଗୁରୁ ଘଣ୍ଟା ଧ୍ଵନି

ତା’ ପାଖର ନୁଆଁଣିଆ ଚାଳଘର ଖିଡ଼ିକିରେ

ରତ୍ନମାଳୀ ଷୋଡ଼ଶୀ ରୂପସୀ

ପିଲାଦିନ ଆଖି ତା’ର (କାଖର ଦି’ମାସ ଶିଶୁ

ଆଖି ତା’ର), ଯୀଶୁଙ୍କର ସନ୍ତାନର ଆଖି

ମଇଳା ବହି ପୃଷ୍ଠାର ଛବି ଆଖି ପରି

ଲ୍ୟାଣ୍ଡସ୍କେପ୍‍, ଗୀର୍ଜା ଆଉ ଶୁଭ୍ର ମେଘ

ଓ ଆକାଶ ସବୁ କିଛି

ଛୁଇଁଗଲା ଅଣ୍ଡାଳି ଅଣ୍ଡାଳି ॥

 

ଆତ୍ମାର ଛାଇରେ ଦେହ;

ସର୍ମନ୍‍ର ଉଚ୍ଚାରଣେ, ଗାୟତ୍ରୀ ପ୍ରଣବେ

ଘୋଷା ପରି ଗୁଞ୍ଜରିତ ଅଶ୍ଳୀଳ ପିପାସା;

ତା’ରି ଏକ ପରିପୃକ୍ତ ସଂସ୍କରଣ

ନୁଆଁଣିଆ ଚାଳ ଆଗେ ଟୁପ୍‍ଟାପ୍, ଫୁସ୍‍ଫାସ୍

କଥାଭାଷା, ଦେଶୀ ମଦ ଭାଙ୍ଗ ଓ ଗଂଜେଇ

ସଂଧ୍ୟାଗମେ

ମେଘହୀନ ଆକାଶରେ ନକ୍ଷତ୍ରର ଭିଡ଼ ଜମେ

ଭାଙ୍ଗି ରୁଜି ମିଶିଯାଏ

ସ୍ନାୟୁ, ଶିରା, ରକ୍ତ, ମାଂସ, ହାଡ଼

ଅନ୍ଧାରର ମସିଣାରେ ଦେହ ଆଉ ମନର ପହୁଡ଼ ॥

 

ଭଙ୍ଗା ଲଣ୍ଠନରେ ଯଦି ତେଲ ନାହିଁ, ବତୀ ନାହିଁ

ଜଳିବାର ଅଭୀପ୍‍ସା ବି ନାହିଁ

ସଂଧ୍ୟା ହେଲା-ମଳିନ ନକ୍ଷତ୍ର ପରି ଆକାଶର ଦୂର ଇଲାକାରେ

ଜଳିବାକୁ ହେବ ବୋଲି । ପ୍ରଜ୍ୱଳନ ଦିକିଦିକି

ଜୁଳୁଜୁଳୁ ପୋକ ପରି ଜିକିଜିକି

ହେ କ୍ରସ୍‍ବାହକ ଯୀଶୁ ଆଉ ଏକ କଣ୍ଟାର ମୁକୁଟ ନିଅ

ସଜାଡ଼ିଛି ତମ ଶିଶୁ ଏଠି ତମ ପାଇଁ

ସ୍ଵର୍ଗଦ୍ଵାର ଅଧାଜଳା ରୁଇ କାଠ ଦେହ ତା’ର

ପୁଣି ଜଳିପାରେ

ଆତ୍ମାର ଆଲୋକ ଜାଳି ଘନ ତମିଶ୍ରାରେ

ହେ ଏକକ, ଏକୀଭୂତ ପିତା, ପୁତ୍ର, ପବିତ୍ର ବିଦେହୀ !! ॥

 

କେଉଁ ମୃତ ଗାନ ସ୍ଵର ଏ ସଂଧ୍ୟାର ଆରତିରେ ଜାଗେ !

ରିକ୍ତ-ପ୍ରାଣ ଆକାଶରେ, ରତ୍ନମାଳୀ ଆଖି ଠାରେ

ଦି’ମାସ ଶିଶୁର କ୍ଷୁବ୍ଧ ଅବହେଳିତ କ୍ରନ୍ଦନେ

ଏବଂ ଏହି ଶବ୍ଦହୀନ ଅନାହତ କରୁଣ ବେହାଗେ ॥

ପକ୍ଷୀ ସବୁ ଉଡ଼ିଗଲେ-ନାନା ଜାତି ସାମୁଦ୍ରିକ ପକ୍ଷୀ

ପକ୍ଷ ଝାଡ଼ି ଓ ଅସ୍ପଷ୍ଟ ବଙ୍କାଟଙ୍କା ବହୁ ରେଖା ଟାଣି

ଗୋଧୂଳି ଆକାଶ କରି ଉଦ୍‍ଭାସିତ

ଦୂରଦେଶେ ଅଜଣା ନିଳୟେ

କଙ୍କଡ଼ା ଧାଇଁ ପଶିଲା ଅସ୍ତବ୍ୟସ୍ତ

ତାର କେଉଁ ପରିଚିତ ଘରେ

ମାଆ ଦେହ କୁହୁଳିଲେ

ଚଉପଟେ ଯଦି ଥାଏ ବାସ୍ନାଭୋଗୀ ଅନେକ ମଣିଷ

ଶିଶୁର କାନ୍ଦରେ ତୁମେ ନିଅ ପ୍ରଭୁ

ନିଅ ପାପୀ ସନ୍ତାନର ଅସରା କୁର୍ଣ୍ଣିସ ॥

 

ଅସଂଖ୍ୟ ସମୁଦ୍ର ଜେଲି, ମଲା ଗେଣ୍ଡା, ଛିଣ୍ଡା ଫୁଲମାଳ

ନୋଳିଆର ଦଉଡ଼ିର ଛିଣ୍ଡା ଅଂଶ, ସମୁଦ୍ରର ଛିଣ୍ଡା ପଚା ଦଳ

ଭଙ୍ଗା ଯେତେ ଶାମୁକାର ଖୋଳ

ସେମାନଙ୍କ ନିଶ୍ୱାସରେ ଶୁଣିପାର ଗଲାଦିନ, ମଲା ସ୍ମୃତି

ସମୁଦ୍ରର ତରଙ୍ଗିତ ତନିମାରେ ଗଭୀର ଜଡ଼ାଇ

ଅଙ୍ଗେ ଅଙ୍ଗେ ସଂଗମର ଶିହରଣ ଦେଇ

ସେ ମହା ଆଶ୍ଳେଷେ ତା’ର

ପଞ୍ଚଭୂତ, ମନ ଆଉ ବୁଦ୍ଧି ଦୋହଲାଇ;

ସବୁ ଭୁଲ, ଏକବାରେ ଭୁଲ୍

ଯେମିତି ଅଜସ୍ର ପ୍ରଶ୍ନ ଓ ବେଦନା ବ୍ୟଥା ଅଶ୍ରୁ ନେଇ

ଉତ୍ତରର ପ୍ରଶାନ୍ତିରେ ସ୍ଥିର ଶାନ୍ତ ଆକାଶ ଓ ଲ୍ୟାଣ୍ଡସ୍କେପ୍‍ ସାଥେ

ଏ ସମୁଦ୍ର ଚିତ୍ରପଟ ଦୂରୁ ଦିଶେ ନିର୍ଭୁଲ ସାମିଲ ॥

 

ସମସ୍ତେ ଫେରିଲେ ଘରେ

ବୁଢ଼ା ବୁଢ଼ୀ, ଛୁଆ ପିଲା, ଯୁବକ ଯୁବତୀ

ଶୂନ୍‍ଶାନ୍ ବେଳାଭୂମି, ଶୂନ୍‍ଶାନ୍ ନାକ୍ଷତ୍ରିକ ରାତି

ସବୁ ହାୟ ଏକାକାର ଅନ୍ଧାରର ପ୍ରଶାନ୍ତିରେ

ଲୁହ ହସ ବେଦନା ଓ ତାତି

ସମୁଦ୍ର ଲୁଣି ହାୱାରେ ଆଇଁଷିଆ ବାସ୍ନା ଆସେ

ଲିଭାଦୀପ, ପୋଡ଼ାକାଠ, କାନ୍ଦ ଥମେ

ଅଚେତନ, ନିଶବଦ ରାତି ॥

 

ଯାହା କିଛି ଏ ସମୁଦ୍ର କରିବସେ

ମନେହୁଏ ସବୁଥିରେ ଚରମ ସିଦ୍ଧାନ୍ତ ତା’ର

ପଛକୁ ଚାହିଁବା ନାହିଁ, ଆଗପଛ ଏଣୁ ତେଣୁ ଭାବିବାର ନାହିଁ

ପରିଣତି ଯାହା ହେଲା (ସେ ହୁଏତ ହୋଇପାରେ

ଉତାଣି ଜହ୍ନ ରାତିରେ, ଉଲୁସା ଜୁଆର ସୁରେ

ଆକାଶର ଯୋନିସ୍ଥାନ, ଶଂଖ ଶୁଭ୍ର ବଉଦର ପୀନସ୍ତନ

ଛୁଇଁବାର ଦୁର୍ବାର ଅଭୀପ୍‍ସା

ଅଥବା ଓଦା ସକାଳେ, ଧୂଆଁପତ୍ର ରଙ୍ଗମଖା କ୍ଷିତିଜ ରେଖାରେ

ସହସ୍ରାଂଶୁ ସୂର୍ଯ୍ୟେ କରି ନମସ୍କାର

ଗଭୀର ଧ୍ୟାନ-ନିମଗ୍ନ ମନ୍ତ୍ର ସୁରେ ହୋଇ ହାତଯୋଡ଼)

ତାହାହିଁ ତ ଥିଲା କରଣୀୟ

ତାହାହିଁ ତ ଥିଲା ମନକଥା

କାରଣ ସମୁଦ୍ର କେବେ କହେ ନାହିଁ ପୂରା ବାକ୍ୟ,

ଗୋଟିଏ ବାକ୍ୟରୁ କିଛି ରଖିନିଏ ଗୋପନେ ଲୁଚାଇ

ରକ୍ତ ହେଉ, ଆତ୍ମା ହେଉ, ଛାଇ ଅବା ଆଲୁଅ ତା’ହେଉ

ହେଉ ଅବା କର୍ତ୍ତା, କର୍ମ,

କରଣ ବା ସଂପ୍ରଦାନ, ଅବ୍ୟୟ-ବାରତା

ରତ୍ନମାଳୀ ମନେ ଭାବେ ଏ ଦେହର ଉଷ୍ଣ ସୁଅ ଲାଭା ପରି

ଏ ମନର ଲୋତକ ଓ ଯେତେକ ବ୍ୟର୍ଥତା

ସବୁ ସେଇ ସମୁଦ୍ରର ଅପାର ପ୍ରାର୍ଥନା ସ୍ୱର

ସବୁ ଏକ ଅଜ୍ଞେୟ ମମତା ॥

Image

 

ଦୁଇପକ୍ଷୀ

 

“ହୋ ସୁର୍ପଣା, ସୟୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ଵଜାତେ

ତୟୋରନ୍ୟଃ ପିପ୍‍ପଳଂ ସ୍ୱାଦ୍ୱତ୍ତି ଅନଶ୍ନନ୍ନନ୍ୟୋ ଅଭିଚାଳଶୀତି”

ଶ୍ୱେତାଶ୍ୱେତରୋପନିଷଦ୍ ।

ଚନ୍ଦ୍ରଭାଗା, ଦୃଶଦ୍‍ବତୀ ସ୍ଥିର ତରଙ୍ଗର ବୁକେ

ହରରଙ୍ଗୀ ଆକାଶ ଓ ବଉଦର ଛାଇ

ତରଙ୍ଗ ଥରିଲା ଯେବେ ପ୍ରତିମା ବି ଚୂନା ହେଲା

ଭଙ୍ଗାରୁଜା ଛିନ୍ନଭିନ୍ନ ଇତିହାସ ବୁନିଆଦି, ଆକାଶ ଓ ମେଘ

ସକଳ ଅଶାନ୍ତ ଝଡ଼ କୋଳାହଳେ ମଂଦ୍ର ସୁରେ

କେ ସତେ ଫେରାଇଦେଲା ସେ ନିଳୀମା

କଳ୍ପଲୋକ, ଗାୟତ୍ରୀ ଓ ଓଁକାର ପ୍ରଣବ ॥

 

ବାଉଁଶର ଶୂନ୍ୟ ଗୋଲେଇରେ ଖୋଜିବସି ବଇଁଶୀର

ତାଳ ଲୟ ମୂର୍ଚ୍ଛନାର ଘର

ରକ୍ତ, ମାଂସ, ଅସ୍ଥି, ମଜ୍ଜା, ସ୍ନାୟୁତନ୍ତୁ ଲେଉଟାଇ

ଅଣୁବୀକ୍ଷଣରେ ପଢ଼ି, ନିକୁଟାଇ ଦେଖି ବାରମ୍ୱାର

ଅନୁଭୂତି, ଶିହରଣ, ଏ ଦେହର “ମାନେ”

ଖୋଜି ମନ୍ୱନ୍ତର ମନ୍ୱନ୍ତର ଧରି

ଖୋଜି ଖୋଜି ଅଗଣିତ ଦେହ ଓ ଦେହଳୀ

ମଥୁରା, ବିଦେହ, ଚମ୍ପା, ପୁଷ୍ପଗିରି, ମତ୍ସ୍ୟଗନ୍ଧା-ତରୀ ! ॥

 

ଚଉଷଠି କାମକଳା ଯେତେ ଯେତେ କବରୀ ଓ ନୀବିର ବନ୍ଧନ

ଅଜସ୍ର ବିଭିନ୍ନ ରତି, ଜଳକେଳି କେତେ ଭଙ୍ଗୀ ଆଶ୍ଳେଷ ଚୁମ୍ବନ

ସୁସଜ୍ଜିତ ପଲ୍ୟଙ୍କରେ, କୁସୁମିତ ଅଭିସାରେ,

ଚିତ୍ରପଟେ, ଶିଳାବୁକେ ସତ ଆବାହନ

ଅଭିଜାତ ସାଧବରେ, ରୂପଜୀବୀ ଗଣିକାରେ,

ଭ୍ରଷ୍ଟ ପିଙ୍ଗଳା ବେଶ୍ୟାରେ

କିଏ ସେ କହିଲା ଶେଷେ ତ୍ୟଜିବାକୁ ଏ ଦେହର ମୋହ ଆବରଣ

ଯଉବନ ମଦମତ୍ତା ମଧୁମତ୍ତା କାନେ କିଏ

ଗୁଞ୍ଜରିଲା ଶ୍ରମଣର ନିର୍ବାଣ ସପନ ? ॥

 

ମୋତି ଓ ମାଣିକ୍ୟ ଆଉ ମରକତ ହୀରା, ନୀଳା, ଅମୋଘ ବୈଦୁର୍ଯ୍ୟ

ଅଷ୍ଟରତ୍ନ, ଅଷ୍ଟନିଧି ବୈକୁଣ୍ଠର ସମସ୍ତ ଐଶ୍ଚର୍ଯ୍ୟ

ବୋଇତ ବୋଇତ ଭରା ସୁଅ ବାହି-

ନନିଗେନ୍, ତାମ୍ରଲିପ୍ତି, ଚେଳିତାଳୋ, ଚାରିତ୍ର୍ୟ ବନ୍ଦରେ

ସୁଦୂରର ସ୍ଵପ୍ନ-ଦ୍ୱୀପ, ପୋତାଶ୍ରୟ, ପଣ୍ୟ କୋଳାହଳ

ସହସା ହୋଇଲା କିଆଁ ନୀରବିତ, ସାଧବର ଆଖି ଛଳ ଛଳ

ସବୁ ଐଶ୍ଚର୍ଯ୍ୟର ପରେ କି ଭାବନା

କଲା ହୃଦ ବେଦନା-ବ୍ୟାକୁଳ ? ॥

 

ଗୋଟିଏ ଆଖି ଦେଖିଛି ମନ୍ୱନ୍ତର, ଘୂରି ଘୂରି ଛାୟା-ସୂର୍ଯ୍ୟ ପରି

ଗୋଟିଏ ଆଖି ଦେଖିଛି ଶତକୋଟି ଆଖି

କୁରୁକ୍ଷେତ୍ର ପୃଷ୍ଠଭୂମେ ବେଲାଳସେନ ସେ ସତେ

ଲୁହ, ଲୁହ, ଶୌର୍ଯ୍ୟ ବୀର୍ଯ୍ୟ, ଗୃଧ୍ର,

କବନ୍ଧର-ସେ ନୀରବ ଦ୍ରଷ୍ଟା !

ଅବାଙ୍‍ମୟ ସେ ମଉନ ସାକ୍ଷୀ ॥

 

କୁରୁକ୍ଷେତ୍ର ରଣାଙ୍ଗନେ ଅବ୍ୟର୍ଥ ଶର-ସନ୍ଧାନୀ ସବ୍ୟସାଚୀ ଚିତ୍ତେ

କି ଏକ କରୁଣ ବାଣୀ ଅଲକ୍ଷିତେ ମର୍ମରିଲା ସତେ

କଳିଙ୍ଗ ସମରାଙ୍ଗନେ ବିଜୟୀ ଅଶୋକ କାନ୍ଦେ

‘କି କଲି, କି କଲି’ ବୋଲି ମଥା ରଖି ହାତେ

ବିଜୟ, ରଣଦୁନ୍ଦୁଭି, ଆଟୋପ ଓ ପଟୁଆରେ

ମାଥେ ନେଇ ବିଜୟର ଟୀକା

ମୃତ୍ୟୁଦାୟୀ ତରବାରୀ ଶକ୍ତି ମାପି କାହିଁକି ସେ ମହାରଥି

ଦେଖିଗଲା ଲୋତକରେ, ଦୀର୍ଘଶ୍ୱାସେ ତରବାରୀ କରୁଣ ଭୂମିକା ?

 

ଅପ୍ରଶସ୍ତ ସରୁଗଳି, କୁଷ୍ଠରୋଗୀ, ଅନ୍ଧାର ମନ୍ଦିର

ଲୋଳଜିହ୍ଵ ପାରିଷଦବର୍ଗ ଦେଖେ ବିପର୍ଯ୍ୟସ୍ତ ଝୀନବାସ

ରକ୍ତେ ଝଡ଼ ଦେବଦାସୀ ନୃତ୍ୟର ଲହର

ଘୋ ଘୋ, ହୋ ହୋ, ରେଜ୍‍କିର

ଠଣ୍‍ଠଣ୍, ଲମ୍ୱୋଦର ଧର୍ମ-ଅଧିକାରୀ

କିଏ ସେ ଜାଳିଲା ସେଠି ପ୍ରତ୍ୟୟର

ଦୀପ୍ତଶିଖା, ଶକ୍ତିମଖା ଆଲୋକ ସଂଚାରି ?

ମନ୍ଦିରର ଚୂଡ଼ା ଆଉ ଫରଫର ନେତ ଖୋଜେ ନକ୍ଷତ୍ର ସପନ

ଅଜସ୍ର ପ୍ରଶ୍ନିଳ ଆଖେ ଆକାଶର କାନ୍ତ ନୀଳିମାରେ

ଦାରୁବ୍ରହ୍ମ କଳାଡ଼ୋଳେ ମଣିକର୍ଣ୍ଣିକାର ଛବି

ଦଶାଶ୍ୱମେଧ ଜଳିଲା ଚୋଳ ବ୍ରଂଜ୍ ନଟରାଜ ତାଣ୍ଡବ ଠାଣିରେ ॥

 

ଅପ୍ରତିହତ ସେ ବିନ୍ଦୁ ଅନାହତ ବୃତ୍ତ

ପରିଧି-ସୀମିତ ସେଇ ଶାନ୍ତ ପୃଷ୍ଠଭୂମେ

ମହାକାଳ ବିଶ୍ଵଧ୍ଵଂସୀ ନୃତ୍ୟ ॥

 

ଭୂର୍ଜପତ୍ର, ଶିଳାଲିପି, ତମ୍ୱାପଟା, ମାଟିତଳ ଚୈତ୍ୟ ଓ ବିହାର

ଗଦା ଗଦା ତାଳପତ୍ର ପୋଥି ଆଉ ଶ୍ରୁତିର ସମ୍ଭାର

ସବୁ ଏଠି ନୀରବିତ, ଅସହାୟ ଇତିହାସ, ଅସହାୟ କାଳ ମାନଦଣ୍ଡ,

ଅନନ୍ତ ଶୟନେ ବିଷ୍ଣୁ କ୍ଷୀର ସମୁଦ୍ରରେ ଯାହା ଥିଲା, ସବୁ ଅଛି

ସବୁ ଥିବ ଚିରକାଳ ପାଇଁ

ଭୂତ ଓ ଭବିଷ୍ୟ ସବୁ ଚିର ବର୍ତ୍ତମାନ

ପୁରୁଣା ଆକାଶ ତଳେ ଅନନ୍ତ ସମୟ

ଏଠି ଚିରକାଳ ପଡ଼ିଛି ଘୁମାଇଁ ॥

 

ପରିଚିତା ମାଟି ତୁମେ, ଘାସ ଫୁଲ ହସ ତୁମେ

ଅନ୍ତଃସତ୍ତ୍ଵା ଫସଲର ସବୁଜ ପ୍ରତୀତି

ତୁଳସୀ ଚଉରା ତୁମେ ଅତି ଆପଣାର,

ଦୀପଶିଖା, ପ୍ରାଣ ଆଉ ପ୍ରୀତି

ଲହୁ, ଲୁହ, ହସ କାନ୍ଦ ଇହ ପରଲୋକ

ଇତିହାସ ଭଗ୍ନପାଦ ଖଞ୍ଜ ଯେତେ ଘଟଣା ପ୍ରବାହ, ସବୁ ସିନା

ତୁମରି ନିର୍ମୋକ

ମାଟିର ଆଶ୍ଳେଷେ ରହି କାଦୁଅରେ ଗୋଡ଼ ଥାପି,

ତୁମେ ଅନ୍ୟ ଆକାଶେ ଉନ୍ମୁଖ ॥

 

ସମୟ-ପଙ୍କିଳ ଏଇ ସୀମିତ ପଲ୍ଵକ ନୀରେ,

ମାନସରୋବର ଯାତ୍ରୀ ହେ ମୋ ରାଜହଂସ !

ହେ ମୋର ପ୍ରଥମ ପ୍ରେମ, ହେ ଭାରତବର୍ଷ !!

Image

 

ଇତିହାସ

 

ମଥୁରା ତଥାପି ହସେ କାଳଜୟୀ ମନଭୁଲା ହସ

ଦ୍ଵାରକା ବୁଡ଼ିନି ଜଳେ, ହସେ ଆଜି ପୂତ ଇଂଦ୍ରପ୍ରସ୍ଥ

ଅଷ୍ଟାଦଶ ବାର ହାରି ଫେରିଯାଏ ନତମୁଖେ ବୀର ଜରାସନ୍ଧ

ମଥୁରାର ନଗ୍ରଲୋକେ ଦୁର୍ଗ ଅଟ୍ଟାଳି ଆରୋହି

ଦେଖ କିପରି ଜରା ହୋଇବ କବନ୍ଧ ॥

 

ମଥୁରା ତଥାପି ହସେ, ଇନ୍ଦ୍ରପ୍ରସ୍ଥ, ଯମୁନା ଓ ଗଙ୍ଗା

ହିମବନ୍ତେ ହିମ ହସେ କାଳରାତ୍ରି ତମସା ବିଦାରି

ଏଠି ଆଜି ଦ୍ଵୀପ ନାହିଁ, ପଥଘାଟ ଶୂନ୍‍ଶାନ୍

ଆକାଶରେ ନୀରବତା, ଜିକି ଜିକି ଦି’ ଚାରୋଟି ତାରା

ଦୂରେ ଦିଶେ ଯମୁନାର କ୍ଷୀଣ ସୁଅ

ରାଜଘାଟ, ଶାନ୍ତିବନ ଆଉ କୂଶିନାରା ॥

 

ଆମେ ସବୁ ଝରକା ଓ ଦ୍ଵାର ଯେତେ ରୁଦ୍ଧକରି

ଚୁପ୍‍ଚାପ୍ କାନ ଡେରି ବସୁ

ମାଟି ତଳେ ଲୁଚିବାକୁ ସଂକେତର ଅପେକ୍ଷାରେ, ପ୍ରାଗୈତିହାସିକ

ସ୍ମୃତି । ପ୍ରଭୁ ଯୀଶୁ ତୁମ ପରି ପୁଣି ଶେଷ କରୁ

ମହମବତୀ ଆଲୁଏ ଆମର ‘ଲାଷ୍ଟ ସପର୍’

ଆକାଶର ନେଳି ଶାଢ଼ୀ ଚିରିଯାଏ ଶବ୍ଦର ଝଡ଼ରେ

ନୀଳାକାଶ ପୁଣି ହୁଏ ନିଥର, ମୃତ, ନୀରବ

ମ୍ରିୟମାଣ ସତେ ବେଦନାରେ ॥

 

ପିଲାଦିନେ ବହିରେ ପଢ଼ିଛୁ ଆମେ

ତୁମେ କୁଆଡ଼େ କହିଲ, ‘ହେ ଆଲୋକ, ପୃଥିବୀକୁ ଆସ’

ଏବଂ ତୁମ କଥା ମାନି ଆଜ୍ଞାବହ ଶିଶୁ ପରି

ମଥା ନୋଇଁ ଆଲୋକ ସେଦିନ ଆସି

ଛିଡ଼ା ହେଲା ପୃଥିବୀ ସାମ୍‍ନାରେ

ଆଜି କିନ୍ତୁ ଆଲୋକର ଦରକାର ନାଇଁ ଆଉ

ଯେହେତୁ ତମ ଆଲୋକେ ସବୁ ପରିଷ୍କାର ଦିଶେ

ଅମ୍ୱାଲାର ତୁମ ଗୀର୍ଜା, ରୋଗୀଙ୍କର ହସ୍‍ପାତାଲ

ଅଗଣିତ ପୁରପଲ୍ଲୀ ବିପଣୀ ବିଥିକା

ନୀଳ-ସାବ୍‍ଜା ବିଲବଣ, ଢେଉ ଢେଉ ପରବତ

ଆକାଶ ମାର୍ଗରୁ ଦିଣେ ପିଲାଙ୍କର କଣ୍ଢେଇ ଓ ଦରହାସ

ଅନେକ ଦିନର ଏଇ ପରିଚିତ ମାଆ ମାଟି

ମଣିଷର ଖେଳଘର ଜୀବନ ଓ ମରଣର ଅସରା ଭୂମିକା ॥

 

ଇଗଲ୍‍ର ଆଖି ନେଇ ଖୋଜିବୁଲେ ଲକ୍ଷ୍ୟସ୍ଥଳ ଶତ୍ରୁର ବିମାନ

ଆଲୋକ ମଣିଷ ଶତ୍ରୁ, ସ୍ପଷ୍ଟ କରେ

ହାତ ଠାରି ସେ ଦେଖାଏ ଲକ୍ଷ୍ୟସ୍ଥଳ

ଚଢ଼େଇର ବସା ଭାଙ୍ଗେ କୁହୁ ଓ କାକଳି ସରେ

ହସ କଳରୋଳ ହୁଏ

ନିମିଷକେ ନୀରବିତ ଭୀମ ଶମଶାନ ॥

 

ଚନ୍ଦ୍ରର ସୁଇଚ୍ କାହିଁ ? ମହାବାହୁ ଲିଭାଅ ଚନ୍ଦ୍ର ଓ ତାରା

ଦିଅ ହେ ଲିଭାଇ ଆଜି ପୁରାତନ ସୂର୍ଯ୍ୟଦୀପ

ତୁମରି ଆକାଶୁ, ପୃଥିବୀରେ ଘୋଟୁ ଆଜି ଅନ୍ତହୀନ ଅନ୍ଧକାର

ନିଭିଯାଉ ଦେଶ ଦେଶ, ମଣିଷ ଓ ମଣିଷର

ଆକ୍ଷାଂଶ, ଦ୍ରାଘିମା ଗଣି ଯେତେ ବଣ୍ଟୁଆରା ॥

 

ସକଳ ଅନ୍ଧାର ଶେଷେ ତୁମେ ଅଛ

‘ତ୍ୱମେବ ଭାଂତଂ ଅନୁଭାତି ସର୍ବଂ’

ଲିଭୁ ଆଜି ଚନ୍ଦ୍ର, ସୂର୍ଯ୍ୟ ଯେତେ ଗ୍ରହ ତାରା

ଅନ୍ଧାରର ମନ୍ଵନ୍ତର ପରେ ପୁଣି

ଭାସମାନ ବଟପତ୍ରେ ତୁମେ ତ ଆସିବ ଫେରି ହେ ଆଲୋକ ମୂଳପିଣ୍ଡ,

ହେ ଦୂରନ୍ତ ରଶ୍ମିର ଫୁଆରା ॥

 

ଅନ୍ଧାରରେ ଭାସି ଭାସି ଦୂରେ ଯାଏ ଜକାଜକି ବହୁ ସ୍ମୃତି

ସ୍ମୃତିର ଅଲଗୁଣିରେ ଛିଣ୍ଡା କନ୍ଥା, ଛିଣ୍ଡା ଧୋତି

ମଞ୍ଚାରୁ ଖସୁଛି କଂସ, ଜରାସନ୍ଧ ଫେରିଯାଏ

ବ୍ୟର୍ଥ ମନୋରଥ ହୋଇ ଅଷ୍ଟାଦଶବାର

ବେଆସ୍‍ର ବାଲୁଚରେ ଗ୍ରୀକ୍ ସେନା କବନ୍ଧ ଓ ସାଞ୍ଜୁ

ସବୁ ପୋତି ହେଇ ପଡ଼େ

ତୈମୁର୍, ନାଦୀରଶାହ, ମାମୁଦ-କବର

କୁଆଡ଼େ ଗଲେ ସେମାନେ ?

 

ଖରାଦିନ ଗାଆଁ ଦାଣ୍ଡେ ପହିଲି ବରଷା ପରି ଅନ୍ତର୍ଦ୍ଧାନ ହେଲେ

କମାଣର ଗର୍ଜନରେ ନନ୍ଦିଘୋଷ

ପାଞ୍ଚଜନ୍ୟ, ଶ୍ରୀକୃଷ୍ଣର ସ୍ୱର

କୋୟାନ ଓ ସାଟୋରୀର

ଧମ୍‍ମ ଆଉ ସଂଘର ଶରଣ

ମାଗି, ଆଲୋକର କ୍ଷୀଣ ସନ୍ଦୀପନ

ଗଙ୍ଗାର ଉଜାଣି ସୁଏ ଋତ୍ଵିକର ମନ୍ତ୍ର ଉଚ୍ଚାରଣ ॥

ଶାକ୍ୟ ମୁନି, ମନେପଡ଼େ କାଲିପରି

ତୁମର ନଗର-ବୁଲା ରୋଗୀ, ବୃଦ୍ଧ, ଶବ ଦେଖା

ଆଉ ଛାଡ଼ି ଚାଲିଯିବା ରାଜବାଟୀ

ଖୋଜିବାକୁ ଯନ୍ତ୍ରଣା କାରଣ

ଆଜି ଏଠି ରାସ୍ତାରେ ଅଜସ୍ର ଶବ

ଶିଶୁ ଫୁଲ ପାଦେ ଦଳା

କଣ୍ଢେଇର ଖେଳ ଶେଷ

ଆଗେଇ ଆଗେଇ ଆସେ ମରଣ ଓ ଅନ୍ଧାରର କୁତ୍ସିତ ଦଇତ୍ୟ

ଆଜି ଶାନ୍ତି ରହୁ ପଛେ ଆଶ୍ରମରେ ନାଚି ଉଠୁ

ଇସ୍ପାତର ହସ ନେଇ ମୃତ୍ୟୁର ରଇତ ॥

 

ପୁଣି ବି ଫେରିବ ଦିନ ବେଦଧ୍ୱନି, କୋୟାନ ଓ ସାଟୋରୀର ସ୍ୱର

ପୁଣି ବି ଆସିବ ଫେରି କରୁଣାର ବାଣୀଧାରା

ହୋମାଗ୍ନିର ପୂତ ଶିଖା ଗୀର୍ଜାର ପ୍ରାର୍ଥନା

ମନ୍ଦିରର ଘଣ୍ଟାଧ୍ୱନି, ମସ୍‍ଜିଦ୍‍ ନମାଜ

ବଂଚିବ ହସିବ ପୁଣି ମଣିଷର ଭିଟାମାଟି,

ପୁରୁଣା ଏ ମଣିଷ ସମାଜ ।

Image

 

ସକାଳ, ସଂଜ ଓ ରାତି

ସକାଳ

 

ତମରି ଗଛର ଡାଳ, ପତରରେ ବିଜୁଳି ବଉଦ ଝଡ଼ ସରି ଯାଇଥାଏ

ସ୍ଥିର ଶାନ୍ତ ଗଛ ଯିଏ ଝଡ଼କୁ ଚିହ୍ନେନା

ବଗପକ୍ଷୀ-ଧଳା ଶାଢ଼ୀ ରକତର ଢେଉ ଯେ ଜାଣେନା

ବଞ୍ଚି ରହେ । କୁହୁଡ଼ି ଓ ମେଘ ଉହାଡ଼ରୁ

ଆଖିର ନୋଳିଆ ନାହା ଫେରି ଆସେ ସତ

ଗଲା କଥା ଗଲାଣିରେ ମିତ ॥

 

ତମେ କେତେ କଥା କହ ଚଢ଼େଇଙ୍କ କିଚିରି ମିଚିରି;

ଅସଂଖ୍ୟ ଶବ୍ଦ ଲହଡ଼ି ଡେଣା ମେଲି ଉଡ଼ି ଆସି

ହଠାତ୍ ହୁଅନ୍ତି ପିଟି । ଜୀଇ ଉଠେ ମୋର ବାଲିବନ୍ତ,

କାନ୍ଦୁଥାଏ ଅଦୃଶ୍ୟ ଦିଗନ୍ତ ॥

 

ପୁଣି କେବେ କ’ଣ ହୁଏ, ହଠାତ୍ ତୁମେ ତୁନି ହୁଅ

ଚାହିଁରହ ଚୁପ୍‍ଟିଏ ହୋଇ

ଯେମିତି ଚିହ୍ନନି ମତେ, ଚିହ୍ନନି ମୋ ଦଦରା ନାଆକୁ

ଯାହା ଖାଲି ନାଚୁଥାଏ କୂଳରେ ପହଁଚି ସାରି

ଗୋଡ଼ ଥାପି ବାଲିର ଦମ୍ଭରେ । ସେ ବିଚରା ଫେରି ଚାହେଁ

ସାମନାରେ ଶୂନ୍ୟ ନୀଳ ମହା ପାରାବାର

ଅନ୍ତହୀନ ନେଳି ଆଖି ନାହିଁ ଯାର କୂଳ ଓ କିନାରା

ଉଦାସୀନ ଦୂରତାରେ ଦୃଷ୍ଟି ଯହିଁ ହୁଏ ଦିଗହରା ॥

 

ସଂଜ

 

ଆମ ସାଙ୍ଗେ ଜହ୍ନ ଆଉ ଦେବଦାରୁ, କେତୋଟି ବଉଦ

ନେଉଳିଆ ଭାଇ ପରି ଚାଲିଥିଲେ ରାସ୍ତା କଡ଼େ କଡ଼େ ।

ତମରି କଥାରେ ଥିଲା ସଂଜବତୀ, ପୋଇଭଡ଼ି, ତୁଳସୀ ଚଉରା

ଛୋଟିଆ ସଂସାରଟିର କୋଳାହଳ, ପ୍ରତିଶ୍ରୁତି ଆତ୍ମିକ ଜୀବନ

ହଠାତ୍ ଥମିଲ କିଆଁ, ହାତ ଛାଡ଼ି ଅନେଇଲ ମତେ

ପଲକେ ଉଭେଇଗଲା ସେ ପୃଥିବୀ, ଛିଡ଼ାହେଲା ଆସି ଅନ୍ୟ ଦିନ ।

ବେଛପରି ଶୂନ୍‍ଶାନ୍ ଗାଁ’ଟିଏ ଛିଡ଼ା ହେଲା ପାହାଡ଼ ଛାଇରେ

ହାଡ଼ ସବୁ ଗଣିହୁଏ । ଭଙ୍ଗା କାନ୍ଥ, ଆଉ ଗୁଗୁଚିଆ

ସିଝୁ, ବାଇଗବା ବଣ ନିର୍ଜନତା ଖାଲି ହାଇମାରେ ॥

 

ରାତି

 

ଅନ୍ଧାର ବଢ଼ିପାଣିରେ ଚାରିଆଡ଼େ ଡୁବିଗଲେ

ମୁଁ ଖାଲି ପହଁରୁଥାଏ ତମରି ହ୍ରଦରେ

ହଂସଟିଏ ଖୁମ୍ପୁଥାଏ ଆପଣା ଛାଇକି

ପଦ୍ମଫୁଲ ଡେଣାରେ ଆଡ଼େଇ ଯାଏ ଭାସି ଭାସି

ତୋଫା ଧଳା ଆଉ ଏକ ରାତି ଆସି ମିଶିଯାଏ ତାଆରି ସଙ୍ଗରେ

ହଂସଧ୍ଵନି ମନ୍ତ୍ରପରି ଶୁଭୁଥାଏ, ସେଇ ଅନ୍ଧାରରେ

ଏବଂ ବିଞ୍ଚି ହୋଇପଡ଼େ ସହୃଦୟ ହଦର ପାଣିରେ

ହଂସ ଦୁହେଁ ଚମକନ୍ତି ଛାଇରେ ହଠାତ୍ ଦିଶେ

ପାଣିତଳେ ପଂକ ଓ କାଦୁଅ ଦୁହିଁ ପଦ୍ମନାଡ଼ ଖୋଜା

ଆଙ୍ଗୁଠି ଓ ଶେତା ହାତ । ବିଶୃଙ୍ଖଳ ଶ୍ୱେତ ପର

ସେ ପଙ୍କରେ ସଢ଼ୁଥାଏ ସମୟର ସ୍ତୁତି ଲେଖିସାରି

ଜିଅନ୍ତା-ସ୍ଥାପତ୍ୟ ଛାଡ଼ି ଦେହ ମନ୍ଦିରର

ପିଞ୍ଜରାହାଡ଼ ଖପୁରି ଗଡ଼ୁଥାନ୍ତି ନୀରବରେ ସୂର୍ଯ୍ୟ ଜପ କରି ॥

 

ଲେଉଟାଣି

 

ହଠାତ୍ ବିସ୍ମୟ ଲାଗେ, ଏଡ଼େବଡ଼ ନାହାଟିଏ

ଚିତ୍ରରେ ଭାସିଲା ପରି ଭାସି ଉଠେ ଶୁଖିଲା ବିଲରେ

ସେଠି ପୁଣି ବହିଯାଏ ନଈ ?

ସେଇ ନଈ ଅତଡ଼ା ନାହିଁ କୁଳ ତା’ର ଖାଲି ବିଲ, ଡିହ

ତୋଟାମାଳ ସାଙ୍ଗେ ମିଶି ବହିଯାଏ ନଈ ଶିରି ଶିରି

ଜୁଆରିଆ ପଙ୍କ ଆଉ କାଦୁଅରେ

ହୁଲି ଡଙ୍ଗା କେତେବେଳେ ଲାଖିଯାଏ

କଷ୍ଟଲାଗେ ମାଟିଠାରୁ ଆପଣାକୁ ଝାଙ୍କି ଓଟାରିବା

ଖରାଧାସେ ଦୂର ଗାଁ ଜଳୁଥାଏ କ୍ଷୀଣ ଆଶାପରି ॥

ମୁଁ ତମକୁ ନିଘା କଲି । ତମ ମୁଁହ ଦିଶୁଥିଲା

ପୂର୍ଣ୍ଣମୀରେ ସମୁଦ୍ର ଜୁଆର

ଆଖିରେ ଉଡନ୍ତା ନାଆ କାତ ଆଉ ଆହୁଲାରେ

ସାଇଁ ସାଇଁ ଉଡ଼େ । ଦୂର ଗାଁ ନିଭିଲାଣି ଜଳଛବି ପରି

ଜିପ୍ ଓ ମଣିଷ ସବୁ ଲୁଚିଲେଣି

ଗାଁର ନଡ଼ିଆଗଛ ଘରର ଉହାଡ଼େ ॥

ଏବେ ବାଲି ତାତିଲାଣି । ପବନରେ ଛିଟ୍‍କୁଛି ବାଲି

କୋଉଠି ନେଳି ସମୁଦ୍ର ଏଠି ଖାଲି ବାଲିର ପାହାଡ଼

ପବନରେ ସାଇଁ ସାଇଁ ଜିଭ ଚାଟି

ବାଲି ରଙ୍ଗ ଚହଟାଏ ଗୋଖୁର ସାପର

ଆକାଶ ବଉଦହୀନ, ନିପି, ପୋଛି କେଡ଼େ ନିଚିପରି ॥

ଏତିକି ବାଟ ଆସିଲା ବିଶ୍ୱାସର ଭଙ୍ଗା ଗୋଡ଼

ଏଣିକି ଭଙ୍ଗା ଖଡ଼ମ, ଛିଣ୍ଡା ଯୋତା ଓ ସବୁଜ ଆଶା

ମଲା ଘୋଡ଼ା, ଓଟଙ୍କର ପଞ୍ଜରା ସାଙ୍ଗରେ ମିଶି

ବାଲିରେ ଶୁଖିବା ସାର । ଛୋଟ ଛୋଟ ବାଉଁଶ କଣିରେ

ଦରଜି ଦୋକାନରୁ ଆଣି ନାଲି ନେଳି ଛିଣ୍ଡା ଆଉ କଟାକନା

ବାଲିରେ ପତାକା ପୋତି ଢାଳି ଅଶ୍ରୁବାରି

ନାମ ସଂକୀର୍ତନ କରି ନୀଳଚକ୍ର ମହିମା ସୁମରି ॥

ଖଡ଼ମ ଓ ଯୋତା ଯଦି ନ ବୁଡ଼ିବ ସମୁଦ୍ରର ଲୁଣିଆ ପାଣିରେ

ଅଥବା ସମୁଦ୍ର ହେବ ଦୁଇଭାଗ ମଝିଟାରେ ବାଟ ଦିଶୁଥିବ

ଅନେକ ଭୀରୁ ଦୁର୍ବଳ କାପୁରୁଷ ସମୁଦ୍ରର ଶୂନ୍ୟ ଅଥଳରେ

ମଜବୁତ ମନ୍ଦିରର ନିଦା ନିଦା ପ୍ରତ୍ୟୟ ଖୋଜିବେ

ଆଖିବୁଜି ଦେଖୁଥିବେ ସେ ପଟ ବାଲି ପନ୍ତାରେ

ପୋଡ଼ିଯିବା ଅନେକ କୁଡ଼ିଆ । ଗଛଡାଳେ ଝୁଲୁଥିବା

ଆତ୍ମଘାତୀ ବହୁଲୋକ । ଲୁହପୋଛି ଗାମୁଛା କାନିରେ

କାଦୁଅରେ ଚାଲିଥିବେ ଛୋଟପିଲା କାଖରେ କାଖେଇ

ଶିମୁଳି ଗଛ କଣ୍ଟାରେ ଯାକି ଧରି ପିଟୁଥିବେ ଯମଦୂତ

ଦନ୍ତରେ ତିରଣ ଧରି ହେଉଥିବେ ଆତଯାତ

ଦୂର ଗାଁ କୁହୁଡ଼ିରେ ହଜିଥିବ ତାଙ୍କ ଆଖି ନିଆଁରେ ଗାଧୋଇ

ସେତେବେଳେ ସେମାନେ ନିଶ୍ଚିତ ଥିବେ ସମୁଦ୍ରର ଅଥଳ ପାଣିରେ

ଦି’ଭାଗ ହେବା ପଣି ମିଶିଯାଇ ପୁଣି ଏକାକାର

ହୋଇ ସାରିଥିବ । ବାକୀ ଯେଉଁମାନେ ଢେଉର ଏ ପାଖେ

ରଡ଼ି କରୁଥିବେ ଖାଲି-ବଞ୍ଚିତର ତୀବ୍ର ହାହାକାର ॥

ଏ ପୁରୁଣା ଦୃଶ୍ୟ କଥା । ତେଣୁ ଆମେ ବରଂ ଚାଲିଯିବା

ଏମିତି ଏକ ବାଲିରେ । ସମୁଦ୍ରର କୂଳରେ ପହଞ୍ଚି

ପୁଣି ତାକୁ ପିଠି କରି ଫେରିଯିବା ବାଲିରେ ବାଲିରେ ॥

Image

 

ଶୀତ ଋତୁ

 

ସେମାନେ ଜାଣି ନ ଥିଲେ ଯେ ମୁଁ କେବେ ମରି ଯାଇଥିଲି

ସଭିଙ୍କର ଅଜଣାରେ । ଏବେ ଖାଲି

ଭୂତ ହେଇ ଘୂରୁଥିଲି ମୋ ଗାଡ଼ିରେ

ରାଜ ଦାଣ୍ଡେ; ଇଞ୍ଜିନର କାନ ମୋଡ଼ି,

ଥରେ ଥରେ ଟାକରା ଫୁଟେଇ

ଷ୍ଟିଅରିଂ-ଲଙ୍ଗଳ କଣ୍ଟି ଠିକ୍ ରଖି,

କଦବା ମୋ ପାଞ୍ଚଣ ବାଡ଼େଇ

ହେ ମୋର ପ୍ରିୟ ସହର, ହେ ମୋର ପ୍ରିୟ ରାଜଧାନୀ ॥

 

ସେମାନେ ନିରପରାଧ;

ନାକ୍ଷତ୍ରିକ ଦୂରତାରୁ ଘଟଣା ଲକ୍ଷ୍ୟ କରିବା ବଡ଼ଇ କଠିଣ

ନକ୍ଷତ୍ର ମଲେ ବି ତା’ର ଆଲୁଅର ରେଖା ନିଭେ

ଆମ ଆଖି ଆଇନାରେ ବର୍ଷ ବର୍ଷ ପରେ,

ଦୂରତା, ସମୟ ଏବଂ ଘଟଣାର ଜଳଛବି

ଏ ସମସ୍ତ ଗୁନ୍ଥା ଯେଣୁ ଏକଇ ଡୋରରେ ॥

 

ଆଜି ଏଠି ଶୀତଦିନ

ହାଡ଼ ମଂଜ ଥରିଯାଏ କୋହଲା ପବନ

ଚୁପ୍‍ଚାପ୍ ନୀରବରେ, ଝୁପୁଝୁପୁ ବର୍ଷା ଝରେ ॥

 

ରାସ୍ତା ସାରା ମଲା ପତ୍ର ହଠାତ୍ ନିଦରୁ ଉଠି

ମୋ ଗାଡ଼ି ପଛରେ ବହେ ଦଉଡ଼ନ୍ତି

ସହରତଳି ବସ୍ତିର କୁଁ-ପେଟ ମନୁସୁତ ସମ

ଏବଂ ଖାଲ ରାସ୍ତା ସବୁ, ପାଣିଚିଆ ଓଦା ଆଲୁଅରେ

ଝଲସନ୍ତି । ମୁଁ ଖାଲି ବିନା ଆୟାସେ ଧଇଁସଇଁ;

ଅଭ୍ୟସ୍ତ ପ୍ରତିକ୍ରିୟାରୁ ହୁଏ ଯାହା ଆଗୁସାର

ଫୁଟ୍‍ପାଥ୍ ଲ୍ୟାମ୍ପପୋଷ୍ଟ, ନିଅନ ଆଲୁଅ

ଏ ସବୁଠୁଁ ନିଜକୁ ବଞ୍ଚାଇ ॥

 

ହକର ରଡ଼ି ଛାଡ଼ୁଛି, ଅଦିନିଆ ବର୍ଷାରେ ଦଉଡ଼ି

ଖବର, ଖବର ଅଛି, ପୃଥିବୀର, ମଣିଷର ଜନ୍ମ ମରଣର

ପୁରୁଣା ଖବର କାଲି କିମ୍ୱା ଆଜି କଥା

ଭୀଷଣ ଖବର ଅଛି ଟୁଥ୍‍ପେଷ୍ଟ ବିଜ୍ଞାପନ, ନିରଞ୍ଜନା ନଦୀ ତଟେ

ଲଭେ ଜଣେ ଆତ୍ମଜ୍ଞାନ, ବିଶ୍ୱଯୁଦ୍ଧ, ଶାନ୍ତିଲତା ହତ୍ୟା ମକଦ୍ଦମା ।

ଟେଲିଫୋନ୍- ଏକ୍‍ସଚେଞ୍ଜର ଆଂଲୋଇଣ୍ଡିଆନ୍ ଝିଅ

କ୍ଳାନ୍ତିରେ ଖବର ଅଛି, ମାରାତ୍ମକ ଭୀଷଣ ଖବର

ଯାହା ଏଇ ବିଜୁଳି ହେଇ ସ୍ଫୁରୁଛି ନଭୋମଣ୍ଡଳରେ

ଏବଂ କୁଦା ମାରୁଅଛି କଅଁଳା ବାଛୁରୀ ପରି ତାରରୁ ତାରକୁ ॥

 

ପୋଲ ତଳେ ସେଠି ସବୁ ଟାୟାର୍ ପୋଡ଼ା ହେଉଛି

ଫୁର୍କୁଟିଆ ଗନ୍ଧରେ ଜଳୁଛି ମୁହଁ, ବିଡ଼ିପରି ଫିକା ମୁହଁ,

ପାଣିଚିଆ ମଲା ଆଖି, ହାଇ ମାରେ ଶୀତ

ମନର ମନକୁ ଆଉ ହୃଦୟରୁ ହୃଦୟକୁ

ଶବ୍ଦ-ସେତୁ, ବସ୍ତୁ-ସେତୁ, ସ୍ମୃତି-ସେତୁ

ଭୀଷଣ ନିର୍ମାଣ କାମ, ରାସ୍ତାଘାଟ, ଗଳି, ରାଜପଥ ॥

 

ମୁଁ ଅଚଳ, ଅର୍ଥବ ଓ ପଙ୍ଗୁ ଏଠି

ଅଳସୁଆ ରବିବାର ପରି ଭାରି

ଓ ମୋର ଚେତନ ଏବଂ ଅଚେତନ ସମସ୍ତ କିଆରୀ

ବୁଡ଼ିଯାଏ; ଶୂନ୍ୟତାର ପାଣି ମାଡ଼େ, ନିଃସହାୟ ଅନ୍ଧାରର ପାଣି

ଶବ୍ଦ ଓ ବସ୍ତୁ ସକଳ ହଜିଗଲେ

ମନ୍ଦିରର ଓଦା ଓଦା ଶିଉଳି-ଲଗା ଅନ୍ଧାର

ଚେମିଣିଆ ଡେଣା ଫଡ଼ ଫଡ଼ କରି ହଠାତ୍ ଉଡ଼ି ବସିଲେ

ଶେଷେ ମୋ ଗାଡ଼ି ଇଞ୍ଜିନ କ୍ଷୀଣ ଆଉ ଅସ୍ପଷ୍ଟ ଗୁଞ୍ଜନ ॥

 

ଭଲ ହେଲା ଏ ସହର ଏବେ ବି ବଞ୍ଚିଛି

ମହାପ୍ରଭୁ ତୁମରି କରୁଣା

ଅନ୍ତତଃ ତ ଜଣେ କେହି ମତେ ଏଠି ଚିହ୍ନିପାରେ

କହିପାରେ ଦେଖ ଏଇ ସୀତାକାନ୍ତ ମହାପାତ୍ର

ମଲାପରେ ତା’ ପ୍ରିୟ ସହର ପଥେ

ପୁଣି ଆସି ବୁଲୁଅଛି ହେଇ ବାଟବଣା;

ତା’ ଗାଡ଼ିରେ ଦେଖ ହେଇ କେମିତି ଜମା ହେଇଛି

ଅନେକ ଗ୍ରହ ଓ ତାରା, ଟିକି ଟିକି ଅସଂଖ୍ୟ ଖେଳଣା ॥

 

ଚକ ଘୂରେ ତୀବ୍ରତର-ରବର ଓ ଧାତୁ ଘୂରେ

ଗାଡ଼ି, ଘୋଡ଼ା, ଟ୍ରାମ୍, ବସ୍-ଭିଡ଼ ଜମେ ହୃଦୟର ଛକ

ସବୁ ଦଳିଦାଳି ଘୂରେ ସ୍ନାୟୁ, ମାଂସ ମନ-ରଥ-ଚକ

ମତେ କେବେ ଚୂନା କରି ମୋ ପ୍ରିୟ ରାଜଧାନୀର

ରଥ ଯାଏ ଆଗେ ବଢ଼ି, ଉଦାସୀନ ପୃଥିବୀର ଏ ରୁକୁଣା ରଥ ॥

 

ଅନେକ ଦେଶ ଓ କାଳ, ଅନେକ ସ୍ଥାନ-ସମୟ, ସ୍ମୃତି ସବୁ

ଏକାବେଳେ ଜମା ହେଲେ ଚଉପାଶେ

ଆକ୍‍ସିଡ଼େଣ୍ଟ ପରେ ସବୁ ଦେଖଣାହାରିଏ ଆସି

ଅଚାନକ, ଅହେତୁକ ଯେମିତି ଜୁଟନ୍ତି

(ଖୁଦା ଜାଣେ, କୁଆଡ଼ୁ କୁଆଡ଼ୁ ଆସି)

ତୃତୀୟ ଶ୍ରେଣୀ ଡବାରେ ପଶିବାକୁ ଯାତ୍ରୀଙ୍କର ଭିଡ଼ ପରି

ଏଠି ସଭିଙ୍କର ଦାବୀ, ଠେଲାପେଲା

ମୋ ଭିତରେ ବସି ସହରରୁ ଜଙ୍ଗଲକୁ ବୁଲିଯିବେ

ପିକ୍‍ନିକ୍, ବଣଭୋଜି, ମୁକତି ସନ୍ଧାନେ

ମୋ ମୃତ ହୃଦୟ-ଦାଢ଼େ ଧୀରେ ଭିଡ଼ ଜମେ ॥

 

ହେ ମୋର ପ୍ରିୟ ସହର, ହେ ମୋ ପ୍ରିୟ ରାଜଧାନୀ

ଶୀତଋତୁ କଷ୍ଟ ଦିଏ, ହାଡ଼ଭାଙ୍ଗେ, ସମସ୍ତେ ଥରୁ ଅଛନ୍ତି

ଦୁଇ ଲକ୍ଷ ପିଲା ତୋର କୁଂକୁଂରି କାଂକୁରି ॥

ଦୁଇ ଲକ୍ଷ ଭିନେ ଭିନେ ନୀରବତା, ନିଃସଂଗ ଶୂନ୍ୟତା

ଦୁଇଲକ୍ଷ ଅଲଗା ଅଲଗା ମୃତ୍ୟୁ

ସୂର୍ଯ୍ୟ-ଝଡ଼, ବହ୍ନିତାପ, କୃଷ୍ଣସୂର୍ଯ୍ୟ..ଶେଷେ ସୌରକେତୁ ॥

 

ପ୍ରତ୍ୟେକ ତା’ ନିଜ ମୃତ୍ୟୁ ଚିହ୍ନି ରଖେ, ଜାଣି ରଖେ

ଷଟୀଦୁଛେଇଙ୍କ ଦିନୁ, ଏନ୍ତୁଡ଼ିଶାଳରୁ

ହେ ମୋର ପ୍ରିୟ ସହର, ହେ ମୋ ପ୍ରିୟ ରାଜଧାନୀ

ମୃତ ନକ୍ଷତ୍ର ମୁଁ ଆଜି ହଜିଯାଏ

ତମସାର ନିବିଡ଼ ସଂଗମେ

ପୋଛିଦେଇ ମୋ ଆଲୋକ ଝଲମଲ ତୋ ଆଖି-ହ୍ରଦରୁ ॥

Image

 

ବର୍ଷା

 

ଆକାଶ ଓ ମେଘସବୁ ଭାଙ୍ଗିପଡ଼ି ଚୂନା ହେଲେ

ନଈ ପଠା ନୀରବତା ଚୂରି

ସେଠି ଚିତ୍ରୋତ୍ପଳା ବହେ

କବର ଓ ସମାଧିର କାନ୍ଦୁରି ମୁହଁରେ ଲୁହ ବାଟ ଚାଲେ ଏକା ଏକା

ଆକାଶର ମୁହାଁମୁହିଁ ମୁଇଁ ପଥଚାରୀ ॥

 

ଓଳିପାଣିରେ ଭିଜୁଛି ମନ ମୋର

ଆତ୍ମା ମୋର ସଜ ଦୂବ ଘାସ

ଦେହର ଓଦା ଆମ୍ୱିଳା ଗନ୍ଧ ଯାହା ମୁଁ ବାରୁଛି

ରାଗରେ କୁହୁଳି ଉଠେ ଭାବି କେତେ ଫଣା ଆଉ ବିଷ,

ପୃଥିବୀରେ, ଗରୁଡ଼ ମୁଁ କିନ୍ତୁ ହେବି ନାଇଁ

ସାପର ଚିକ୍‍କଣ ଦେହ, ଗୋଜ ମୁହଁ

ମୁଁ ତ କେବେ ଭୁଲି ପାରି ନାଇଁ ॥

 

ଏଠାରେ ଘାତକ କିଏ ?

ଘାତକ ବି ବସାକରେ, ଘର ଗଢ଼େ

ଡିମ୍ୱ ପାରେ ଓ ଆକାଶ ଦେଖେ ॥

 

ମୁଁ ଖାଲି ଯଦି ତୁମକୁ ଚାହିଁ ରହେ ହେ ପୃଥିବୀ

ବର୍ଷ ବର୍ଷ ଯୁଗ ଯୁଗ ଧରି

ଯେତିକି ଚଢ଼େଇ ଆଜି ମୋ ଭିତରେ ପକ୍ଷ ଝାଡ଼ି

ଦୂରକୁ ଯାଆନ୍ତୁ । ମତେ ତୁମେ ଖାଲି କର

ବର୍ଷାଧାରା, ପବନ ଓ ଛାଇ

ସଂପର୍କର ସୀମାହୀନ ନଦୀ ॥

 

ମୋତେ କର ସୋରିଷ ଫୁଲର ସୁନା

ଦେବଦାରୁ ଡାଳ ଆଉ ନରକୋଳି ପତ୍ର

କଅଁଳା ବାଛୁରୀ ନାଚ ଓଦା ହେଇ ଗାଁର ଦାଣ୍ଡରେ

ହଂସରାଳି ସ୍ଥିର ଦୀଘି ଜଳେ

ଦୋହଲିଲା ଗଛ ଛାଇ ଆକାଶର କନ୍ଦଣା ଲହରେ

ମୋତେ କର ସେଇ ଗୀତ ଯାହା ଡେଣା ମେଲେ

ମେଘଭିଜା ଅଳସ ସଂଜରେ ॥

 

କିମ୍ୱା ମୋତେ ସେଇ ଗୀତ, ସେଇ ହଂସରାଳି ଦିଅ

ମୁଁ ଖାଲି ଚିହ୍ନିବି ବସି ସେମାନଙ୍କୁ

ସେନେହର ଭାଷ୍ୟ ନେବି ପଢ଼ି

ମତେ ତମେ ଭାଙ୍ଗିଦିଅ, ଚୂନା କର

ସବୁ ମୋର ଜ୍ଞାନ, ତା’ ହେଲେ ବା

ବିଲ, ଗଛ, ଆକାଶ ଓ ତାରା

ସବୁକୁ ମୁଁ ଥରେ ହେଲେ ଜଳଜଳ ଦେଖିପାରେ

ରିମିଝିମି ଝରଝର ଏଇ ବରଷାରେ ॥

Image

 

ଅବତାର

(ଏକ)

 

ଅନ୍ଧାର କଟିଗଲାଣି । ଏବେ ବିଧବା ପୃଥ୍ୱୀ ଝାପ୍‍ସା ମହଳ

ତା’ର ଆଲୁଅ ପସରା ନେଇ ଶୁଣିଛି ମୋ କୁଆଁ କୁଆଁ ଶବ୍ଦ;

ଛାଇ ଓ ଆଲୁଅ ଯେତେ-ଅନେକ ପୁରୁଣା କଥା

ବୁଢ଼ିଆଣୀ ଜାଲ ପରି ଛନ୍ଦିଦିଏ ତା’ର ସବୁ ଚିନ୍ତା ॥

 

ସେ ଜାଣିଛି କେତେ ବାଟ ଧମନୀରେ, ସ୍ନାୟୁ ତାରେ

ସ୍ୱପ୍ନରୁ ସ୍ମୃତିକୁ । ସେ ଜାଣିଛି ଯେ ଆମର

କ୍ଷମାହୀନ ନିଦାରୁଣ ପ୍ରତ୍ୟେକ ମୁହୂର୍ତ୍ତ ଆମକୁ ହଠାତ୍

ତା’ର ବୋଝ ତଳେ ଚାପିଦିଏ, ବଳୀକୁ ଚାପିଲା ପରି

ମହାପ୍ରଭୁ ପାତାଳପୁରକୁ ଓ ସେଥିରେ କଷ୍ଟେମଷ୍ଟେ

ନିଜକୁ ବଞ୍ଚାଇବାର ପନ୍ଥା ହେଲା ଅନେଇବା

ଆଗକୁ ପଛକୁ । ଏକ ରୂପ ଆଗ ପଛ

ଖାଲି ଭେଦ ପ୍ରକାର ଓ ଗୁଣ ॥

 

ଆମେ ପ୍ରତି ଲୋକ ଖାଲି ଆମେ ନୋହୁଁ-ଆମେ ଅନ୍ୟ ଲୋକ

ପ୍ରତେକ ପୃଥକ ସତ୍ତା ଭିନ୍ନ ଏକ ସତ୍ତା

ଏବଂ ଆମ ପ୍ରତିରୂପ ଖାଲି ପ୍ରତିରୂପ ନୁହେଁ;

ତେଣୁ ଯେତେ ଦିନ, ମାସ, ବର୍ଷର ମିଶାଣ କରି

କିଛି ଗୋଟେ ସୂତ୍ରରେ ପହୁଞ୍ଚା ଆଶା ଖାଲି ଯାହା

ଓଲ୍ଲୁର ବୋକଚାବୁହା । ମିଶାଣର ଫଳ କେବେ

ଠିକ୍ ହୁଏ ଯେତେବେଳେ ପ୍ରତ୍ୟେକ ସଂଖ୍ୟାର ମୂଲ୍ୟ

ଏବଂ ମାନ ଠିକ୍ ରୂପେ ମାଲୁମ୍ ନଥାଏ ?

ଏକ, ଦୁଇ, ତିନି, ସାତ, ନଅ ଓ ତେର ଯେମିତି

ଗଣିଯାଏ ଅନାୟାସେ ମୋର କୁନି ଝିଅ, ନିର୍ଦ୍ଦିଷ୍ଟ

ଧାରଣା କିମ୍ୱା କ୍ରମେ କେବେ ଚିହ୍ନ ନୁହେଁ ଜୀଅନ୍ତା ଅଙ୍କର

ଏ ଯାତ୍ରାରେ ସତ ଖାଲି ଦୂରର ଅସ୍ପଷ୍ଟ ରେଖା

ଖାଲି ଏକ ସାଧାରଣ ମୋଟାମୋଟି ଅନିର୍ଦ୍ଦିଷ୍ଟ

ଅସଂଲଗ୍ନ ଧାରଣାର ସୁଅ-ଲୁଣିଆ ଲୁହ ଟୋପାଏ

ଚଟ୍‍କିନି ବୋହି ଆସି ଆଖିର ଏନ୍ତୁଡ଼ିଶାଳୁ ନିଜକୁ

ହଜାଏ ଯେମିତି ପାଟିର ଶ୍ମଶାନେ; କେତେଥର

ମୁଁ ନିଜର ଓ ଅନ୍ୟର ଦୃଶ୍ୟମାନ ଲୁହଧାର ଓ ଅଦୃଶ୍ୟ

ଲୁହ ଦେଖି ମୋଟେ ଜାଣିପାରି ନାଇଁ ସେ ଲୁହ

ଆଗଦିନର ନା ବାସି ସ୍ମୃତିର । ସିଏ ଯାହା ହେଉ

ମୁଁ କିନ୍ତୁ ଦେଖି ପାରିଛି ସେ ଲୁହର ଦୁଇ ଭିନ୍ନ

ରୂପ । ସମସ୍ତିଙ୍କ ଅବଗତି ପାଇଁ ତେଣୁ ଠିକେ ଠିକେ

ଦି’ କଥା କହୁଛି ॥

 

(ଦୁଇ)

 

ବେଳେ ବେଳେ ସମୟର ଝରଣାର କୁଳୁକୁଳୁ ଧ୍ଵନି

ଶୁଣୁ ଶୁଣୁ ଅଲକ୍ଷିତେ ନିଦ ଆସେ ଗଡ଼ଘାଲି

ତରଙ୍ଗ ଦାଢ଼ର ସାବ୍‍ଜା ଘାସ ମସିଣାରେ । ଚଉପାଶେ

ଆଉଟା ସୁନାର ଖରା ଓ ସ୍ୱପ୍ନରେ ସଂଗୀତ, ଘାସ

ଓ ମୋର ମନ ହୃଦୟ । ସବୁ ଘୂରେ ଘିର୍ ଘିର୍

ଝରଣାର ଘୂର୍ଣ୍ଣି ବୁକେ ପ୍ରଥମ ଲଗ୍ନର । ସେ

ଘୂର୍ଣ୍ଣିରେ ବୁଣିଛି ମୁଁ ଅନେକ ଡାଆଣୀ ଦାନ୍ତ

କଳା ମଚମଚ ଭୂତ ଅଗ୍ନି-ଆଖି, ମୃତ ଯେତେ

ଦେବତାଙ୍କ ଚିଲିମ, କଠାଉ । ତା’ ଫଳରେ

ଆଶାହୀନ ନିବାରୁଣ ପ୍ରତିଟି ମୁହୂର୍ତ୍ତ, ପ୍ରତି ଘଣ୍ଟା

ବର୍ଷ, ମାସ, ଦିନ, ଦଣ୍ଡ ପଳ ଜଳୁଛନ୍ତି ଦାଉ ଦାଉ

ସତେ ଅବା ଅସଂଖ୍ୟ ମାର୍ତ୍ତଣ୍ଡ ଓ ସେଇ

ଅଗ୍ନିଶିଖାରୁ ମୁଁ ଆହରେ ଆଲୋକ, ଉତ୍ତାପ

ସେକି ଦିଏ ନିଆଁ ଧାସେ ଶୀତ-କ୍ଳିଷ୍ଟ, ରୁଗ‌୍ଣ

ଦେହ ମନ । ସ୍ୱପ୍ନର ଅଗ୍ନିରେ ଜଳେ, ଆଶା

ଆଉ କାମନାରେ ଦାବାନଳେ,ଅଶ୍ରୁର ସ୍ଫୁଲିଂଗେ

ଏ ଦେହ ଓ ମନ-କୁଞ୍ଜ, ହୃଦୟର ଗୁପ୍ତ ବୃନ୍ଦାବନ ॥

 

ହେଇପାରେ ତମେ କେବେ ଦେଖିନାହିଁ ଲୁହର

ଉତ୍ତାପ; ଦେଖିନାହିଁ କେତେ ତାତି ଜନ୍ମଦିଏ

ଏକ ବିନ୍ଦୁ ଲୁହ; କେତେ ସ୍ଵପ୍ନ କେତେ ଡହଡହ

ଆଶା ଉପୁଜାଏ ଛୋଟ ଏକ କୋହ ॥

 

(ତିନି)

 

ପୁଣି ମୁଁ ଦେଖିଛି କେବେ ବରଫ-ଶୀତଳ ରାତି

ରଣିଫୁଲ ଜହ୍ନ । ଆକାଶର କାଳିମାରେ ବୁନ୍ଦାଏ

ବୁନ୍ଦାଏ ସ୍ମୃତି ତାରାଫୁଲ । ବଗିଚାର ଗହନ

ଅନ୍ଧାରେ ନୂଆବୋହୁ ରଜନୀଗନ୍ଧାର ମୁହଁ ॥

 

କେତେ ଲୋକ ଚାହିଁଛନ୍ତି ବାସି ଦିନ ଆଡ଼େ;

ପାହାଡ଼, ଡଙ୍ଗର, ବଣ, ବିଲ, ହିଡ଼, ଜନପଦ

ସମସ୍ତ ଦିଗ ଓ କୋଣ ଏ ମନର-ସବୁ ଏକ

ଅବିନ୍ୟସ୍ତ ସ୍ଫୁଟିକ ଜଙ୍ଗଲ । ବ୍ୟାକୁଳ

ପରାଣ ନେଇ ଖୋଜି ଖୋଜି ଅଣ୍ଡାଳି ଅଣ୍ଡାଳି

ଦେଖେ ଯେତେ ମୁତାହତ ଘଣ୍ଟା ଆଉ

ମିନିଟ୍‍ର ଦେହ, ଟିକି ଟିକି ସଂଖ୍ୟାହୀନ ସ୍ଫଟିକ ମାବଲ ॥

 

ମୋ ଆଖିରେ ଜଳଜଳ ଭୟଙ୍କର ଥଣ୍ଡା ଲୁହ ଟୋପା;

ସଭିଙ୍କୁ ଅପରିଚିତ, କିନ୍ତୁ ମୋତେ ନୁହଇ ଅଛପା

Image

 

ନଇ ମୁହାଣ

 

କାନ୍ଦନା ପାଗଳିପରି, ମଥା ପିଟି ବାଳ ମୁକୁଳେଇ

କଇଁ କଇଁ ହୋଇ ଆଉ କାନ୍ଦନା ଲୋ ବୋଉ ମୋର

ଅନ୍ଧୁଣି ସମୁଦ୍ର । ସାକ୍ଷ ରଖି ଅନ୍ତରୀକ୍ଷ

ଗ୍ରହ, ତାରା, ନିସ୍ତବ୍ଧ ପବନ । ତୋ ବିଶିକେଶନ

ଏଇ ଫେରୁଅଛି ଲହରୀର ଦାଢ଼େ କାଟି

ବାଲି,ମାଟି ଯୋଜନ ଯୋଜନ ॥

 

ଅନ୍ଧାରର ଶୂନ୍ୟ ଆକାଶରେ ତୋର ଆଖି ଖୋସି

କାନ୍ଦନା ମୋ ମାଆ ପରା, ମେଲା ଦାଣ୍ଡ ଘରେ ବସି

ଏରୁଣ୍ଡିରେ ଆଣ୍ଠୁ ରଖି; ଦୀପରୁଖା ଉପରର

ପିଲିସଜେ ଶତସ୍ମୃତି ମଲାବତି ମିଛଟାରେ ଜାଳି

ତୋ ପୁଅ ଆସୁଛି ଫେରି, ପିଠିରେ ବୋକଚା ଆଉ

ହାତରେ ଲଣ୍ଠନ ଧରି ଲହରୀ-ଡଙ୍ଗାରେ ବସି

ତଳକୁ ମୁହଁକୁ ପୋତି ହାଟରୁ ବାହୁଡ଼ି ॥

 

ତୋର ନିଶ୍ଚେ ଭୟ ହେଲା,

କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା

ଲୁହ ଆଉ ଦୀର୍ଘଶ୍ଵାସ ଦେବି ମୁଁ କାହାକୁ

ହଜିଲା ଦରବ ଖୋଜି ମୋ ବିଶିକେଶନ ଗଲା

ସମତଳ ଭୂମି ଆଉ ନିଗ୍ର, ଗ୍ରାମ,

ନିଛାଟିଆ ବଣ, ବିଲ, ମରୁଭୂମି ପଥର ଗୁହାକୁ

ଆଉ ଏଠି ରାତି ଯାଇ ଦିନ ହେଲା

ଦିନ ଯାଇଁ ପୁଣି ହେଲା ରାତି

ନିଆଁଝୁଲ ପରି କେବେ ହେମାଳ ନକ୍ଷତ୍ର ସବୁ ଶିଶୁ

ନିଭିଗଲେ ଶୂନ୍ୟତାର ଥଣ୍ଡା ଉହ୍ନେଇରେ

ମୋଟା କୁହୁଡ଼ି ଚାଦର ଜାକିଜୁକି ଘୋଡ଼ିହୋଇ

ତିମି ମାଛ, ଶାମୁକା ଓ ଗେଣ୍ଡାଦଳ ଯାଞ୍ଚ କରି

ପୁଣିକେବେ ଉଦେହେଲେ ଦେବ ଦିବାକର

ଆଖି ମଳି ବିରକ୍ତିରେ; ମହାରୋଷଭରେ ॥

 

ଆଉ ତୋ ବିଶିକେଶନ କ’ଣ ଅବା ଖୋଜୁଥିଲା ?

ଶବ୍ଦ ଓ ଅର୍ଥର ଯେତେ କ୍ଷୀଣ ନଈକୂଳ,

ତା ଭିତରେ ବାଲି ବନ୍ଧ,

ସାମାନ୍ୟ ସମ୍ପର୍କ ସ୍ଥାପି କାର୍ଯ୍ୟ କାରଣର

ସ୍ନାନ ସାରି ନିଜସ୍ଵ ଅନୁଭୂତିର ନିଭୃତ ନିଆଁରେ

(ଅବଶ୍ୟ ଯମ ଦେବତା, ଏଣୁ ତେଣୁ ଚାରେଇ ତୁରେଇ

ନୂଆ ଓକିଲଙ୍କ ପରି ନାନା ଉପଲକ୍ଷ୍ୟ ଦେଇ

ମିଛଟାରେ ଛୋଟପିଲା, ସରଳ ବିଶ୍ୱାସୀ ସେଇ ନଚିକେତା

ଆଗେ ସେଇ କଥା ବଖାଣିଲେ ବାରଆଡ଼ୁ ଫେଣେଇ ଫେଣେଇ)

କଥା, ଯାହା ଜନମ ଓ ମରଣର ଟିକି ପିଲାଖେଳ,

ହାଲୁକା ହେଲେ ଦେହମନ ଆକାଶକୁ ବାମ୍ଫ ହେଇ

ଉଠିଯାଏ । ସାଇଁ ସାଇଁ ଘୂରି ବୁଲି ଏଣେ ତେଣେ

ଭାଗାବଂଡ଼୍ ପରି, ପୁଣି କେବେ ପାହାଡ଼ରେ ମାଡ଼ ଖାଇ

ତଳେ ପଡ଼ି ବାଲିଶେଯେ ଶୁଏ ॥

 

ସବୁ ତେଣୁ ନିଜ ପାଣି (ଯଦିବା ସେ ପାଣି ହୁଏ ସଂଜ୍ଞାଭେଦ

ଅନ୍ୟ ଲୋକ ପାଣି) । ସବୁ ପାଣି ଜ୍ୱଳନର ହୃତାଶନ

ଅଶ୍ରୁ-ପ୍ଲାବନର ମିଶାମିଶି ପ୍ରତିରୂପ

ବସ୍ତୁ ଓ ଘଟଣାହୀନ ଅନ୍ଧାରର ସ୍ତୁପ

ସମସ୍ତ ମୁହୂର୍ତ୍ତ ସଦା ବର୍ତ୍ତମାନ, ମୁକ୍ତିହୀନ ଘନ ଅନ୍ଧକୂପ ॥

 

ତେଣୁ ଯେତେ ଗଲା କାଲି

ସବୁ ସ୍ମୃତି ଆଜି ଦିନଟିର

ସମସ୍ତ ଆସନ୍ତା କାଲି ଆଜିଟିର ସପନ ସମ୍ଭାର ॥

 

ତେଣୁ ମୃତ୍ୟୁ କିଛି ନୁହେଁ

ବେଶ୍ ଖାଲି ପବନରେ ଫୁଙ୍ଗୁଳା ଦେହରେ ତମେ ଛିଡ଼ା ହୁଅ

ଏବଂ ଏଣେତେଣେ ଭାସି ମିଶିଯାଅ ନୀଳିମାର ଘଞ୍ଚ ବିସ୍ତୃତିରେ

କିମ୍ୱା ଧୀରେ ଧୀରେ ଯାଅ କରଳା ପରି ମିଳେଇ

ନିଃଶବଦେ, ଚକଚକ ର୍ଯ୍ୟ-ସୁକିରଣରେ ॥

 

ବୋକଚାରେ ଏଇମିତି ଅର୍ଥହୀନ, ଅଭିଜ୍ଞାନ, ମୋଟା ଭାଷ୍ୟ

ସିଲଟ୍, ବସ୍ତାନି, ଖଡ଼ି, ଦିଆସିଲି, ପନିକଣ୍ଠିମଳ

ଆଜି ମୋର ମନେପଡ଼େ, ହସ ଲାଗେ

ଯୋଉଦିନ ବେତର ଡରେ ଘୋଷିଲି

କୁକ୍କୁଟ ମୁଣ୍ଡେ ଅଛି ଚୂଳ

ମାଟି ଭିତରେ ବୃକ୍ଷ ମୂଳ ॥

 

ଯୋଜନ ଯୋଜନ ଧରି ଅନ୍ଧକାର

ଲୁହା ଆଉ ପଥରଠୁଁ ଟାଣ

ଦେଢ଼ଫୁଟ ବ୍ୟସାର୍ଦ୍ଧରେ ଜିକି ଜିକି ଏ ଆଲୁଅ

ନିଭିଲା କି ନ ନିଭିଲା ତୋ ପୁଅ ଲଣ୍ଠନ,

ତରଙ୍ଗ ଡଙ୍ଗାରେ ଏଠି ମୁମୂର୍ଷୂ ଯେତେ ପଝାରୀ

ମୂଷାମାଟି ଶଣ ଶଣ ମଙ୍ଗତଳେ ରୁଷି ଶୋଇଛନ୍ତି

ମହର୍ଷି ଚାର୍ବାକ୍ ଏବଂ ବୁଦ୍ଧଦେବ, ଯୀଶୁଖ୍ରୀଷ୍ଟ

ଭଲକରି ଦେଖ ମୋର ଭ୍ରାତାଙ୍କ ବଦନ ॥

 

ବୋଉ ଲୋ ତୁ ଭଲ କଲୁ ଶଙ୍ଖାସୁର ନିଜ ପେଟେ ରଖି

ଚାରିଦେବ ବୁକୁଚାରେ ବ୍ରହ୍ମା ଯାହା ବାନ୍ଧି ବୁଲୁଥିଲେ

ଠିକ୍ ଏଇ ମୋରି ପରି, ବସ୍‍ଷ୍ଟାଣ୍ଡ ଫେରିବାଲା ପରି

ଗଳା ସରୁ ମୋଟ କରି ରଡ଼ି ରଡ଼ି

ପାନିଆ, ସିନ୍ଦୁର, ଫିତା, ଦାନ୍ତଖୁଣ୍ଟା, ଅମର-ଜୁମର

ସେଥିରୁ ମିଳିଲା ମୁକ୍ତି

ଜିକିଜିକି ଆଲୁଅ ଓ ଜାଙ୍ଗୁଲୁ, ଜାଙ୍ଗୁଲୁ ଯେତେ

ବୁଢ଼ିଆଣୀ ଜାଲ ପରି ଆତ୍ମଜ୍ଞାନ ବେଦନାରୁ

ତ୍ରାହି କରେ ଯେଉଁଥିରୁ

ତୋ ମାଁ-ସେନେହ, ଘନ ଆତ୍ମୀୟ ଅନ୍ଧାର ॥

 

ଆଜି ତେଣୁ ଶେଷ ମୋର ସ୍ମୃତି ଆଉ ସପନର ଅସଂଖ୍ୟ ସରଣୀ

ବସ୍ତୁ ନାମ ଧାମ ଆଉ ଘଟଣା ଓ ଦେଶକାଳ ପାତ୍ର

ଘାଟ ଡଙ୍ଗା, ବେଳ ଯେବେ ରତ ରତ, ଆହୁଲା ଓ ମାଝି ଗୀତ

ବାଲିଖେଳ, ଦୀପଦାନ, ଭଙ୍ଗାକାଚ ଛିଣ୍ଡା କନ୍ଥା ଅନେକ କାହାଣୀ

ଅନେକ ମୃତ ପୃଥିବୀ । ମୃତ ବହୁ ବିମ୍ୱ ଓ ପ୍ରତୀକ

ନିର୍ବାପିତ ବହୁ ସ୍ମୃତି, ସ୍ଵପ୍ନ ସବୁ ଯିଏ ମଲେ

ମୁହୂର୍ତ୍ତର ସିଂହାସନ ନ ହେଉଣୁ କ୍ଳାନ୍ତ ଅଭିଷେକ ॥

 

ଏଠି ତେଣୁ ଭଲଲାଗେ ଝାଉଁଗଛ ଅସ୍ପଷ୍ଟ କାନ୍ଦଣା

ପାତଳ କୁହୁଡ଼ି ସିଡ଼ି ଫଳିରେ ପାଦ ପକେଇ

ସଞ୍ଜ ଯେବେ ଓହ୍ଲୋଉଛି ଆକାଶରୁ ହୋଇ ବାଟବଣା,

ଏଠି ଆଜି ଭଲଲାଗେ ପାଲିସ୍, ମସୃଣ ଏଇ କାଦୁଅରେ

ତୋଫାଧଳା ଓ ଧୂସର ପକ୍ଷୀର ମୁରୁଜ

ଜୁଆର ଯାଉଛି ଛାଡ଼ି

ଛାଡ଼ିଦେଇ ଶାମୁକା ଗେଣ୍ଡାମାନଙ୍କୁ ବାଲି ପଙ୍କ ହତାଶାରେ

ଆକାଶରେ ବଉଦର ନାନାଜାତି ରଙ୍ଗ ଓ ପହିଜ ॥

 

ବାସ୍ ଆଉ ଟିକକରେ ଲୁଣିପାଣି ଧୂଆ ଏଇ ଶିଉଳି ଓ କାଦୁଅରେ

ତାରାସବୁ ବିଞ୍ଚି ହୋଇଯିବେ

ଭାଙ୍ଗିଯିବ ଗୁଆଁର ଓ ବନି ଡାଳେ ପକ୍ଷୀଙ୍କର ହାଟ

ବିଞ୍ଚି ହେଇ ହଜିଯିବ ଲଣ୍ଠନର ମୁମୂର୍ଷୂ ଆଲୁଅ ଆଉ

ପନିକଣ୍ଠି, ଚକ୍‍ଖଡ଼ି, ଦିଆସିଲି, ବସ୍ତାନି, ସିଲଟ୍ ।

ବୋଉଲୋ କାନ୍ଦନା ଆଉ ଅଛିଣ୍ଡା ଅଙ୍କ ପଚାରି

ଆଶା ରଖି ମିଛେ ଉତ୍ତରର । କଇଁ କଇଁ ହେଇ ଆଉ

କାନ୍ଦନା ପାଗଳୀ ମୋର ଅନ୍ଧୁଣୀ ସମୁଦ୍ର

ସାକ୍ଷୀ ରଖି ନୀରବ ଏ ଅନ୍ତରୀକ୍ଷ, ଗ୍ରହ, ତାରା, ଅଥୟ ପବନ

ତୋ ବିଶିକେଶନ ଏଇ ଲେଉଟାଣି ଆସୁଛି ଘରକୁ

ତୋ ପାଇଁ ଉତ୍ତର ଖୋଜି, ହାଟସାରା ବୁଲି ବୁଲି

ବାଲି ଓ ଅଙ୍ଗାର ଡେଇଁ ଯୋଜନ ଯୋଜନ ॥

Image

 

ସ୍ଥିର ତରଙ୍ଗ

(୰ଚିତ୍ରଶିଳ୍ପୀ ବି. ବର୍ମାଙ୍କ ପାଇଁ)

 

ପାଣି ଚହଲିଛି, ଢେଉ ଉଠିଛି

ଓ ତରଙ୍ଗ ଶୁଣି ହୋଇଛି ସ୍ଥିର ।

ଜ୍ୟେଷ୍ଠର ଅସରା ଅପରାହ୍‍ଣର ଧୂଳିଝଡ଼ରେ

ଶ୍ରାବଣର ଉଦାସ ସଞ୍ଜର ବାରିଧାରାରେ

ଓ ମଗୁଶିରର ଆଉଟା ସୁନାର ସୋରିଷ ଫୁଲରେ

ଶୋଇ ଶୋଇ ମୁଁ ସ୍ଵପ୍ନ ଦେଖିଛି

ଅସ୍ଥିର ମୋର ମନ ଓ ଇନ୍ଦ୍ରିୟ ସ୍ଵପ୍ନ ଦେଖିଛନ୍ତି

ତରଙ୍ଗ ସ୍ଥିର ହୋଇଛି

ଓ ଡିମିରି ଗଛରେ ଫୁଲ ଫୁଟିଛି ॥

ରେଖା, ରଙ୍ଗ, ରୂପ ଓ ତୁଳୀ

ବର୍ଷା, କାକର, ଘାସ ଓ ଫୁଲକୁ

ନିମନ୍ତ୍ରଣ କରି ଡାକି ଆଣିଛନ୍ତି

ଏବଂ ସେମାନେ ଧୀରେ ଧୀରେ ପାଦ ପକାଇ ଆସି

ମୋ ସ୍ଵପ୍ନ ଓ ସତ୍ତାକୁ ଘେରି ବସିଛନ୍ତି

ମଲା ମଣିଷର ଚାରିପାଖରେ ଭାଇବନ୍ଧୁ କୁଟୁମ୍ୱଙ୍କ ପରି

ଚିହ୍ନା, ଅଚିହ୍ନା ରୂପ, ରସ, ଗନ୍ଧ ଓ ଶବ୍ଦ

ସବୁ ପାଚୁଛନ୍ତି

ସବୁଜରୁ ପୀତାଭ ଓ ଲାଲ

ଓ ସେମାନଙ୍କ ସହିତ ଡିମିରି ଫୁଲର ଫଳ ସବୁ ପାଚୁଛି ॥

ରେଖାର ଜ୍ୟାମିତି ଡାକି ଆଣିଛି

ଦେହର ମସୃଣ ଶଙ୍ଖର ସ୍ଥାପତ୍ୟ

ଓ ବ୍ରୀଡ଼ାବତୀ ଲତାର ସର୍ପିଳ ଠାଣି

ଶୂନ୍ୟଘଟର ଜଳତୃଷ୍ଣା ଓ ଦେହ ମନର ଅସ୍ଥିର ତରଙ୍ଗ;

ବଜ୍ର ନିନାଦ ଓ ରଙ୍ଗର ବିସ୍ଫୋରଣରେ

ଡିମିରି ଫଳ ଝରି ପଡ଼ିଛି ॥

ତରଙ୍ଗ ପୁଣି ହୋଇଛି ସ୍ଥିର,

ସ୍ମୃତି ରହିଛି-କଥା ରହିଛି

ରେଖା ଓ ରଙ୍ଗ କେବେ ଡାକି ଆଣିଥିଲେ

ନଟରାଜ, ତଥାଗତ, ନିର୍ବାଣ ଓ ବୋଧିସତ୍ୱକୁ

ଅସ୍ଥିରର ପରିଧିରେ ସ୍ଥିର ଶାନ୍ତ ମୂର୍ତ୍ତିକୁ

ଯାହା ଡିମିରି ଫୁଲ ପରି ଫୁଟିଛି, ଫଳିଛି ଓ ଝରିଛି ॥

ହୋଇପାରେ-

ଡିମିରି ଗଛରେ କେବେ ଫୁଲ ଧରି ନ ଥିଲା ॥

Image

 

ଶବ୍ଦର ଆକାଶ

(ଏକ)

 

ମାଟି ଚଟାଣ ଉପରେ ନୂଆ ପଢ଼ା ପିଲାଂକର

ଖଡ଼ି ଗୋଟାଳିରେ ଗଢ଼ା ‘ବ୍ରହ୍ମା, ବିଷ୍ଣୁ, ଆଉ ମହେଶ୍ଵର’

ସିଲଟରେ ଗାରିଆ ମାରିଆ ରୂପ

‘ମା, ରମା, ରମାର, ରବର,’

ମୁଁ ଦେଖୁଛି ସେଇପରି ଆକାଶର ତରବର ଅସଂଖ୍ୟ ସ୍ଵାକ୍ଷର

ସବୁଥିରେ, ସବୁ ବସ୍ତୁ, ସବୁ ଧ୍ୟାନ, ସବୁ ଧାରଣରେ ॥

 

ଶତେକ ଜଳଘଟରେ

(ଜଗନ୍ନାଥ ଦାଶେ ବୋଧେ କହିଥିଲେ

ଶତେକ ଜଳଘଟ ଥୋଇ । ଚାହିଁଲେ ଆକାଶ ଦିଶଇ ?)

ରାସ୍ତାକଡ଼ କଫିରଙ୍ଗ ଖୋଜକ ପାଣିରେ

ରଙ୍ଗହୀନ ଦୁଃଖ ଆଉ ନିଦୁଆ ସୁଖରେ

କୃଷ୍ଠରୋଗୀ ବ୍ୟାଣ୍ଡେଜ୍ ଓ ଚକାଡ଼ୋଳା ନିର୍ଲିପ୍ତ ଆଖିରେ ॥

ବିଜୁଳି ପରାୟେ ଯାହା ମହାକାଳ କଳା ବଉଦରେ

ଜଳୁଛି, ଲିଭୁଛି

ପଢ଼ିବା ସମ୍ଭବ ନୁହେଁ ସାଙ୍କେତିକ ସେଇ ଭାଷା

ଦରଲିଭା ଅକ୍ଷରରେ ଅନ୍ଧ-ପଥରରେ ॥

 

ବିଚିତ୍ର ହରଫ ଏକା

ହାଇରୋଗ୍ଳିଫ୍ ଇନ୍‍କା ବା ଆଜ୍‍ଟେକ୍

ଅଥବା ହାତୀଗୁମ୍ଫାର ଦରଲିଭା ପ୍ରତିମା-ସଙ୍କେତ

ପ୍ରଥମ ପାହାଡ଼ ଗୁମ୍ଫା କାନ୍ଥରେ ଉତ୍କୀର୍ଣ୍ଣ ଯେତେ

ଶିକାର ଓ ପଶୁହତ୍ୟା, ବିଦ୍ଵେଷର ଛବି

ରାତିଦିନ ମୋ କାନରେ ସେ ନୀଳ, ଆକାଶ-ଗୀତ

ସେ ଗୁମ୍ଫାର ଦରଭୁଲା କରୁଣ ପୂରବୀ

ହୋଇଅଛି ଗୁଞ୍ଜରିତ

ଅସଂଖ୍ୟ ଭୈରବୀ ରଡ଼ି, ହାଟ ଦିନ ଘୋ ଘୋ, ଠେଲାପେଲା

କରି ପରାଜିତ ॥

 

(ଦୁଇ)

 

ଶବ୍ଦରେ ଆକାଶ,

ନୀଳ ନୀଳ ଶବ୍ଦର ଆକାଶ

ଶବ୍ଦ କେବେ ନୀଳ, କେବେ ଧୂସର ଓ

ପୁଣି କେବେ ପିଂଗଳ, ଲୋହିତ

ଇସ୍ପାତ୍, ପିତଳ, ତମ୍ୱା,

ରଙ୍ଗୀନ ରୈଖିକ ସେଇ ଚିତ୍ରପଟେ

ମୋ ମାନସ, ପୃଥିବୀର ପୁରାତନ ପ୍ରାଣ

ଉତ୍କୀର୍ଣ୍ଣ ! ଉତ୍କୀର୍ଣ୍ଣ !!

 

ଆକାଶ ଉପକୂଳର ସେ ପ୍ରଥମ ବାକ୍ୟ

ସେ ବାକ୍ୟର ଶବ୍ଦାବଳୀ

ଅନୁପ୍ରାସ, ଯତିପାତ ଓ ଯମକ

ଅଧେ ଆଜି ମନେ ପଡ଼ୁନାହିଁ ।

ଇତିହାସ ପାପୁଲିରେ ବଙ୍କାଟଙ୍କା ଭାଗ୍ୟରେଖା

କର୍ମଫଳ, ଯଦୃଚ୍ଛା, ନିୟତି

ଅଛି ଖାଲି ଦରଲିଭା ପ୍ରଥମ ସ୍ୱାକ୍ଷର

ଆଉ ପ୍ରଥମ ଶବ୍ଦର ସେଇ ବିନଷ୍ଟ ବିରତି ॥

 

(ତିନି)

 

ହେ ମୋର ନୀଳ ଆକାଶ, ଧୂସର ପ୍ରତୀତି

ହେ ଆହତ, ବିଖଣ୍ଡିତ ମୋ ହୃଦୟ ନୀଳିମ ଦୋସର

ତୁମ ଲୁହେ ତୁମର ସେ କ୍ଷତ ଦେଇ

ଯାହା କିଛି ବୁଝାମଣା ଅବୋଧ୍ୟ ପୃଥିବୀ

ସମୟର ଷଡ଼ଯନ୍ତ୍ର ଶବ୍ଦହୀନ, ପ୍ରତିଧ୍ଵନିହୀନ

ଅସୀମ ବ୍ୟପ୍ତିର ବ୍ୟୂହ ରୂପହୀନ, ଗନ୍ଧ ବର୍ଣ୍ଣହୀନ

ସବୁ ଭେଦ କରି ଏକା ତମେ ପ୍ରତିଭାତ ॥

ହୋଇପାର ଛାମୁଦାନ୍ତହୀନା ଏକ ସୁଶ୍ରୀ ଷୋଡ଼ଶୀର

ସ୍ମୃତି ପରି ଖାପଛଡ଼ା, ଅସୁସ୍ଥ, କରୁଣ

ଯେତେ ସ୍ମୃତି, ଯେତେ ସ୍ଵପ୍ନ

ଯେତେ ଯିବା ଆସିବାର ବାଟ

ସବୁ ତୁମ ଅଯାଚିତ ଦାନ ॥

ସୁତରାଂ ତମ ପାଇଁ ଏ ମୋର କବିତା

ଯେଣୁ ୟାକୁ ଜନ୍ମ ଦେଲା

ତମ ସ୍ଥାନ ଜାରାୟୁର ସୌମ୍ୟ ନୀରବତା

ଗଢ଼ିବାକୁ ମାୟା ସୀତା ମୋତେ ଚିହ୍ନିବାକୁ

ନୀଳ-ଧୂସର ରେଖାର ଦୃପ୍ତ ନୀରବତା ॥

 

ବିଦୂଷକ

 

ସିଏ ଭୁଲିଗଲା ଦୁଇଦୁଣେ ଚାରି କିମ୍ୱା ନଅ

ସିଏ ଭୁଲିଗଲା ଯେ ସରଳରେଖା ହେଉଛି ସେଇ

ଯାହା ଦୁଇଟି ବିନ୍ଦୁ ଭିତରେ ନିକଟତମ ଦୂରତ୍ୱ

ପ୍ରଜାପତିର ଡେଣାରେ ସେ ଚିତାବାଘର ପଟା ପଟା ଦେଖିଲା

ଆଉ ହସିବା କଥାରେ ଠକ୍ ଠକ୍ ଲୁହ ଝାରି

କାନ୍ଦିବା କଥାରେ ଫେଁ ଫେଁ ହସିଲା ॥

ମଣ୍ଡରେ ଅଦ୍‍ଭୁତ ଟୋପି-ତା’ ଉପରେ ଶିଙ୍ଗ

ଶିଙ୍ଗରେ ପୁଷ୍ପିତ ଲତା, ମୁହଁସାରା ନାନା ଜାତି ରଙ୍ଗ

ଛତା, ଜୋତା, ଛିଟ ଜାମା, ଗଧ ପରେ ବସି

ଉଦେ ହେଲେ ସତେ ପର୍ଣ୍ଣଶଶୀ ॥

ଗ୍ୟାଲେରୀର ପାହାଚ ପରେ ପାହାଚ ବୁଡ଼ିଯାଏ

ହସର ନଈବଢ଼ିରେ, ଫେଣ ଆଉ ଗୋଳିଆ ପାଣିରେ

ଆଲୁଅରେ ସିଏ ଖାଲି ଅଣ୍ଡାଳି ଅଣ୍ଡାଳି ଅଥା

ବେଦନାର ଭଙ୍ଗାତୁଟା ଖେଳଣା ଓ ମାଟିଘର

ତୀକ୍ଷ୍‍ଣ ନଖେ ନିଜର ଲୁହ ଓଟାରି

ହସତଳେ ଦୀର୍ଘଶ୍ଵାସ ଖୋଜି

ଖୋଜି ଖୋଜି ନିଷ୍କରୁଣ ମୁହୂର୍ତ୍ତର ଧଇଁପେଲା

ଯାହା ଏଠି ପାଣିଚିଆ ଆଖିତଳେ ସତେ ଗଲା ହଜି !

ମନେପଡ଼ି ମନେପଡ଼େ ନାହିଁ ॥

ଗ୍ରାଫ୍‍ରେ ଦେଶର ସ୍ଥିତି, ଚିକଣିଆ ସ୍କୁଲର ଗ୍ଲୋବରେ

ଭଙ୍ଗା ସିଲଟରେ ଯେତେ ବ୍ରହ୍ମା, ବିଷ୍ଣୁ ମହେଶ୍ଵର

ଏବଂ ପ୍ରତି ମୁହୁର୍ତ୍ତର ଗନ୍ଧ ଓ ଗଢ଼ଣ

ସମୁଦ୍ରର କିନାରାରେ ଭଙ୍ଗାରୁଜା ଶାମୁକାର ବଣ ॥

 

ହସିବା କାନ୍ଦିବା ତେଣୁ ଏକାକଥା;

ଅଘଟଣ ଏଇମିତି ଘଟେ

ଯେ ସମୟେ ଆକାଶରେ ସୂର୍ଯ୍ୟ ଦୀପ ହେଇ ଜଳେ

ସେଇ ଏକା ସମୟ ବି ସେଇ ଏକ ମୁହୂର୍ତ୍ତରେ

ବହଳିଆ ଅନ୍ଧାରର ରୂପ ନେଇ

ସବୁ ସ୍ଥିତି ଓ ଦୂରତା ମାଛିଙ୍କୁ ପେଟରେ ଭରି

ସନ୍ତୋଷରେ ବସି ବସି ଖାଲି ହାଇମାରେ ॥

ସେ ବି ଖାଲି ଦେଖିବାରେ ଯେତିକି ଫରକ ।

ଯେମିତି ଯେଉଁ ତାରାଟି ରାତିର ଅନ୍ଧାରେ ଉଏଁ

ଦୀପ ପରି ଦପ ଦପ ପଶ୍ଚିମ ଆକାଶେ

ସେ ଶୀତଳ ଆଲୁଅରେ ଗାଧୋଇଲା ପରି ଦିଶେ ଆମକୁ ଦୂରରୁ

କିନ୍ତୁ ସିଏ ଜଳୁଥାଏ ସେତେବେଳେ ହା-ହୁତାଶେ

ଅୟୁତ ସୁର୍ଯ୍ୟର ତାପେ ଏକୁଟିଆ ଦ୍ୱିପ୍ରହର

ନିଛାଟିଆ ଅନ୍ତରୀକ୍ଷ କ୍ଳାନ୍ତ ଅଗଣାରେ ॥

ତେଣୁ ଠିକ୍ ନିକଟରୁ ନିକୁଟେଇ ଜିନିଷ ଦେଖିବା

ତେଜାପ୍‍ରେ, କଷଟିରେ ଗାର କାଟି ସ୍ଵରୂପ ବୁଝିବା

ଗୁନିଆ, କମ୍ପାସ ଆଉ ମାନଚିତ୍ର ଫିଙ୍ଗି ଦେଲା ପରେ

ଖରାର ପ୍ରଜ୍ଵଳନରେ ହାଡ଼ଭଙ୍ଗା ଶୀତ ରୂପ ଦିଶେ

ହସର ଲହରୀ ଭେଦି ଖେଣ୍ଟା ଥୁଣ୍ଟା ଖପୁରୀର ଦନ୍ତପନ୍ତି ହସେ ॥

ସେ ହୁଏତ ଜାଣିଥିଲା ॥

ତେଣୁ ସିଏ ଭୁଲିଗଲା ସୂର୍ଯ୍ୟ ଉଏଁ ପୂର୍ବ ବା ଦକ୍ଷିଣେ

କାହିଁକି ପବନ ବହେ, ଗଛପତ୍ର କାକରରେ ଥରେ

କାହିଁକି ଶିଶୁ ଦରୋଟି ବୁଢ଼ାର ଆଖିରେ ଦିଏ ଲୁହବିନ୍ଦୁ

ଗ୍ୟାଲେରୀର ଦର୍ଶକମାନେ ଆସନ୍ତି କେଉଁଆଡ଼ୁ

ଉଡ଼ି ଉଡ଼ି ପକ୍ଷୀପରି ପକ୍ଷ ଝାଡ଼ି

ପୁଣି ନିଭିଯାନ୍ତି ସତେ ତାରା ପରି ଆକାଶର କୋଣେ ଅନୁକୋଣେ ॥

ତେଣୁ ତା’ର ଗୋଟିଏ ପ୍ରାର୍ଥନା ॥

ମହାପ୍ରଭୁ ନୀଳ-କନ୍ଦର ବିହାରୀ

(ଘେନ ଦୟାବହି ମୋର ଗୁହାରି)

ତୁମେ ମତେ କ୍ଷମା ଦିଅ ସକଳ ଅଜ୍ଞାନ ମୋର

ଯେହେତୁ ମୁଁ କ୍ଷମା ଦେଲି

ବେଦନାରେ ଗ୍ୟାଲେରୀର ତୃତୀୟ ପାହାଚେ ବସି

ବିଭିନ୍ନ ମୁକୁଟ ଆଉ ମୁଖା ନାଇ

ମହା-ବିଦୂଷକ ଆହେ ତୁମେ ଯେତେ

ଯୁଗ ଯୁଗ ଗଲ ମତେ ହସାଇ କନ୍ଦାଇ ॥

Image

 

କୃଷ୍ଣ କୈବର୍ତ୍ତ

 

ପଶାପାଲି ଛକରୁ ଡାକଶୁଭିବ ହେ ସଙ୍ଗାତ,

ହେ ମଇତ୍ର, ପାଶେ ଆସ

ଓ କିଏସେ ହଠାତ୍ ଓଟାରି ନେଇ

ମୋ ହାତରେ ପଶାକାଠି ଗୁଞ୍ଜିଦେବ

ମୁଁ ଯେତେ ରଡ଼ିଲେ ବସି ‘କଚେ ପୁଅ ବାର ତେର’

‘ଛଅ ତିନି ନଅ’

ଭୁଲଦାନ ପଡ଼ୁଥିବ ଅନ୍ୟକା’ର ଗୋପନ ଇଚ୍ଛାରେ

ଓ ତମର ସାବ୍‍ଜା ଗୋଟି ମାରୁ ମାରୁ ମୁଁ ଦେଖିବି ନିଜ ହାତେ

ମୁଁ ଆପଣା ନାଲି ଗୋଟି ସମସ୍ତିଙ୍କୁ ମାରି ସାରିଲେଣି

ରୋଷଭରେ ଚାହିଁଲେ ତୁମେ ନଥିବ, ବିରାଜିବ ଶୂନ୍ୟର ଛାଉଣି ॥

 

ଶୁଣିଥିଲି ତମସଙ୍ଗେ ଖେଳିବାର ଅପଯଶ

ତୁମପରି ନିପଟ ଗୋଳିଆ

ନିୟମରେ ଦାନ ପକା, ଗୋଟି ଚାଳ କହି କହି

କେବେ ହେଲେ ଶୁଣିବନି

ଏମିତିକି ଚକ୍ଷୁଶ୍ରବା ହୋଇ । ନିହାତି ବାଧ୍ୟ କରିଲେ

ଛୋଟ ପିଲାଟିଏ ପରି

‘ମୁଉଁ ଆଉ ଖେଲିବିନି’ କହି ଉଠି ଚାଲିଯିବ,

ଗୋଟି, ଦାନ, ପଶାପାଲି

କାଖତଳେ ଜାକିଜୁକି, ପଛକୁ ନ ଚାହିଁ ॥

 

ସାବ୍‍ଜା ଓ ନାଲିନେଳି ଭାରାରେ ଭାଙ୍ଗିବା ଗଛ

ତେଣୁ ମୋ ଆଖି ସାମ୍‍ନାରେ ଆଣି ଥାପି ଦେଇ

ଥୁଣ୍ଟା ଓ ନିଶାଖା ବୋଲି ହେ କପଟି ଦେଲ କି ବତେଇ ?

 

ପୁଣି କେବେ ଛାଇପଡ଼େ ଗଛ ଆଉ ପତରର କୋଟି କାମ

ଗଛ କିନ୍ତୁ କେଉଁଠି ନଥାଏ,

ଛାଇପଡ଼େ ଅନ୍ଧାରରେ ଆଲୁଅର ସତ୍ତା ବି ନଥାଏ

ଡେମ୍ଫ ବିନା ପତ୍ର ହସେ, ଫୁଲ ବିନା ଝୁଲୁଥାଏ ଫଳ

ଶୁଖିଲା କାଠରେ ଶୁଭେ, ପଲ୍ଲବର ହସ କୋଳାହଳ ॥

 

ଦମ୍ଭିଲା ପଥର ବୁକେ ଅଚାନକ ଡୁବିଯାଏ

ମୋ ପୃଥ୍ଵୀର ଲୁହା ଆଉ ଇସ୍ପାତର ରଥଚକ

ଅକାତ କାତ ପାଣିରେ ସତେ ଅବା ଆଶ୍ରାହୀନ ଗୋଡ଼ି

ଖରାବେଳେ ସଂଜ ଆସେ ଲମ୍ୱାଲମ୍ୱା ପାହୁଲ ପକେଇ

ଆକାଶର ଅଧାବାଟେ ନାଲିଆ ବଲ୍‍ଟି ପରି ସୂର୍ଯ୍ୟ ଯାଏ ବୁଡ଼ି ॥

 

ସ୍ନେହର ଆଲିଙ୍ଗନରେ ଚିପିଦିଅ ଭାଙ୍ଗି ଯାଏ ଲୁହା ଭୀମସେନ

ହାତରେ ବଇଁଶୀ ଧରି ଫୁଙ୍କୁଫୁଙ୍କୁ ଗ୍ରାସିଦିଏ ଭୀମ ଶମଶାନ

ଓ ବଇଁଶୀ ଅଚାନକ ହୋଇଯାଏ କୋକେଇର ଦି’ ପବ ବାଉଁଶ

ଅନ୍ଧାରର ଲହଲହ ଜିଭ ଚାଟେ ଅକାଶର ଚାନ୍ଦୁଆରୁ

ଗୋଟି ଗୋଟି ଗ୍ରହ, ତାରା ନୀହାରିକା ।

ଝୁଣିଖାଏ କଡ଼ମଡ଼ ଆଲୁଅ ଟୁକୁଡ଼ା

ଚନ୍ଦ୍ରର ଶବ ଗନ୍ଧାଏ ସକଳର ଧୂସର ଆକାଶ ଦାଣ୍ଡେ

ବଉଦର ଟ୍ରକ୍ ତଳେ ଚିପି ହୋଇ

ରୋମହୀନ ଧେଡ଼ୀ କୁତୀ ମେଞ୍ଚାଏ ମାଉଁସ ॥

 

ପ୍ରେମିକା ହସରେ ଶୁଭେ ଟହଟହ ଚାମୁଣ୍ଡାର କିଳିକିଳା ଧ୍ୱନି

ଶିଶୁ ଦରୋଟିରେ ଶୁଭେ ଭୀମରଡ଼ି କମ୍ପାଇ ମେଦିନୀ

ମୋ ଟେବୁଲ ଉପରର ଫ୍ରେମବନ୍ଧା ଫଟୋ ମୋର

ହଠାତ୍ ପାଲଟିଯାଏ

ଭୀଷଣ ଅସୁର, ରେଡ଼ିଓର ନବ୍ ଦି’ଟା ଜଳିଉଠେ

ଅନ୍ଧାରରେ ପ୍ରଜ୍ୱଳିତ ଆଖି

ଶିଉଳିଲଗା କାନ୍ଥରେ ମାଡ଼ିଆସେ ସମୁଦ୍ର ଜୁଆର ॥

 

ଖାତା, ବହି, ଚୌକୀ ଓ ଟେବୁଲ ସବୁ ଡାକିନୀ ଓ ପିତାଶୁଣୀ

ମୋ ଆଡ଼କୁ ଟେରେଇ ଟେରେଇ ଚାହିଁ

ହାତ ଧରାଧରି ହୋଇ ଅସୁରର ସାଙ୍ଗେ ମିଶି ଆସନ୍ତି ଆଗେଇ

ବୃତ୍ତର ପରିଧି ହୁଏ ଧୀରେ ଧୀରେ ସଙ୍କୁଚିତ

ଭୟରେ ମୁଁ ଲାଞ୍ଜପିଟେ ଛୋଟ ମାଛ ଜାଲ ମାଡ଼ିଆସେ

ଆଉ ମୁହୂର୍ତ୍ତକେ ଲାଗେ ମୋତେ ଚିପି ଶେଷ କରିଦେବେ

ତଣ୍ଟି ମୋର ଶୁଖିଯାଏ,

ଭୀଷଣ ଚିତ୍କାର କରି ଊର୍ଦ୍ଧ୍ୱଶ୍ୱାସେ ଯାଏ ମୁଁ ପଳେଇ ॥

 

ପହଞ୍ଚିଲି ନଈକୂଳ, କାନରେ କହିଲା କିଏ ଆରପଟେ

ମୋର ସପ୍ତଭୂମି, କିନ୍ତୁ ଆହା ନାବ ନାହିଁ,

ଦଲଦଲ ମେଘର ଆକାଶ ତଳେ

ମୁହଁ ସଂଜ, ରକ୍ତହୀନ ଆଲୁଅରେ ନଈର ନଙ୍ଗଳା ଖଣ୍ଡା ଝଲସୁଛି

ମୁଣ୍ଡରେ ଛିଣ୍ଡା ପଖିଆ,

କୁମ୍ବାଟୁଆ ଆଖିରେ ବେତାଏ ନିଦ ମାଡ଼ିରଖି

ସେଇ କୃଷ୍ଣ କଇବର୍ତ୍ତ ଜଗିଅଛି ଘାଟ

“ଆଉ କିଏ ଆସୁଅଛ ହୋ ବାଟୋଇ ।

ରାତି ହେଲା ବେଇଗି ବେଇଗି ଆସ”

ଗଡ଼ି ରଡ଼ି ମାରୁଛି କୁହାଟ ॥

 

ତୁମେ ସେଇ କଇବର୍ତ୍ତ, ହାଲିଆ କରିଛ ଖାଲି

ଏଣେ ତେଣେ ବୁଲେଇ ବୁଲେଇ

ଓ ଶେଷରେ ଡାକିଆଣି ନଈକୂଳେ ବସେଇଛ ମିଛଟାରେ

ଆରପାଖେ ସୁନାଦେଶ ବୋଲି ବୋଧ ଦେଇ

ଭଙ୍ଗା ଡଙ୍ଗାଟିଏ ସୁଦ୍ଧା ରଖି ନାହଁ

ଅଥଚ ସାମ୍‍ନାରେ ଦେଲ କେଡ଼େ ଭରା ନଈ ॥

Image

 

ଦୁଇଟି ଜଣାଣ

(ଏକ)

 

ପର୍ବତ ପ୍ରମାଣେ ଶବ୍ଦର ଶାଢ଼ୀ କଢ଼ାହେଇ

ଗଦା ହେଲାଣି । ନାନାରଙ୍ଗ,

ମଣ୍ଡ, ଅରଟ ଓ ତନ୍ତର ଗନ୍ଧ ସେଥିରେ । ଆହୁରି ଆହୁରି

ପରସ୍ତ ପରସ୍ତ ଶାଢ଼ୀ ମତେ ଛନ୍ଦିବାନ୍ଧି ଗୁରେଇ ଗାରେଇ ଧରିଛି ।

ମୁଁ ଅଣନିଶ୍ୱାସୀ । ସେଇସବୁ ଶାଢ଼ୀର ଦୁସ୍ତର ମାଇଲର

ପ୍ରଚଣ୍ଡ ବିଶୃଙ୍ଖଳା ତଳେ ନିପା ପୋଛା ନିଚିପର ନେଳିଆ ନିଶୂନ

ଆକାଶ କେଉଁଠି ଧକୋଉଛି । ଆଉ ନିଦା ମାଟିରେ ଜାଣିଚାଏ

ସ୍ଵପ୍ନାଙ୍କୁର ସେଠି ମରୁଡ଼ିରେ ଜଳିଗଲାଣି । ଆହୁରି ଆହୁରି

ଶବ୍ଦ, ବାକ୍ୟ, ନାମ ଜଡ଼ିରହିଛି

ଓ ତା’ର ତାଉ ଓ ଧାସ ମୋ ମୁହଁରେ ବାଜୁଛି ॥

 

ହେ ପ୍ରବଞ୍ଚନାର ଠାକୁର, ତମେ

ଭୀରୁର ଗୁହାରି ଶୁଣିଛ । ତମ କାନରେ ବାଜିଛି ମୋ

ଜଣାଣ । ତମେ ମତେ ବଞ୍ଚେଇଛ ଭୟର ନେଳିଆ ବିଷରୁ,

ଲୋକଲଜ୍ଜାର ଘୃଣାରୁ । ସେ ଭୟ ଓ ଲଜ୍ଜା ମୋର

ଶବ୍ଦହୀନ, ନାମହୀନ, ଉଲ୍ଲଂଗ ସ୍ଥିତିର । ମୋର ନିଷ୍କରୁଣ,

କ୍ଷମାହୀନ ସଂପୂର୍ଣ୍ଣ ନିଜସ୍ଵ ମୁହୂର୍ତ୍ତର । ନିଜକୁ ନ

ଦେଖିବାର ପ୍ରାଣାନ୍ତକ ପ୍ରୟାସରେ ତୁମେ ମୋର ଅନ୍ତରଙ୍ଗ

ସାଥୀ ଓ ସହାୟକ । ତୁମ ପରି ନିଦାରୁଣ ପ୍ରବଞ୍ଚକ

ବିନା ଆଉ ମତେ କିଏ ବା ନଗ୍ନତାରୁ ବଞ୍ଚେଇ

ଥାନ୍ତା ଅନ୍ତହୀନ ଶାଢ଼ୀର ଛଳନାରେ ବାନ୍ଧିରଖି ॥

 

ତୁମକୁ ଏ ପ୍ରବଞ୍ଚକ ଭକ୍ତର ଅସରା କୁର୍ଣ୍ଣିସ୍

ଆଭୂମି ପ୍ରମାଣ ॥

 

(ଦୁଇ)

 

ଶହଶହ, ଗହଗହ ନାମ ଆଉ ବସ୍ତୁ ଓ ପଦାର୍ଥ

ଗର୍ଜୁଛନ୍ତି, ସମୁଦ୍ର, ଗର୍ଜୁଛି ।

ଅଖ, ଆଇ, ଉଇ, ରମା, ରମାର ରବର ।

ଶବ୍ଦଙ୍କର ଭଙ୍ଗାଗଢ଼ା, ଯୋଡ଼ାଯୋଡ଼ି, ଗଇଁଠାଗଇଁଠି

ତାଳିପକା ଚିହ୍ନାଜଣା ଶବ୍ଦ, ବସ୍ତୁ, ନାମାବଳି ଜପୁଛି ସମୁଦ୍ର ॥

 

ମୁଁ ସେ ପୋକଖିଆ ଅଚଳ ନାହା-ସଂଧ୍ୟାର ଆସନ୍ନ ଅନ୍ଧାରରେ

ଢୋଳୋଉଛି ସମୁଦ୍ରର ପୁରୁଣା ବାଲିରେ । ଶବ୍ଦମାନେ ଘେରିଛନ୍ତି

ମୋତେ । ସେମାନେ ମୋରି ଲୋମକୂପର ଆଲୁଅରୁ ବାହାରି

ଢେଉହେଇ ସଞ୍ଚରି ଯାଉଛନ୍ତି । ଆଉ ନିଜ ନା ଲେଖୁଛନ୍ତି

ସବୁ ବସ୍ତୁ ଓ ବ୍ୟକ୍ତିର ଫଳକରେ । କଳା କୋଇଲା ଖଡ଼ିରେ

ମନ୍ଦିର ଓ ବେଢ଼ା ଦେହରେ ସ୍କୁଲପିଲେ ଯେମିତି

ଲେଖିଯାଆନ୍ତି ନିଜ ନିଜର ନାମ ଧାମ, ମୁକାମ ପ୍ରଗଣା ॥

 

ମୋ ସ୍ଵରର ପ୍ରତିଧ୍ଵନି ତାଙ୍କରି ପାଚିରୀରେ ପିଟିହେଇ

ଫେରିଆସୁଛି ଆଉ ଧକ୍‍କା ଖାଉଛି ମୋ ଲୋମ କୂପରେ

ମୁଁ ଅଛି । ଉଦ୍ଦେଶ୍ୟହୀନ, ଦଦରା

ଭଙ୍ଗା ନାଆ । ସବୁ ଶବ୍ଦର । ସବୁ ତରଙ୍ଗର ହେତୁ ।

ମୁଁ ନାହିଁ । ସଂଗୀତ ନାହିଁ । ଶବ୍ଦର

ମ‌ନ୍ତ୍ରୋଚ୍ଚାରଣ ନାହିଁ । କେତେଦିନ ଏଇ ପୁରୁଣା

ବାଲିରେ ଢୋଳେଇ ଢୋଳେଇ ମୁଁ ମନ୍ତ୍ର ଶୁଣୁଥିବି ?

 

ହେ ନୀଳାଦ୍ରି ବିହାରୀ । ନିଃସଙ୍ଗ, ନିଷ୍ଠୁର

ନିଃଶବ୍ଦ ଶୂନ୍ୟତା ଯଦି ମୋତେ ନ ଦେଲ

ତେବେ ଶବ୍ଦର ଏଇ ଭୀମକାନ୍ତ ସମୁଦ୍ରରେ ମୋତେ

ଡୁବାଇଦିଅ-ବାଲିର ଏ ବଂଧ୍ୟା ବିସ୍ତାରରେ ମୋତେ

ଭୁଲିଯାଇ ଦୂରରୁ ତୁମର ପ୍ରଳୟଙ୍କରୀ ମନ୍ତ୍ର ଶୁଣାଅନି ॥

Image